କୂଳ ଛୁଇଁବ, ତାଣ୍ଡବ ରଚିବ ‘ଦାନା’; ଆଇଏମ୍ଡିର ସତର୍କବାଣୀରେ ପ୍ରସ୍ତୁତ ସରକାର ଓ ପ୍ରଶାସନ

ନୂଆଦିଲ୍ଲୀ,୨୧/୧୦: ବଙ୍ଗୋପସାଗରରେ ଏକ ପ୍ରଣାଳି ବୁଧବାର ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଗୁରୁବାର ପୂର୍ବାହ୍ନରେ ଓଡିଶା-ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଏହି ବାତ୍ୟା ପହଞ୍ଚିପାରେ। ଏହି ବାତ୍ୟା ଗୁରୁବାର ଦିନ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଲାଣ୍ଡଫଲ୍ କରିପାରେ। ତେବେ ସୋମବାର ସୁଦ୍ଧା ସମୁଦ୍ରକୂଳକୁ ଫେରିବାକୁ ମତ୍ସ୍ୟଜୀବୀମାନଙ୍କୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।
ବୁଧବାର ସୁଦ୍ଧା ଏହି ବାତ୍ୟା ଅଧିକ ଶକ୍ତି ସଂଗ୍ରହ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏବଂ ଏହାର ନାଁ ରଖାଯାଇଛି ‘ଦାନା’।
ପାଣିପାଗ ବିଭାଗ ଅନୁଯାୟୀ, ଆଣ୍ଡାମାନ ସାଗରରେ ସାଇକ୍ଲୋନିକ୍ ପବନ ପ୍ରବାହିତ ହେଉଛି। ଆଇଏମଡି କହିଛି ଯେ ଏହି ସାଇକ୍ଲୋନିକ୍ ପବନ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଅକ୍ଟୋବର ୨୨ ସୁଦ୍ଧା ଏହା ଏକ ଅବପାତରେ ପରିଣତ ହେବ। ଅକ୍ଟୋବର ୨୩ ସୁଦ୍ଧା ଏହି ପବନ ବଙ୍ଗୋପସାଗରର ପୂର୍ବ-ମଧ୍ୟଭାଗରେ ଏକ ଘୂର୍ଣ୍ଣି ଝଡ଼ରେ ପରିଣତ ହେବ। ଏହା ପରେ, ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ଆରମ୍ଭ କରିବ।
ଅକ୍ଟୋବର ୨୪ ସୁଦ୍ଧା ଏହା ଓଡିଶା-ପଶ୍ଚିମବଙ୍ଗ ଉପକୂଳରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବାର ସମ୍ଭାବନା ଅଛି। ଏହି ବାତ୍ୟା ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ତାଣ୍ଡବ ରଚିପାରେ। ଆଇଏମଡି ଲୋକଙ୍କୁ ସତର୍କ ରହିବାକୁ ଏବଂ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ କହିଛି। ମତ୍ସ୍ୟ ବିଭାଗ ମତ୍ସ୍ୟଜୀବୀ ମାନଙ୍କୁ ବଙ୍ଗୋପ ସାଗରରେ ମାଛ ଧରିବାକୁ କିମ୍ବା ଅନ୍ୟାନ୍ୟ କାର୍ଯ୍ୟକଳାପ ପାଇଁ ନ ଯିବାକୁ ପରାମର୍ଶ ଦେଇଛି। ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ଉତ୍ତର ତାମିଲନାଡୁ, ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ଓଡିଶାରେ ପ୍ରବଳ ବର୍ଷା ହୋଇପାରେ।
ଏପଟେ ବାତ୍ୟା ସମ୍ପର୍କିତ ସତର୍କବାଣୀ ଜାରି କେରିଛନ୍ତି ରାଜ୍ୟ ସରକାର। ସମୁଦ୍ର ଭିତରକୁ ନଯିବାକୁ ସମସ୍ତ ମତ୍ସଜୀବୀଙ୍କୁ ଅନୁରୋଧ କରାଯାଇଛି। ତେବେ ଯେଉଁମାନେ ପୂର୍ବରୁ ସମୁଦ୍ର ଭିତରକୁ ଯାଇଛନ୍ତି ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତୁରନ୍ତ ଫେରିଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଗଞ୍ଜାମ, ପୁରୀ, ଜଗତସିଂହପୂର ଏବଂ ଭଦ୍ରକ ଜିଲ୍ଲାର ପ୍ରମୁଖ ଅଧିକାରୀମାନଙ୍କୁ ବାତ୍ୟାକୁ ନେଇ ସତର୍କ କରାଯାଇଛି। ତମାମ ଜିଲ୍ଲା ଗୁଡ଼ିକର ଜିଲ୍ଲାପାଳମାନଙ୍କୁ ସେହି ଜିଲ୍ଲାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ ପାଣି, ବିଜୁଳି ଏବଂ ଅନ୍ୟାନ୍ୟ ମୌଳିକ ସୁବିଧାସୁଯୋଗର ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
କେବଳ ଏତିକି ନୁହେଁ, ଯେଉଁ ଗର୍ଭବତୀ ମହିଳାମାନଙ୍କୁ ଆଗାମୀ ୧୦ ଦିନ ମଧ୍ୟରେ ପ୍ରସବ ହେବା ନେଇ ଡାକ୍ତର ପୂର୍ବାନୁମାନ ତାରିଖ ଦେଇଛନ୍ତି, ସେହି ମହିଳାମାନଙ୍କୁ ଡାକ୍ତରଖାନାରେ ଆଡମିସନ୍ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅସୁରକ୍ଷିତ ପରିବାରକୁ ନିର୍ଦ୍ଦିଷ୍ଟ ଆଶ୍ରୟ ସ୍ଥଳିକୁ ସ୍ଥାନାନ୍ତର କରିବାକୁ ଉଦ୍ୟମ ଚାଲିଛି। ଏକ ସମନ୍ୱିତ ପ୍ରତିକ୍ରିୟା ହାସଲ କରିବାକୁ ସ୍ଥାନୀୟ କର୍ତ୍ତୃପକ୍ଷ ସକ୍ରିୟ ଭାବରେ ସାଇକ୍ଲୋନନ୍ ସମ୍ବନ୍ଧୀୟ ସୂଚନା ସଂଗ୍ରହ କରୁଛନ୍ତି।