ଦେଶ- ବିଦେଶ

ପନ୍ନୁ ହତ୍ୟା ଉଦ୍ୟମ ଷଡ଼୍‌ଯନ୍ତ୍ର: ପୂର୍ବତନ ଭାରତୀୟ ଅଧିକାରୀଙ୍କ ବିରୋଧରେ ନୂଆ ମାମଲା ରୁଜୁ

ନୂଆଦିଲ୍ଲୀ: ଖଲିସ୍ତାନୀ ସମର୍ଥକ ବିଚ୍ଛିନ୍ନତାବାଦୀ ଗୁରପତୱନ୍ତ ସିଂହ ପନ୍ନୁକୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ମାମଲାରେ ଆଲୋଚନା ନିମନ୍ତେ ଭାରତୀୟ ତଦନ୍ତ କମିଟିର ସଦସ୍ୟମାନେ ୱାସିଂଟନ ଗସ୍ତ କରିବାର କିଛି ଦିନ ପରେ ଆମେରିକା ଜଣେ ପୂର୍ବତନ ଭାରତୀୟ ଗୁଇନ୍ଦା ଅଧିକାରୀଙ୍କ ବିରୋଧରେ ନୂଆ ମାମଲା ରୁଜୁ କରିଛି। ଏହା ହେଉଛି ତଥାକଥିତ ‘ମର୍ଡର ଫର୍ ହାୟାର’ ମାମଲାରେ ଆମେରିକାର ନ୍ୟାୟ ବିଭାଗ ଦ୍ବାରା ଆଗତ ଦ୍ବିତୀୟ ଅଭିଯୋଗ।

ଏହା ପୂର୍ବରୁ ଭାରତ ଓ ଆମେରିକା ଘୋଷଣା କରିଥିଲେ ଯେ ପୂର୍ବରୁ ହୋଇଥିବା ଅଭିଯୋଗରେ ‘ସିସି-୧’ ଭାବେ ପରିଚିତ ଭାରତୀୟ ଅଧିକାରୀଙ୍କୁ ବହିଷ୍କାର କରାଯାଇଛି।

ଆମେରିକାର ନ୍ୟାୟ ବିଭାଗ କହିଛି ଯେ ନ୍ୟୁୟର୍କ ସହରରେ ଜଣେ ଆମେରିକୀୟ ନାଗରିକଙ୍କୁ ହତ୍ୟା କରିବା ପାଇଁ ବିଫଳ ଷଡ଼ଯନ୍ତ୍ର କରିବା ଅଭିଯୋଗରେ ବିକାଶ ଓ ଅମାନତ ନାମରେ ପରିଚିତ ୩୯ ବର୍ଷୀୟ ବିକାଶ ଯାଦବଙ୍କ ବିରୋଧରେ ହତ୍ୟା ପାଇଁ ଭଡ଼ାଟିଆ ଗୁଣ୍ଡା ନିଯୁକ୍ତି ଓ ମନିଲଣ୍ଡରିଂ ମାମଲା ରୁଜୁ ହୋଇଛି। ତେବେ ଆମେରିକାରେ ଏହି ନୂଆ ଅଭିଯୋଗ ଉପରେ ଭାରତୀୟ ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏହି ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଅଧିକାରୀ ଜଣକ ହେଉଛନ୍ତି କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ ଅଧିକାରୀ ବିକ୍ରମ ଯାଦବ, ଯିଏକି ଭାରତୀୟ ଗୁଇନ୍ଦା ସଂସ୍ଥା ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ୍ (ର) ପାଇଁ କାମ କରୁଥିଲେ। ତେବେ ବିକ୍ରମ ଯାଦବ ଓ ବିକାଶ ଯାଦବ ସମାନ ବ୍ୟକ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଗତ ନଭେମ୍ବର ମାସରେ ଦାଖଲ ହୋଇଥିବା ଏକ ଅଭିଯୋଗରେ ଆମେରିକୀୟ ଓକିଲମାନେ ଅଭିଯୋଗ କରିଥିଲେ ଯେ ସିସି-୧ ଭାରତୀୟ ନାଗରିକ ନିଖିଲ ଗୁପ୍ତାଙ୍କୁ ଏହି ଷଡ଼ଯନ୍ତ୍ର କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗୁପ୍ତାଙ୍କୁ ଚେକ୍ ରିପବ୍ଲିକରେ ଗିରଫ କରାଯାଇଥିଲା ଏବଂ ଚଳିତ ବର୍ଷ ପ୍ରାରମ୍ଭରେ ତାଙ୍କୁ ଆମେରିକାକୁ ପ୍ରତ୍ୟର୍ପଣ କରାଯାଇଥିଲା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button