ଗଣେଶ ପୂଜା ଅବସରରେ ଡିୱାଇ ଚନ୍ଦ୍ରଚୂଡଙ୍କ ଘରେ ପୂଜାର୍ଚ୍ଚନା କଲେ ମୋଦି
ନୂଆଦିଲ୍ଲୀ,୧୨/୦୯:ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଘରେ ଗଣେଶ ପୂଜା ଅବସରରେ ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ବିରୋଧୀ । ଶିବସେନା (ୟୁବିଟି) ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ, ସମ୍ବିଧାନର ଜଣେ ରକ୍ଷକ ରାଜନେତାଙ୍କୁ ଭେଟିବା ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିପାରେ।
ଏଥିସହ ସେ ଏକାଧିକ ମାମଲା ଉପରେ ସୁପ୍ରିମକୋର୍ଟର ରାୟ ଏବଂ ବିଚାର ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି କରିଛନ୍ତି।
ତେବେ ଇଭିଏମ୍କୁ କ୍ଲିନ୍ ଚିଟ୍ ମିଳିବା, ମହାରାଷ୍ଟ୍ରରେ ଚାଲିଥିବା ସମ୍ବିଧାନ ବିରୋଧୀ ସରକାରଙ୍କ ଶୁଣାଣି ୩ ବର୍ଷ ହେଲା ତାରିଖ ପରେ ତାରିଖ ମିଳିବା, ପଶ୍ଚିମବଙ୍ଗ ଦୁଷ୍କର୍ମ ମାମଲାରେ ନିଜ ଆଡ଼ୁ ହସ୍ତକ୍ଷେପ କରିବା କିନ୍ତୁ ମହାରାଷ୍ଟ୍ର ଦୁଷ୍କର୍ମ ମାମଲାରେ କୌଣସି ପ୍ରତିକ୍ରିୟା ନ ରଖିବା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନର ତାରିଖ ପରେ ତାରିଖ ଘୁଞ୍ଚିବା,ଏସବୁ କାହିଁକି ଘଟୁଛି ବୁଝିଯାନ୍ତୁ ବୋଲି କହିଛନ୍ତି। ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଘରେ ପୂଜାର୍ଚ୍ଚନା କରିବା ସମୟର ଫଟୋ ଶେଆର କରି ଏପରି କହିଛନ୍ତି। ଏଥିସହ ପ୍ରଧାନ ବିଚାରପତି ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଦଳକୁ ବାଚସ୍ପତି ପ୍ରକୃତ ଶିବସେନା ଭାବରେ ଦେଇଥିବା ମାନ୍ୟତା ମାମଲାରୁ ନିଜ ଆଡ଼ୁ ଦୂରେଇ ରୁହନ୍ତୁ ବୋଲି ସେ ଆହ୍ୱାନ କରିଛନ୍ତି। ସେପଟେ ବିଜେପି ବିରୋଧୀଙ୍କ କଥାକୁ ଖଣ୍ଡନ କରି ପ୍ରଧାନମନ୍ତ୍ରୀଙ୍କ ଗସ୍ତ କେବଳ ଗଣେଶ ପୂଜା ଉତ୍ସବରେ ସୀମିତ ଥିଲା ବୋଲି କହିଛି।