ପଣ୍ଡିତ ଟିକେଶ୍ୱର ଗୁରୁଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ, ଯୋଗଦେଲେ ବହୁ ବିଶିଷ୍ଟ ବ୍ୟକ୍ତି

ବଲାଙ୍ଗୀର : ବିଶିଷ୍ଟ ଶିକ୍ଷାବିତ୍, ସ୍ୱନାମଧନ୍ୟ ଜ୍ୟୋତିଷ ତଥା ସମାଜସେବୀ ପଣ୍ଡିତ ଟିକେଶ୍ୱର ଗୁରୁଙ୍କ ପ୍ରତିମୂର୍ତ୍ତି ଆଜି ତାଙ୍କ ଜନ୍ମସ୍ଥାନ, ବଲାଙ୍ଗୀର ଜ଼ିଲ୍ଲାର ଲୋଇସିଂହା ତହସିଲ ଅଧୀନସ୍ଥ ସିଙ୍ଘାଣିମୁଣ୍ଡା ଗ୍ରାମରେ ଅନାବରଣ ହୋଇଯାଇଛି । ଶ୍ରୀ ଗୁରୁ ନିଜ ପ୍ରଚେଷ୍ଟାରେ ପଶ୍ଚିମ ଓଡିଶାର ବିଭିନ୍ନ ଜ଼ିଲ୍ଲାରେ ଅନେକ ସ୍କୁଲ ପ୍ରତିଷ୍ଠା କରିଯାଇଛନ୍ତି ।
ବିଶେଷକରି ସଂସ୍କୃତ ଭାଷାର ପ୍ରଚାର ପ୍ରସାର ପାଇଁ ଅନେକ କାମ କରିଛନ୍ତି।
ସେ ଅନେକ ସଂସ୍କୃତ ଟୋଲ,(ସ୍କୁଲ) ପ୍ରତିଷ୍ଠା କରିବା ସହ ବିଭିନ୍ନ ହାଇସ୍କୁଲରେ ବାଳ ବୋଧ, ପ୍ରବେଶିକା ଇତ୍ୟାଦି ସଂସ୍କୃତ ପରୀକ୍ଷା, ସଂସ୍କୃତ ପରିଷଦ ଦ୍ଵାରା କରିଛନ୍ତି। ଜଣେ ସରଳ, ଶାନ୍ତ ଓ ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଭାବରେ ସେ ପରିଚିତ। ବଲାଙ୍ଗୀରର ବିଦ୍ୟାଭୂଷଣ ସଂସ୍କୃତ ମହାବିଦ୍ୟାଳୟରୁ ଅଧ୍ୟାପକ ଭାବରେ ଅବସର ନେବା ପରେ ନିଜ ଉଦ୍ୟମରେ ବଲାଙ୍ଗୀରରେ ଗୋଟିଏ ସଂସ୍କୃତ ପିଜି ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ସେଥିରୁ ଛାତ୍ର, ଛାତ୍ରୀମାନେ ଆଜି ବିଭିନ୍ନ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଶିକ୍ଷା ପ୍ରଦାନ କରୁଛନ୍ତି।
ଆଜିର ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମରେ ବଲାଙ୍ଗୀରର ବିଶିଷ୍ଟ ବିଜେପି ନେତା ଗୋପାଳ ଜି ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶ୍ରୀ ଗୁରୁଙ୍କ ସ୍ମୃତି ଚାରଣ କରିଥିଲେ । ମୁଖ୍ୟବକ୍ତା ଭାବରେ ବଲାଙ୍ଗୀର ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ର ଯୋଗ ଦେଇଥିଲେ । ବମ୍ବେରେ ଚଳଚ୍ଚିତ୍ର ନିର୍ମାତା ଭାବେ କାର୍ଯ୍ୟରତ ତାଙ୍କ ବଡ ପୁଅ ଘଣ୍ଟେଶ୍ୱର ଗୁରୁ ସଭା ପରିଚାଳନା କରିଥିଲେ। ଅତିଥିମାନଙ୍କ ଦ୍ଵାରା ପ୍ରତିମୂର୍ତ୍ତି ଅନାବରଣ ହେବା ପରେ ବକ୍ତାମାନେ ଶ୍ରୀ ଗୁରୁଙ୍କ ସ୍ମୃତିଚାରଣ କରିଥିଲେ।
କାର୍ଯ୍ୟକ୍ରମରେ ବଲାଙ୍ଗୀର ବ୍ରାହ୍ମଣ ମହାସଭାର ଏବଂ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବିଶିଷ୍ଟ ବ୍ୟକ୍ତିମାନେ ତଥା ପରିବାରର ସଦସ୍ୟମାନେ ଏବଂ ସିଂହାଣୀମୁଣ୍ଡାର ଅନେକ ଲୋକ ଯୋଗ ଦେଇଥିଲେ । ଶେଷରେ ତାଙ୍କ ସାନ ପୁଅ ବରିଷ୍ଠ ସାମ୍ବାଦିକ ହିମାଂଶୁ ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ।