ଦୁର୍ଗା ମଣ୍ଡପରୁ ମା’ଙ୍କ ସୁନା ରୂପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ଯାଜପୁର ଜିଲ୍ଲା କୋରେଇ ଅଞ୍ଚଳରେ ଅଭାବନୀୟ ଘଟଣା। ଦୁର୍ଗା ମଣ୍ଡପରୁ ମା’ ଦୂର୍ଗା ଓ ପାର୍ଶ୍ବ ଦେବାଦେବୀଙ୍କ ର ସୁନା ରୂପା ଅଳଙ୍କାର ସହ ରୁପାରେ ନିର୍ମିତ ଅସ୍ତ୍ରଶସ୍ତ୍ର ଲୁଟି ନେଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି କୋରେଇ ଥାନା ବରୁଣ୍ଡେଇ ସ୍ଥିତ ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରେ। ଅଭିଯୋଗ ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ମୁତାବକ ଗତକାଲି ରାତିରେ ପ୍ରସାଦ ସେବନ ଓ ମା’ ଙ୍କ ନିତୀ କାନ୍ତି ଶେଷକରି ଆୟୋଜକ କମିଟି ସଦସ୍ୟ ଓ ପୂଜକ ମଣ୍ଡପ ଫାଟକରେ ତାଲା ପକାଇ ଶୋଇବାକୁ ପଳାଇଥିଲେ। ପରେ ବିଳମ୍ବିତ ରାତିରେ ଶୌଚ ହେବାକୁ ଉଠିବା ବେଳକୁ ମଣ୍ଡପ ଫାଟକ ଖୋଲା ରହିଥିବା ସହ ମା ଙ୍କ ର ଓ ପାର୍ଶ୍ଵ ଦେବା ଦେବୀଙ୍କର ସୁନା ଗହଣା ଏବଂ ରୁପାରେ ନିର୍ମିତ ଅସ୍ତ୍ରଶସ୍ତ୍ର ଚୋରି ହୋଇଯାଇଥିବା ଦେଖିବାକୁ ମିଳିଥିଲା। ପରେ କମିଟିର ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀଙ୍କୁ ଜଣାଇବା ସହ ଆଜି ସକାଳୁ କୋରେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଚୋରି ହୋଇଥିବା ଅଳଙ୍କାର ର ମୂଲ୍ୟ ୧୫ ଲକ୍ଷରୁ ଉର୍ଦ୍ଧ ଟଙ୍କା ହେବ ବୋଲି କୁହାଯାଉଛି। ତେବେ ଅଭିଯୋଗ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ଏଥିସହିତ ରାତିରେ ତାଲା ପକାଇ ଶୋଇବାକୁ ଯାଇଥିବା ପୂଜକ ଓ କମିଟି ର ସମ୍ପାଦକ ଙ୍କୁ ପୋଲିସ ଥାନାକୁ ନେଇ ପଚରାଉଚରା କରୁଥିବା ଜଣାପଡିଛି। ସେପଟେ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ,ଡଗ ସ୍କ୍ୱାଡ଼ ଓ ଯାଜପୁର ଏସ ଡ଼ି ପି ଓ ପହଞ୍ଚି ଘଟଣା ର ଅଧିକ ତଦନ୍ତ ଆରମ୍ଭ କରିଛନ୍ତି l