ଦେଶ- ବିଦେଶ

ଜଳବାୟୁ ପରିବର୍ତ୍ତନ, ମହିଳା ସଶକ୍ତିକରଣ, ନ୍ୟାୟ ସଂହିତା ଏବଂ ମହାକାଶ; ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରପତିଙ୍କ ସନ୍ଦେଶକୁ ପଢନ୍ତୁ

ନୂଆଦିଲ୍ଲୀ: ଦେଶର ୭୮ତମ ସ୍ୱାଧୀନତା ଦିବସ ପୂର୍ବ ସଂଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରକୁ ସମ୍ୱୋଧନ କରିଛନ୍ତି । ରାଷ୍ଟ୍ର ଉଦ୍ଦେଶ୍ୟ ନିଜ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି, ‘ଦେଶବାସୀ ୭୮ତମ ସ୍ୱାଧୀନତା ଦିବସ ଉତ୍ସବ ପାଳନ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି, ଏହା ଦେଖି ମୁଁ ବହୁତ ଖୁସି । ସ୍ୱାଧୀନତା ଦିବସ ଅବସରରେ ଉଡ଼ୁଥିବା ତ୍ରିରଙ୍ଗାକୁ ଦେଖିବା- ସେ ଲାଲ୍କିଲାରେ ହେଉ, ରାଜ୍ୟର ରାଜଧାନୀରେ ହେଉ କିମ୍ୱା ଆମ ଆଖ-ପାଖ-ଆମ ହୃଦୟକୁ ଉତ୍ସାହରେ ଭରି ଦେଉଛି ।’

ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ‘ମହିଳାଙ୍କୁ କେନ୍ଦ୍ରରେ ରଖି ସରକାରଙ୍କ ଦ୍ୱାରା ଯୋଜନା ଲାଗୁ କରାଯାଇଛି । ନାରୀ ଶକ୍ତି ବନ୍ଦନ ଅଧିନିୟମର ଉଦ୍ଦେଶ୍ୟ ମହିଳାଙ୍କ ବାସ୍ତବିକ ସଶକ୍ତିକରଣ ସୁନିଶ୍ଚିତ କରିବା । ଗ୍ଲୋବାଲ୍ ୱାର୍ମିଂର ସବୁଠୁ ଗମ୍ଭୀର କୁପ୍ରଭାବରୁ ପୃଥିବୀକୁ ରକ୍ଷା କରିବା ପାଇଁ ମାନବ ସମୁଦାୟ ଦ୍ୱାରା କରାଯାଉଥିବା ସଂଘର୍ଷର ଅଗ୍ରଣୀ ଭୂମିକା ନେଉଥିବାରୁ ଭାରତ ଗର୍ବିତ । ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଆପଣ ନିଜ ନିଜ ଜୀବନଶୈଳୀରେ ଛୋଟିଆ ଛୋଟିଆ ପରିବର୍ତ୍ତନ ତଥା ଜଳବାୟୁ ପରିବର୍ତ୍ତନର ଆହ୍ୱାନ ସାମନା କରିବାରେ ନିଜର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦିଅନ୍ତୁ ।’

ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ‘ଚଳିତ ବର୍ଷ ଜୁଲାଇରୁ ଭାରତୀୟ ନ୍ୟାୟ ସଂହିତା ଲାଗୁ କରି, ଆମେ ଉପନିବେଶ ଯୁଗର ଆଉ ଏକ ଅବେଶଷକୁ ହଟାଇ ଦେଇଛୁ । ନୂଆ ସଂହିତାର ଉଦ୍ଦେଶ୍ୟ, କେବଳ ଦଣ୍ଡ ଦେବା ପରିବର୍ତ୍ତେ, ଅପରାଧ-ପୀଡିତଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବା । ଆମେ ଏହି ପରିବର୍ତ୍ତନକୁ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ରୂପେ ଦେଖିବା ଦରକାର ।’

ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ‘ଆଜିର ଯୁବବର୍ଗ ଆମ ସ୍ୱାଧୀନତାର ଶତାବ୍ଦୀ ଯାଏ ଅମୃତ କାଳକୁ ଅର୍ଥାତ୍ ଆଜିଠରୁ ପ୍ରାୟ ଏକ ଚତୁର୍ଥାଂଶ କାଳଖଣ୍ଡକୁ ରୂପ ଦେବେ । ସେମାନଙ୍କ ଉର୍ଜା ଏବଂ ଉତ୍ସାହର ବଳରେ ଆମ ଦେଶ ନୂଆ ଶିଖର ଯାଏ ପହଞ୍ଚିବ । ରୋଜଗାର ଏବଂ କୌଶଳ ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଞ୍ଚ ଯୋଜନା ମାଧ୍ୟମରେ ପାଞ୍ଚ ବର୍ଷରେ ୪ କୋଟି ୧୦ ଲକ୍ଷ ଯୁବକ-ଯୁବତୀଙ୍କୁ ଲାଭ ମିଳିବ । ସରକାଙ୍କ ଏକ ନୂଆ ଯୋଜନାରେ ପାଞ୍ଚ ବର୍ଷରେ ଏକ କୋଟି ଯୁବକ ଅଗ୍ରଣୀ କମ୍ପାନିରେ ପ୍ରଶିକ୍ଷଣ ନେବେ । ଏହି ସବୁ ପଦକ୍ଷେପ, ବିକଶିତ ଭାରତ ନିର୍ମାଣରେ ବଡ଼ ଯୋଗଦାନ ଦେବେ ।’

ରାଷ୍ଟ୍ରପତି ନିଜ ସମ୍ୱୋଧରେ କହିଛନ୍ତି, ‘ଗତ କିଛି ବର୍ଷରେ, ଭାରତ ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଅଭୂତପୂର୍ବ ପ୍ରଗତି କରିଛି । ଆପଣମାନଙ୍କ ସହ, ମୁଁ ମଧ୍ୟ ଆସନ୍ତା ବର୍ଷ ହେବାକୁ ଥିବା ଗଗନଯାନ ମିଶନର ଶୁଭାରମ୍ଭକୁ ଉତ୍ସାହର ସହ ଚାହିଁ ରହିଛି ।’ ରାଷ୍ଟ୍ରପତି କହିଛନ୍ତି, ‘ଖେଳ ଜଗତ ମଧ୍ୟ ଏପରି ଏକ କ୍ଷେତ୍ର ଯେଉଁଥିରେ ଆମ ଦେଶ ଗତ ଦଶନ୍ଧିରେ ଅନେକ ପ୍ରଗତି କରିଛି । ସରକାର ଖେଳର ଭିତ୍ତିଭୂମିର ବିକାଶକୁ ପ୍ରାଥମିକତା ଦେଇଛନ୍ତି ଏବଂ ଏହାର ପରିଣାମ ସାମନାକୁ ଆସୁଛି । ପ୍ୟାରିସ୍ ଅଲିମ୍ପିକ୍ସ ଖେଳରେ ଭାରତୀୟ ଦଳ ନିଜ ଉତ୍କୃଷ୍ଟ ପ୍ରୟାସ କରିଛି । ମୁଁ ଖେଳାଳିଙ୍କ ନିଷ୍ଠା ଏବଂ ପରିଶ୍ରମକୁ ପ୍ରଶଂସା କରୁଛି ।’

ନିଜ ସମ୍ୱୋଧର ଶେଷରେ ରାଷ୍ଟ୍ରପତି କହିଛନ୍ତି, ‘ସାରା ଦେଶ ସ୍ୱାଧୀନତା ଦିବସ ପାଳନ କରିବା ପାଇଁ ତତ୍ପର ଅଛି । ଏହି ଉହ୍ଲାସର ମୁହୂର୍ତ୍ତରେ ମୁଁ ଆପଣମାନଙ୍କୁ ପୁଣି ଥରେ ଶୁଭେଚ୍ଛା ଜଣାଉଛି । ମୁଁ ସେନାର ସେହି ସାହସୀ ଯବାନଙ୍କୁ ବିଶେଷ ଶୁଭେଚ୍ଛା ଜଣାଉଛି, ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ଆମ ସ୍ୱାଧୀନତାର ରକ୍ଷା କରୁଛନ୍ତି ।’

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button