ପ୍ଲେନ୍ କ୍ରାସର ୫୬ ବର୍ଷ ପରେ ୪ ଯବାନଙ୍କ ମୃତଦେହ ଠାବ, ଚଣ୍ଡିଗଡରୁ ଉଡି ରୋହତଙ୍ଗରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବିମାନ

ମୁମ୍ଵାଇ ୦୧।୧୦: ହିମାଚଳ ପ୍ରଦେଶର ରୋହତଙ୍ଗ ପାଖରୁ ୪ଟି ମୃତଦେହ ଉଦ୍ଧାର କରାଯାଇଛି। ଏହି ମୃତଦେହ ଗୁଡିକ ୧୯୬୮ ମସିହାର ବିମାନ ଦୁର୍ଘଟଣାରେ ସହିଦ ହୋଇଥିବା ସୈନିକମାନଙ୍କର । ଆଣ୍ଟୋନୋଭ -୧୨ ସାମରିକ ପରିବହନ ବିମାନ ହଠାତ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଖରାପ ପାଗ ବିମାନ ଦୁର୍ଘଟଣାର କାରଣ ବୋଲି କୁହାଯାଉଥିଲା। ଗତ ୫୬ ବର୍ଷ ଧରି ବିମାନ ଦୁର୍ଘଟଣାରେ ସହିଦ ହୋଇଥିବା ସୈନିକଙ୍କ ମୃତଦେହ ଖୋଜା ଚାଲିଛି।
ଏହା ହେଉଛି ଭାରତର ଦୀର୍ଘତମ ସର୍ଚ୍ଚ ଅପରେସନ୍ । ଗତକାଲି ସୁରକ୍ଷା ବାହିନୀ ୪ଟି ମୃତଦେହ ପାଇଥିଲେ। ଏଥିମଧ୍ୟରୁ ୩ଟି ମୃତଦେହ ଚିହ୍ନଟ କରାଯାଇଛି, କିନ୍ତୁ ଗୋଟିଏର ପରିଚୟ ଜାରି ରହିଛି।
୫୬ ବର୍ଷ ପୂର୍ବେ ଏହି ଦୁର୍ଘଟଣା ଘଟିଥିଲା
୭ ଫେବୃଆରୀ ୧୯୬୮ରେ, AN-12 ସାମରିକ ବିମାନ ୧୦୨ ସୈନିକଙ୍କ ସହ ଚଣ୍ଡିଗଡ଼ରୁ ଉଡାଣ ଭରିଥିଲା । ତେବେ ଖରାପ ପାଗ ଯୋଗୁଁ ବିମାନଟି ରୋହତଙ୍ଗ ଲା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଭଳି ପରିସ୍ଥିତିରେ ମୃତଦେହ ଖୋଜିବା ବହୁତ କଷ୍ଟସାଧ୍ୟ ହୋଇଯାଇଥିଲା । ଏହି କାରଣରୁ ସେନା ଗତ ୫୬ ବର୍ଷ ଧରି ଶହୀଦଙ୍କ ମୃତଦେହକୁ ଖୋଜିବାରେ ଲାଗିଥିଲା।
୨୦୦୩ରେ, ଅଟଳ ବିହାରୀ ବାଜପେୟୀ ଇନଷ୍ଟିଚ୍ୟୁଟ୍ ଅଫ୍ ମାଉଁଟିଂରୁ କିଛି ପର୍ବତାରୋହୀ ଏହି ଧ୍ଵଂସାବଶେଷ ଗୁଡିକ ପାଇଥିଲେ । ସେବେଠାରୁ ସେନା ଏଠାରେ ଅନେକ ସର୍ଚ୍ଚ ଅପରେସନ୍ ଚଳାଥିଲା । ସେନାର ଡୋଗ୍ରା ବାଟାଲିୟନ ୨୦୦୫.୨୦୦୬, ୨୦୧୩ ଏବଂ ୨୦୧୯ରେ ସର୍ଚ୍ଚ ଅପରେସନ୍ କରିଥିଲା । ୨୦୧୯ରେ ମଧ୍ୟ ୫ଟି ମୃତଦେହ ଉଦ୍ଧାର କରାଯାଇଥିଲା।
ଗୋଟିଏ ମୃତ ଦେହ ଚିହ୍ନଟ ହୋଇନାହିଁ
ତିନୋଟି ମୃତଦହର ପରିଚୟ ମିଳିଥିବାବେଳେ ଚତୁର୍ଥ ମୃତଦେହ ବରଫରେ ପୋତି ହୋଇଯାଇଥିଲା। ମୃତଦେହ ନିକଟରୁ ମିଳିଥିବା ଦଲିଲରୁ ସେମାନଙ୍କୁ ଚିହ୍ନଟ କରାଯାଇଛି। ଚତୁର୍ଥ ମୃତଦେହ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ। ତାଙ୍କ ଡକ୍ୟୁମେଣ୍ଟରେ ଲେଖାଯାଇଥିବା ଜିନିଷ ଗୁଡ଼ିକ ମଧ୍ୟ ଲିଭି ଯାଇଛି।