ଦେଶ- ବିଦେଶ

ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡରେ ବଡ ଖୁଲାସା, ଅଭିଯୁକ୍ତର ଫୋନ୍‌ରୁ ମିଳିଲା ପୁଅ ଜିସାନଙ୍କ ଫଟୋ

ମୁମ୍ଵାଇ ୨୦।୧୦: ବାବା ସିଦ୍ଦିକିଙ୍କ ପରେ ଏବେ ଟାର୍ଗେଟ୍ରେ ଜିସାନ ସିଦ୍ଦିକି। ହିଟ୍ ଲିଷ୍ଟରେ ରହିଛି ତାଙ୍କର ନାଁ। ତାଙ୍କୁ ମଧ୍ୟ ହତ୍ୟା କରିବାକୁ ହୋଇଥିଲା ଷଡ଼ଯନ୍ତ୍ର। ଏନ୍ସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡ ମାମଲାରେ ଏଭଳି କିଛି ନୂଆ ଖୁଲାସା ହୋଇଛି। ଗିରଫ ଅଭିଯୁକ୍ତଙ୍କ ମୋବାଇଲରୁ ପୁଅ ଜିସାନ ସିଦ୍ଦିକିର ଫଟୋ ମିଳିଛି।

ହି ଫଟୋକୁ ତାଙ୍କ ସ୍ନାପଚାଟ ମାଧ୍ୟମରେ ଅଭିଯୁକ୍ତଙ୍କ ସହ ସେୟାର କରାଯାଇଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ ସୁଟର ଏବଂ ଷଡଯନ୍ତ୍ରକାରୀମାନେ ମେସେଜ ଆଦାନ ପ୍ରଦାନ ପାଇଁ ସ୍ନାପଚାଟ ବ୍ୟବହାର କରିଥିଲେ। ଏନେଇ ମୁମ୍ବାଇ ପୁଲିସ ଏହି ସୂଚନା ଦେଇଛି।

ଲରେନ୍ସ ଗ୍ୟାଙ୍ଗର ସ୍ନାପଚାଟ ଜରିଆରେ ସୂଚନା ମିଳିବା ପରେ ଉକ୍ତ ମେସେଜକୁ ଡିଲିଟ୍ କରାଯାଇଥିଲା। ଏଥିସହିତ ଏହା ମଧ୍ୟ ପ୍ରକାଶ ପାଇଛି ଯେ ବାବା ସିଦ୍ଦିକିଙ୍କୁ ହତ୍ୟା କରିବା ପାଇଁ ପ୍ରଥମେ ଅଭିଯୁକ୍ତ ୧ କୋଟି ଟଙ୍କା ମାଗିଥିଲେ। ଗିରଫ ଅଭିଯୁକ୍ତକୁ ପଚରାଉଚରା ବେଳେ ପୋଲିସ ଏହା ଜାଣିବାକୁ ପାଇଛି।

ସୂଚନାନୁସାରେ, ଗିରଫ ଅଭିଯୁକ୍ତ ରାମ କାନୌଜିଆ କହିଛି ଯେ ପ୍ରଥମେ ଶୁଭମ୍ ଲୋଙ୍କାର ତାଙ୍କୁ ଏବଂ ନିତିନ ସାପ୍ରେଙ୍କୁ ବାବା ସିଦ୍ଦିକିଙ୍କୁ ହତ୍ୟା କରିବା ପାଇଁ ସୁପାରି ଦେଇଥିଲେ। ରାମ ମହାରାଷ୍ଟ୍ରର ବାସିନ୍ଦା, ବାବା ସିଦ୍ଦିକିଙ୍କୁ ହତ୍ୟା କରିବା ପରେ କ’ଣ ହୋଇପାରେ ସେ ବିଷୟରେ ତାଙ୍କର ଧାରଣା ଥିଲା, ତେଣୁ ସେ ଏହି ସୁପାରି ନେବାକୁ ମନା କରିଥିଲା। ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କୁ ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚ ଟିମ୍ ସମସ୍ତଙ୍କୁ ପଚରାଉଚରା ଜାରି ରଖିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button