ଦେଶ- ବିଦେଶ

କେତେ ବିପଜ୍ଜନକ ବୋତଲ ପାଣି

ଦୀର୍ଘକାଳୀନ ଯାତ୍ରାରେ ବା ଭୀଷଣ ଖରା ବେଳେ ଶୋଷ ଲାଗିଲେ ଆଖପାଖ ଦୋକାନରେ ସହଜରେ ମିଳୁଥିବା ସିଲ୍‌ମରା ପାଣି ବୋତଲ କିଣି ପିଇଦେଲେ ତୃଷା ମେଣ୍ଟିବା ସହ ଶରୀରର ଆର୍ଦ୍ରତା ଠିକ୍‌ ହୋଇଯାଇଥାଏ। ମାତ୍ର ଖାଲି ଆଖିକୁ କାଚକେନ୍ଦୁ ପରି ସ୍ବଚ୍ଛ ଦେଖାଯାଉଥିବା ପ୍ଳାଷ୍ଟିକ୍‌ ବୋତଲ ପାଣିରେ କ’ଣ ସବୁ ଲୁଚି ରହିଛି, ତାହା ଜାଣିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼ିବ।

ପ୍ରକୃତରେ ସେହି ନିର୍ମଳ ଦେଖାଯାଉଥିବା ଜଳ ଭିତରେ ଅନେକ ବିପଦ ଛପି ରହିଥାଏ, ଯାହା ବିଭିନ୍ନ ଦିଗରୁ ଆମ ସ୍ବାସ୍ଥ୍ୟ ପାଇଁ ଭୀଷଣ ହାନିକାରକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ସେହି ସିଲ୍‌ମରା ବୋତଲ ପାଣିର କିଛି ନକାରାତ୍ମକ ପ୍ରଭାବ ବାବଦରେ ଆଲୋଚନା କରିବା।

ସବୁଠୁ ଚିନ୍ତାଜନକ ହେଲା, ବୋତଲ ପାଣିରେ ଭରି ରହିଥିବା ବିପଜ୍ଜନକ ରାସାୟନିକ ପଦାର୍ଥ। ଜଳକୁ ସୁରକ୍ଷିତ ରଖୁଥିବା ସେହି ପ୍ଳାଷ୍ଟିକ୍‌ ବୋତଲଗୁଡ଼ିକ ସାଧାରଣତଃ ପଲିଇଥିଲିନ୍‌ ଟେରିଅଫ୍‌ଥାଲେଟ୍‌ (ପିଇଟି ବା ପେଟ୍‌) ନାମକ ପଦାର୍ଥରେ ନିର୍ମିତ। ତାପମାତ୍ରା ବଢ଼ିଲେ ପେଟ୍‌ରୁ ଆଣ୍ଟିମନି ଓ ଅଫ୍‌ଥାଲେଟ୍‌ ପରି ରାସାୟନିକ ନିର୍ଗତ ହୋଇ ବୋତଲ ଭିତର ପାଣିରେ ମିଶିଥାଏ। ଏହି ରାସାୟନିକ ପଦାର୍ଥଗୁଡ଼ିକ ଆମ ଅନ୍ତସ୍ରାବୀ କ୍ରିୟାରେ ବାଧା ଉପୁଜାଇବା ସହ ନାନା ପ୍ରକାର ପ୍ରଜନନ ସମସ୍ୟା ଆଣିଥାନ୍ତି। ସେହିପରି ନାମୀଦାମୀ ପାଣି ବୋତଲରେ ମଧ୍ୟ ଅଗଣିତ ଅଣୁପ୍ଲାଷ୍ଟିକ ରହିଥାଏ। ଏହି ଅଣୁପ୍ଲାଷ୍ଟିକ୍‌ ଟୁକୁଡ଼ାଗୁଡ଼ିକ ଶରୀରରେ ପ୍ରଦାହ ସମେତ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ଆଣିଥାଏ। ପ୍ରାକୃତିକ କଳ ପାଣିରେ ରହିଥିବା କ୍ୟାଲସିଅମ୍‌ ଓ ମାଗ୍ନେସିଅମ୍‌ ପରି ଅନେକ ଉପକାରୀ ଖଣିଜ ଏହି ବୋତଲପାଣିରେ ନଥାଏ। କାରଣ ବୋତଲ ପାଣିକୁ ମାତ୍ରାଧିକ ପରିସ୍ରବଣ କରାଯାଉଥିବାରୁ ସେଥିରୁ ଏହି ସବୁ ଖଣିଜ ପଦାର୍ଥ ଛାଣି ହୋଇ ରହିଯାଇଥାଏ। ତେଣୁ ବୋତଲପାଣି ଅପେକ୍ଷା କଳପାଣି ଅଧିକ ସ୍ବାସ୍ଥ୍ୟାନୁକୂଳ। ବିଭିନ୍ନ କମ୍ପାନିର ଏହି ବୋତଲ ପାଣି ଯେତେ ପରିଷ୍କୃତ ଓ ଜୀବାଣୁମୁକ୍ତ ବୋଲି ଦାବି କରାଯାଉଥିଲେ ହେଁ ସେଥିରେ ଅନେକ ସଂକ୍ରମଣକାରୀ ବୀଜାଣୁ ରହିଥିବା ପରୀକ୍ଷାନିରୀକ୍ଷାରୁ ଜଣାପଡ଼ିଛି। ତେଣୁ ତାହା ଶରୀରକୁ ଯାଇ ପାକସ୍ଥଳୀ ସଂକ୍ରମଣ ସମେତ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। ସର୍ବୋପରି ପ୍ଲାଷ୍ଟିକ୍‌ ବୋତଲ ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ପାଇଁ ଅନ୍ୟତମ ପ୍ରମୁଖ କାରଣ ସାଜୁଛି। ବୋତଲ ନିର୍ମାଣ ପ୍ରକ୍ରିୟାରେ ବାୟୁମଣ୍ଡଳକୁ ଅଙ୍ଗାର ନିର୍ଗମନ ବଢ଼ିଥାଏ। ସେହିପରି ବର୍ଜ୍ୟ ବୋତଲଗୁଡ଼ିକ ବିଘଟିତ ହେବାକୁ ଶହଶହ ବର୍ଷ ଲାଗୁଥିବାରୁ ତାହା ଜମା ହୋଇ କଳ୍ପନାତୀତ ପରିବେଶ ପ୍ରଦୂଷଣ ସୃଷ୍ଟି କରିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button