ରାଜ୍ୟ

ପାର୍ବଣରେ ଖାଉଟିଙ୍କୁ ମହଙ୍ଗା ମାଡ଼, ବଢ଼ିଲା ଖାଇବା ତେଲ ଦର: ଜାଣନ୍ତୁ ଲିଟର୍‌ ପିଛା କେତେ

ଭୁବନେଶ୍ୱର: ଦୁଇମାସ ତଳେ ରାଜ୍ୟରେ ଆଳୁ ଦର ହୁହୁ ହୋଇ ବଢ଼ିଥିଲା। ସେଥିରୁ ସାମାନ୍ୟ ଆଶ୍ଵସ୍ତି ପାଇଲା ପରେ ଏବେ ବଢିଲା ଖାଇବା ତେଲ ଦର। ଦେଶରେ ଏବେ ଆରମ୍ଭ ହେଲାଣି ପାର୍ବଣ। ଲୋକଙ୍କ ଭିତରେ ବିଭିନ୍ନ ସାମଗ୍ରୀର ଚାହିଦା ବୃଦ୍ଧି ପାଇଛି। ଏହାରି ଭିତରେ ତେଲ ଦର ବୃଦ୍ଧି ହେବା ପରେ ଖାଉଟିଙ୍କୁ ମହଙ୍ଗା ମାଡ ହୋଇଛି। କେନ୍ଦ୍ର ସରକାର ପାମୋଲିନ, ସୂର୍ଯ୍ୟମୁଖୀ ଏବଂ ସୋୟାବିନ ତେଲ ଉପରେ ଆମଦାନି ଶୁଳ୍କ ବଢ଼ାଇ ଗ୍ରାହକଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ଲଦି ଦେଇଛନ୍ତି।

ଆମଦାନି ଶୁଳ୍କ ବୃଦ୍ଧିର ପ୍ରଭାବ ସାଧାରଣ ଖାଉଟିଙ୍କ ଉପରେ ସିଧାସଳଖ ପଡ଼ିଛି। ଶୁଳ୍କ ବୃଦ୍ଧି ଫଳରେ ଭୁବନେଶ୍ବରର ଖୁଚୁରା ବଜାରରେ ବିଭିନ୍ନ ପ୍ରକାର ଖାଇବା ତେଲ ଦରରେ ୨୦ ଟଙ୍କା ବୃଦ୍ଧି ଘଟିଛି। ଦିନକ ତଳେ ସୋରିଷ ତେଲ ଦର ଲିଟର ପିଛା ୧୪୦ ଟଙ୍କା ଥିବାବେଳେ ଆଜି ଏହା ୧୬୦ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ବିଭିନ୍ନ ପ୍ରକାର ରିଫାଇନ ତେଲ ପୂର୍ବରୁ ଲିଟର ପିଛା ୧୦୮ ଟଙ୍କାରେ ବିକ୍ରି ହେଉଥିବାବେଳେ ଆଜି ବିଭିନ୍ନ ସ୍ଥାନରେ ୧୨୦ରୁ ୧୩୦ ଟଙ୍କା ଭଳି ଉଚ୍ଚଦାମ୍‌ରେ ବିକ୍ରି ହେଉଛି।

କେନ୍ଦ୍ର ସରକାର ୧୩ ତାରିଖରେ ପାମୋଲିନ, ସୋୟାବିନ ଏବଂ ସୂର୍ଯ୍ୟମୁଖୀ ତେଲ ଉପରେ ୨୦ ପ୍ରତିଶତ ମୂଳ ଆମଦାନି ଶୁଳ୍କ ଲଗାଇବା ସହିତ ତାହାକୁ ୧୪ ତାରିଖରୁ ଲାଗୁ ନେଇ ନି‌ର୍ଦ୍ଦେଶନାମା ଜାରି କରିଥିଲେ। ଏହାଦ୍ବାରା ଅଶୋଧିତ ଖାଇବା ତେଲ ଉପରେ ପ୍ରଭାବୀ ଆମଦାନି ଟିକସ ୫.୫ ପ୍ରତିଶତ ପରିବର୍ତ୍ତେ ୨୭.୫ ପ୍ରତିଶତକୁ ବଢ଼ିଯାଇଛି। ସେହିଭଳି ରିଫାଇନ୍‌ ଖାଇବା ତେଲର ପ୍ରଭାବୀ ଆମଦାନି ଶୁଳ୍କ ୧୩.୭୫ ପ୍ରତିଶତ ପରିବର୍ତ୍ତେ ୩୫.୭୫ ପ୍ରତିଶତକୁ ବଢ଼ିଯାଇଛି। ସୂଚନା ଥାଉକି ଦେଶରେ ତୈଳବୀଜ ଚାଷୀଙ୍କୁ ଲାଭ ପହଞ୍ଚାଇବା ପାଇଁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button