ଦେଶ- ବିଦେଶ

ବଦଳିଲା ଧନୀଙ୍କ ଦୁନିଆ: ଶ୍ରେଷ୍ଠ ୨୦ରୁ ବାହାରିବାକୁ ଅଳ୍ପ ଦୂରରେ ଆଦାନୀ, ଅମ୍ବାନୀଙ୍କର ବି କ୍ଷତି

ମାଜ ଡିଜିଟାଲ ଡେସ୍କ: ଧନୀଙ୍କ ଦୁନିଆରେ ବଡ଼ ଧରଣର ଓଲଟପାଲଟ ହୋଇଛି। ଭାରତ ତଥା ଏସିଆର ସବୁଠୁ ବଡ଼ ଧନୀ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ ସମ୍ପତି ମୂଲ୍ୟରେ ସୋମବାର ସପ୍ତାହର ପ୍ରଥମ ଦିନରେ ହ୍ରାସ ପରିଲକ୍ଷିତ ହୋଇଛି। ପୂର୍ବରୁ ଆଦାନୀ ୧୦୦ ବିଲିୟନ ଡଲାର କ୍ଲବରୁ ବାହାରି ସାରିଛନ୍ତି। ବର୍ତ୍ତମାନ ସେ ଧନୀ ତାଲିକାର ଶ୍ରେଷ୍ଠ ୨୦ ଜଣଙ୍କ ମଧ୍ୟରୁ ବାହାରିଯିବାର ସମ୍ଭାବନା ଦେଖାଦେଇଛି।

ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ସୋମବାର ତାଙ୍କ ସମ୍ପତ୍ତି ମୂଲ୍ୟ ୬୭.୩ କୋଟି ଡଲାର ହ୍ରାସ ପାଇଛି। ସେ ୯୮.୯ ବିଲିୟନ ଡଲାରର ସମ୍ପତ୍ତି ସହ ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକାରେ ୧୮ ନମ୍ବର ସ୍ଥାନରେ ଅଛନ୍ତି। ଚଳିତ ବର୍ଷ ତାଙ୍କ ସମ୍ପତ୍ତି ମୂଲ୍ୟରେ ୧୪.୬ ବିଲିୟନ ଡଲାର ବୃଦ୍ଧି ଘଟିଛି।

ଅପରପକ୍ଷେ ଦେଶର ବହୁମୂଲ୍ୟ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ମୂଲ୍ୟ ମଧ୍ୟ ୯୮.୪ ଲକ୍ଷ ଡଲାର ହ୍ରାସ ପାଇଛି। ସେ ୧୦୪ ବିଲିୟନ ଡଲାରର ସମ୍ପତ୍ତି ସହ ବିଶ୍ଵର ଧନୀ ବ୍ୟକ୍ତିଙ୍କ ତାଲିକାରେ ୧୪ ନମ୍ବର ସ୍ଥାନରେ ଅଛନ୍ତି। ଚଳିତ ବର୍ଷ ତାଙ୍କ ସମ୍ପତ୍ତିରେ ୭.୯୧ ବିଲିୟନ ଡଲାର ବୃଦ୍ଧି ଘଟିଛି। ସୋମବାର ବଜାର ବନ୍ଦ ହେବା ପରେ ରିଲାଏନ୍ସ ତା’ର ତ୍ରୈମାସିକ ଫଳାଫଳ ଘୋଷଣା କରିଛି। ଦ୍ୱିତୀୟ ତ୍ରୈମାସରେ କମ୍ପାନୀର ମୋଟ୍‌ ଲାଭର ତିନି ପ୍ରତିଶତ ହ୍ରାସ ପାଇଛି।

ସୂଚନାଯୋଗ୍ୟ, ଟେସ୍‌ଲା, ସ୍ପେସ୍ ଏକ୍ସ, ଏକ୍ସ ସମେତ ଅନେକ କମ୍ପାନୀ ଚଳାଉଥିବା ଏଲନ୍ ମସ୍କ ୨୪୧ ବିଲିୟନ ଡଲାରର ସମ୍ପତ୍ତି ସହ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ଶୀର୍ଷରେ ରହିଛନ୍ତି। ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସ୍ ୨୧୦ ବିଲିୟନ ଡଲାର ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଫେସବୁକର ମୂଳ କମ୍ପାନୀ ମେଟା ପ୍ଲାଟଫର୍ମର ସିଇଓ ମାର୍କ ଜୁକରବର୍ଗ ୨୦୯ ବିଲିୟନ ଡଲାର ମୂଲ୍ୟର ସମ୍ପତ୍ତି ସହ ତୃତୀୟ ସ୍ଥାନରେ ରହିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button