ରାଜ୍ୟ

କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ସାଲେପୁର, ୧୨/୦୯ : କେନାଲରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର। ଗୁରୁବାର ସକାଳେ ନିଶ୍ଚିନ୍ତକୋଇଲି ବଜାର ନିକଟ ୮ ନମ୍ବର କେନାଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ କିଶୋନଗର ଥାନା ମୁଗୁରିଆ ଗ୍ରାମର ବିଶ୍ୱଜିତ ମହାନ୍ତି ବୋଲି ଜଣାପଡ଼ିଛି। ନିଶ୍ଚିନ୍ତକୋଇଲି ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

ବିଶ୍ଵଜିତଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସୂଚନାନୁଯାୟୀ, କିଶୋନଗର ଥାନା ମୁଗୁରିଆ ଗ୍ରାମର ବିଶ୍ୱଜିତ ମହାନ୍ତି ସାଲେପୁର ଥାନା ଅନ୍ତର୍ଗତ ଶିଶୁଆ ଠାରେ ଥିବା ଏକ ଘରେଇ କମ୍ପାନୀରେ ପ୍ରାୟ ୪ ବର୍ଷ ହେବ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। କୌଣସି କାରଣରୁ ଉକ୍ତ କମ୍ପାନୀର ମାଲିକ ମ୍ୟାନେଜର ଓ ସୁପରଭାଇଜର ବିଶ୍ଵଜିତକୁ ମାରଧର କରିବା ସହ ତାଙ୍କ ନିକଟରେ ଥିବା ଟଙ୍କା ସୁନା ଚେନ ଓ ଏଟିଏମ କାର୍ଡକୁ ଛଡ଼ାଇ ନେଇଥିଲେ। ଏହା ସହ ତାକୁ ଜୀବନରୁ ମାରି ଦେବାକୁ ଧମକ ଦେଉଥିବା ବିଶ୍ଵଜିତ ଫୋନ ଯୋଗେ ବାପାଙ୍କୁ ଜଣାଇଥିଲେ। ଏହା ପରଠାରୁ ବିଶ୍ଵଜିତଙ୍କ ଫୋନ ସୁଇଚ୍ ଅଫ୍ ଥିଲା। ତାଙ୍କ ସହ ଯୋଗାଯୋଗ କରାଯାଇପାରି ନଥିଲା। ଏନେଇ ବିଶ୍ଵଜିତଙ୍କ ବାପା ବୁଧବାର ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ଆଜି ସକାଳୁ ନିଶ୍ଚିନ୍ତକୋଇଲି ବଜାର ନିକଟ ୮ ନମ୍ବର କେନାଲରୁ ବିଶ୍ଵଜିତଙ୍କ ମୃତଦେହ ଉଦ୍ଧାର ହୋଇଛି।

ବିଶ୍ଵଜିତକୁ ତାର ମାଲିକ, କମ୍ପାନୀର ମ୍ୟାନେଜର ଓ ସୁପରଭାଇଜର ହତ୍ୟାକରି କେନାଲରେ ଭସାଇ ଦେଇଥିବା ମୃତକଙ୍କ ବାପା ଗୁରୁଚରଣ ମହାନ୍ତି ଅଭିଯୋଗ କରିଛନ୍ତି। ଅପରପକ୍ଷରେ ସାଲେପୁର ଥାନାରେ ଏନେଇ ଅଭିଯୋଗ ହୋଇଥିବା ବେଳେ ପୋଲିସ ଘଟଣାକୁ ଗୁରୁତ୍ଵ ନଦେବାରୁ ଏଭଳି ଘଟିଥିବା ଅଭିଯୋଗ ହୋଇଛି। ବିଶ୍ଵଜିତଙ୍କ ଗ୍ରାମର ଶତାଧିକ ଗ୍ରାମବାସୀ ନ୍ୟାୟ ଦାବିରେ ଥାନା ସମ୍ମୁଖରେ ପ୍ରତିବାଦ କରିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button