ନିୟନ୍ତ୍ରଣ ବାହାରେ ମହିଳାବିରୋଧୀ ହିଂସା; ମୁହଁ ଖୋଲୁନି ପୁଲିସ, ସରକାର ନିଦାବିଷ୍ଣୁ
ଭୁବନେଶ୍ୱର : ଗତ କିଛିଦିନ ହେଲା ସାରା ରାଜ୍ୟରେ ସୃଷ୍ଟି ହୋଇଛି ଅରାଜକତା। ମହିଳା ବିରୋଧୀ ହିଂସା ସୀମା ଅତିକ୍ରମ କରିଛି। ସବୁଦିନ କେଉଁଠି ନା କେଉଁଠି ଦୁଷ୍କର୍ମ, ଯୌନ ଶୋଷଣ ଅଭିଯୋଗ ମିଳିବାରେ ଲାଗିଛି। ଗତ କିଛି ଦିନ ମଧ୍ୟରେ ସମ୍ବଲପୁର ଜିଲ୍ଲାର ନାକଟିଦେଉଳ ଗଣଦୁଷ୍କର୍ମ, ବାଲେଶ୍ୱର ଜିଲ୍ଲାର ରେମୁଣାରେ ଆଦିବାସୀ ବାଳିକାକୁ ଦୁଷ୍କର୍ମ, କେନ୍ଦୁଝର ଜିଲ୍ଲାର ପାଟଣା ଥାନା ଅଞ୍ଚଳରେ ୯ ବର୍ଷର ବାଳିକାକୁ ଦୁଷ୍କର୍ମ, ରାଜଧାନୀର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଆଉ ଜଣ ନାବାଳିକା ଦୁଷ୍କର୍ମର ଶିକାର ଘଟଣା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି।
ଏହି ସମୟରେ ଭାଇରାଲ ହେଉଥିବା ଏକ ଭୟଙ୍କର ଯୌନ ଶୋଷଣ ଘଟଣା ଓ େଢଙ୍କାନାଳରେ ଜଣେ ମାନସିକ ଭିନ୍ନକ୍ଷମଙ୍କ ଝିଅକୁ ଗଣଦୁଷ୍କର୍ମ ଖବର ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଆଙ୍କିଛି ପ୍ରଶ୍ନଚିହ୍ନ। ତେବେ ସବୁଠାରୁ ବିଡ଼ମ୍ବନା ହେଉଛି ଯେ ଏହି ସବୁ ଘଟଣା ସମ୍ପର୍କରେ ସରକାରଙ୍କ ରହସ୍ୟମୟ ନିରବତା ।
ଅତ୍ୟନ୍ତ ସ୍ପର୍ଶକାତର ନାକଟିଦେଉଳ ଗଣବଳାକ୍ରାର ଓ ରେମୁଣାରେ ଆଦିବାସୀ ବାଳିକା ଦୁଷ୍କର୍ମ ଘଟଣା ସମ୍ପର୍କରେ ସରକାରଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ବା ଟିପ୍ପଣୀ ଦିଆଯାଇ ନାହିଁ। ଏହି ସ୍ଥିତିରେ ଜଣେ ଯୁବତୀଙ୍କୁ ଜଙ୍ଗଲରେ ବିବସ୍ତ୍ର କରି କିଛି ଯୁବକ ଯୌନ ନିର୍ଯାତନା ଦେଉଥିବା ଭିଡ଼ିଓ ଭାଇରାଲ ହେବା ପରେ ରାଜ୍ୟରେ ନାରୀମାନଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ଏହି ଭିଡ଼ିଓକୁ ନାକଟିଦେଉଳ ଗଣବଳାତ୍କାର ସହ କେହି କେହି ଯୋଡ଼ୁଥିଲେ ହେଁ ସମ୍ବଲପୁର ପୁଲିସ କର୍ତ୍ତୃପକ୍ଷ ଏହାକୁ ବାଏଁବାଏଁ ଉଡ଼ାଇ ଦେଇଛନ୍ତି। ଏହା ଅନ୍ୟ ଅଞ୍ଚଳର ଘଟଣା ବୋଲି ଉଲ୍ଲେଖ କରି ସମ୍ବଲପୁର ଏସ୍ପି ହାତ ଝାଡ଼ି ଦେଇଛନ୍ତି। ମାତ୍ର ଯେପରି ଜଣେ ଏକାକୀ ଯୁବତୀକୁ ବିବସ୍ତ୍ର କରି କିଛି ଯୁବକ ତାଙ୍କର ଉଲଗ୍ନ ଭିଡ଼ିଓ କରୁଛନ୍ତି ତାହା କୌଣସି ସଭ୍ୟ ସମାଜ ଗ୍ରହଣ କରିପାରିବ ନାହିଁ । ଏହି ଯୁବକମାନେ କିଏ ଓ ଘଟଣାଟି କେଉଁ ଅଞ୍ଚଳର ତାହା ରାଜ୍ୟ ସରକାର ସ୍ପଷ୍ଟ କରିନାହାନ୍ତି। ରାଜ୍ୟ ପୁଲିସ ମୁଖିଆ ମଧ୍ୟ ଏ ସମ୍ପର୍କରେ କୌଣସି ସ୍ପଷ୍ଟୀକରଣ ଦେଇ ନାହାନ୍ତି। ରାଜ୍ୟରେ ଯେଉଁ ସ୍ଥାନରେ ହେଉ ପଛେ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି। ଠିକ୍ ଏହି ସମୟରେ ଢେ଼ଙ୍କାନାଳରେ ହୋଇଥିବା ଗଣ ଦୁଷ୍କର୍ମ ଅଭିଯୋଗକୁ କୌଣସି ସଭ୍ୟ ସମାଜ ଗ୍ରହଣ କରିପାରିବ ନାହିଁ। ଅଙ୍ଗନବାଡ଼ି କେନ୍ଦ୍ରରେ ଆଶ୍ରା ନେଇଥିବା ଜଣେ ମାନସିକ ଭିନ୍ନକ୍ଷମଙ୍କ ଝିଅକୁ କିଛି ଯୁବକ ନିୟମିତ ଦୁଷ୍କର୍ମ କରିବା ଓ ପରବର୍ତ୍ତୀ ସମୟରେ ସେ ଗର୍ଭବତୀ ହେବା ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଅଭିଯୋଗ ପରେ ପୁଲିସ ୪ ଜଣଙ୍କୁ ଅଟକ ରଖିଛି, ମାତ୍ର ଏହି ଘଟଣାରେ ଫେରାର ଥିବା ଆଉ ୩ ଜଣ ଏବେ ବି ପୁଲିସ ଧରାଛୁଆଁ ବାହାରେ ।
ଅଭିଯୋଗ ଅନୁସାରେ ପୀଡ଼ିତା ଯୁବତୀଙ୍କ ବାପା ଘରଜ୍ୱାଇଁ ଭାବରେ ଶଶୁର ଘରେ ରହିଆସୁଥିଲେ। ମାତ୍ର ଯୁବତୀଙ୍କ ମା’ଙ୍କ ମୃତ୍ୟୁ ପରେ ବିଭିନ୍ନ କାରଣକୁ ସମ୍ପର୍କୀୟମାନେ ତାଙ୍କ ଜମିବାଡ଼ି ଛଡ଼ାଇନେଇ ଏକଘରିକିଆ କରିଦେଇଥିଲେ। ଏହି ଘଟଣା ପରେ ଯୁବତୀଙ୍କ ବାପା ମାନସିକ ବିକାରଗ୍ରସ୍ତ ହୋଇ କିଛିବର୍ଷ ହେଲା ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରରେ ଝିଅ ସହ ରହୁଥିଲେ। ବାପା ମାନସିକ ଅସୁସ୍ଥତାର ସୁଯୋଗ ନେଇ ଉକ୍ତ ଗ୍ରାମର କିଛି ଯୁବକ ସମ୍ପୃକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ ଓ ଏଥିରେ ଯୁବତୀଜଣକ ଗର୍ଭବତୀ ହୋଇଥିଲେ। ଏ ସମ୍ପର୍କରେ ଗତ କିଛିଦିନ ହେଲା ଯୁବତୀଜଣକ ଅଭିଯୋଗ କରି ଆସୁଥିଲେ ମଧ୍ୟ ତାଙ୍କୁ ପାଗଳି ବୋଲି ଅଭିହିତ କରି ଘଟଣାକୁ ଏଡ଼ାଇ ଯିବାକୁ ଉଦ୍ୟମ କରାଯାଇଥିଲା। ମାତ୍ର କୌଣସି ସୂତ୍ରରୁ ଖବର ପାଇ ସ୍ଥାନୀୟ ସଖୀ କେନ୍ଦ୍ର ପକ୍ଷରୁ ଗର୍ଭବତୀ ଯୁବତୀଙ୍କୁ ଉଦ୍ଧାର କରାଯାଇ ଡାକ୍ତରୀମାଇନା କରାଯାଇଛି। ସଦର ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ କରୁଥିବା ସୂଚନା ମିଳିଛି ।