ଦେଶ- ବିଦେଶ

ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ : ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କୁ ସୋମବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାକ୍ଷାତ କରିଛନ୍ତି। ଭାରତ ଓ ସିଙ୍ଗାପୁର ମଧ୍ୟରେ ବିଦ୍ୟାଳୟ ଶିକ୍ଷା, ଧନ୍ଦାମୂଳକ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ବୃଦ୍ଧି ଏବଂ ବ୍ୟାପକ କରିବା ଉପରେ ସେ ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।

ଅତ୍ୟାଧୁନିକ ଜ୍ଞାନକୌଶଳ, ଷ୍ଟାର୍ଟଅପ୍ ଏବଂ ଇନୋଭେସନ ପରିସଂସ୍ଥାନକୁ ଆଗକୁ ବଢ଼ାଇବାରେ ଭାରତ ସିଙ୍ଗାପୁରକୁ ଏକ ବିଶ୍ୱସନୀୟ ଜ୍ଞାନ ସହଯୋଗୀ ରାଷ୍ଟ୍ର ଭାବେ ଦେଖୁଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଥିଲେ। ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ତଥା ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଜିଏଏନ୍ କିମ୍ ୟୋଙ୍ଗଙ୍କୁ ସାକ୍ଷାତକରି ଶ୍ରୀ ପ୍ରଧାନ ଭବିଷ୍ୟତ ପିଢ଼ିର ସହଭାଗିତା ସୃଷ୍ଟି କରିବା ପାଇଁ ଦକ୍ଷତାଭିତ୍ତିକ ଶିକ୍ଷା ଏବଂ ପ୍ରଶିକ୍ଷଣରେ ସହଯୋଗ ଉପରେ ଆଲୋଚନା କରିଥିଲେ। ଏହାପୂର୍ବରୁ ସେ ସିଙ୍ଗାପୁର ଶିକ୍ଷାମନ୍ତ୍ରୀ ଚାନ୍ ଚୁନ୍ ସିଂଙ୍କୁ ଭେଟି ଶିକ୍ଷାର ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ । ଉଭୟ ଦେଶର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ଆହୁରି ସୁଦୃଢ଼ କରିବା ପାଇଁ ଭାରତରେ ସିଙ୍ଗାପୁର ସ୍କୁଲ ଏବଂ ସିଙ୍ଗାପୁରରେ ଭାରତର ସ୍କୁଲ ଖୋଲିବା ଉପରେ ଆଲୋଚନା ହୋଇଥିଲା । ଶ୍ରୀ ପ୍ରଧାନ ପାଠ୍ୟକ୍ରମ ବିକାଶ, ଶିକ୍ଷାଦାନ ଏବଂ ଶିକ୍ଷକ ଦକ୍ଷତା ବୃଦ୍ଧି ଭଳି କ୍ଷେତ୍ରରେ ସିଙ୍ଗାପୁରର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ ଏବଂ ଏନସିଇଆରଟି ମଧ୍ୟରେ ସହଯୋଗର ସୁଯୋଗ ଉପରେ ଆଲୋକପାତ କରିଥିଲେ ।
ଏହାବ୍ୟତୀତ ଶ୍ରୀ ପ୍ରଧାନ ସିଙ୍ଗାପୁରର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭିଭିଆନ୍ ବାଲକ୍ରିଷ୍ଣନଙ୍କୁ ଭେଟି ଭାରତ-ସିଙ୍ଗାପୁର ଜ୍ଞାନ ଭାଗୀଦାରିକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିଥିଲେ । ଶ୍ରୀ ପ୍ରଧାନ ସିଙ୍ଗାପୁର ନ୍ୟାସନାଲ ୟୁନିଭର୍ସିଟି ପରିଦର୍ଶନ କରିବା ସହ ବିଶ୍ୱବିଦ୍ୟାଳୟର ପ୍ରେସିଡେଣ୍ଟ୍ ପ୍ରଫେସର ଟାନ୍ ଇଙ୍ଗ୍ ଚିଙ୍କୁ ଭେଟିଥିଲେ । ଜ୍ଞାନ, ଶୈକ୍ଷିକ ଏବଂ ଗବେଷଣା ସହଯୋଗକୁ ସୁଦୃଢ଼ କରିବା ଏବଂ ଏନୟୁଏସ ଏବଂ ସମସ୍ତ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଭାରତୀୟ ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ଯୋଗାଯୋଗକୁ ବଢାଇବା ଉପରେ ଆଲୋଚନା କରିଥିଲେ । ‘ଭବିଷ୍ୟତର ବିଦ୍ୟାଳୟ’ ନିର୍ମାଣ ଦିଗରେ ଜାଣିବା ପାଇଁ ସେ ହ୍ୱା ଚୋଙ୍ଗ୍ ଇଣ୍ଟରନ୍ୟାସନାଲ ସ୍କୁଲ ପରିଦର୍ଶନ କରିଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button