ରାଜ୍ୟ

ହାତୀଙ୍କୁ କାଳ ‘ହର୍‌ପିସ୍‌’ : ୪ ବର୍ଷରେ ନେଲାଣି ୧୩ ହାତୀଙ୍କ ପ୍ରାଣ, ଗୋଠଛଡ଼ା ଛୁଆଙ୍କୁ ବେଶି ବିପଦ

ଭୁବନେଶ୍ୱର : ରାଜ୍ୟରେ ହାତୀଙ୍କ ପାଇଁ ବଢ଼଼ୁଛି ହରପିସ୍‌ ଭୂତାଣୁ ସଂକ୍ରମଣ ଭୟ। ନିକଟରେ ହର୍‌ପିସ୍‌ ଯୋଗୁଁଁ କୁମାରଖୁଣ୍ଟି ହାତୀ ପ୍ରଶିକ୍ଷଣ କେନ୍ଦ୍ର‌ରେ ଥିବା ଛୁଆ ହାତୀ ‘ମାମା’ର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ହାତୀ ଏହି ଭୂତାଣୁ‌ରେ ବର୍ତ୍ତମାନ ସଂକ୍ରମିତ ଥିବା ଜଣାଯାଇଛି। ଏହି ହାତୀମାନଙ୍କର ବର୍ତ୍ତମାନ ଚିକିତ୍ସା ଜାରି ରହିଛି।

ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ନିୟମିତ ଯାଞ୍ଚ କରାଯାଉଛି। ତେବେ ଏହି ଭୂତାଣୁ ଗୋଟିଏ ହାତୀ ପାଖରୁ ଅନ୍ୟକୁ ସହଜରେ ଓ ଖୁବ୍‌ଶୀଘ୍ର ବ୍ୟାପୁଥିବାରୁ ପ୍ରାଣୀ ଚିକିତ୍ସକ ଓ ବନ ବିଭାଗର ଚିନ୍ତା ବଢ଼ିଛି। ଗୋଟିଏ ସ୍ଥାନରେ ଆବଦ୍ଧ ହୋଇ ଅର୍ଥାତ୍‌ ଦଳବଦ୍ଧ ହୋଇ ରହୁଥିବା ହାତୀଙ୍କ କ୍ଷେତ୍ରରେ ଭୂତାଣୁ ସଂକ୍ରମଣ ଭୟ ଅଧିକ ରହୁଥିବାରୁ ନନ୍ଦନକାନନ ଏବଂ ଗୋଡ଼ିବାରି ଓ ଶିମିଳିପାଳ ହାତୀ ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକ ଭଳି ସ୍ଥାନଗୁଡ଼ିକରେ ବିପଦ ବୃଦ୍ଧି ପାଇଛି।

ଏହି ହରପିସ୍‌ ଭୂତାଣୁ କେତେ ମାରାତ୍ମକ, ତାହା ଗତ ୪ ବର୍ଷର ତଥ୍ୟରୁ ସ୍ପଷ୍ଟ ହେଉଛି। ରାଜ୍ୟ ବନ ବିଭାଗର ତଥ୍ୟ ଅନୁଯାୟୀ, ୨୦୧୯-୨୦ରୁ ୨୦୨୨-୨୩ ବର୍ଷ ମଧ୍ୟରେ ହରପିସ୍‌ରେ ୧୧ଟି ହାତୀଙ୍କ ଜୀବନ ଯାଇଛି। କିନ୍ତୁ ବେସରକାରୀ ସଂଖ୍ୟା ହିସାବରେ ଏହା ୧୩ ବୋଲି କୁହାଯାଉଛି। ୨୦୧୯ ମସିହାରେ ମାତ୍ର ମାସକ ମଧ୍ୟରେ ହରପିସ୍‌ ଯୋଗୁଁ ହାତୀ ଚନ୍ଦନ, କମଳା, ଜୁଲି ଓ ଗୌରୀର ମୃତ୍ୟୁ ହୋଇଥିଲା। ସେତେବେଳେ ଏହା ନନ୍ଦନକାନନରେ ହାତୀବଂଶ ପ୍ରତି ଏକ ବଡ଼ ବିପଦ ସୃଷ୍ଟି କରିଥିଲା। ଖାଲି ନନ୍ଦନାକନନ ନୁହେଁ, ସେହି ମାସରେ ବାଆଁରା ଜଙ୍ଗଲ ନିକଟରେ ହରପିସ୍‌ ଯୋଗୁଁ ଗୋଟିଏ ଦନ୍ତାହାତୀର ମଧ୍ୟ ମୃତ୍ୟୁ ହୋଇଥିଲା। ସେହିପରି ୨୦୨୦-୨୧ ଓ ୨୧-୨୨ରେ ୪ଟି ଲେଖାଏଁ ହାତୀ ହର୍‌ପିସ୍‌ରେ ମରିଥିବା ବିଭାଗ ତଥ୍ୟରୁ ଜଣାପଡ଼ିଛି।

ପ୍ରାଣୀ ବିଶେଷଜ୍ଞଙ୍କ କହିବା କଥା, ହରପିସ୍‌ ଭୂତାଣୁ ଏକ ଡିଏନ୍‌ଏ ଭାଇରସ୍‌ ଜନିତ ରୋଗ। ମୁଖ୍ୟତଃ ଗୋଟିଏ ଜାଗାରେ ଆବଦ୍ଧ ହୋଇ ରହୁଥିବା ଯଥା ହାତୀ କ୍ୟାମ୍ପ, ଚିଡ଼ିଆଖାନା ଓ ହାତୀ ପ୍ରଶିକ୍ଷଣ କେନ୍ଦ୍ର ଆଦିରେ ରହୁଥିବା ହାତୀଙ୍କଠାରେ ଏହି ଭୂତାଣୁ ଅଧିକ ଦେଖାଯାଇଥାଏ। ସେହିପରି ଏହି ଭୂତାଣୁ ବିଶେଷକରି ୩-୧୦ ବର୍ଷର ହାତୀଙ୍କ ପାଇଁ ଅଧିକ ପ୍ରାଣଘାତୀ ସାଜିଥାଏ। ଆଉ ଏକ ଗୁରତ୍ୱପୂର୍ଣ୍ଣ କଥା ହେଲା, ଯେଉଁମାନେ ମା’ ହାତୀଠାରୁ ଆଲଗା ହୋଇ ଗୋଠଛଡ଼ା ହୋଇଥାନ୍ତି, ସେମାନେ ମା’ କ୍ଷୀର ପାଇବାରୁ ବଞ୍ଚିତ ରହିଥା’ନ୍ତି। ଏଥିପାଇଁ ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିର ମାତ୍ରା କମ୍‌ ରହିଥାଏ। ଯେତେବେଳେ ହାତୀଟି ଅନ୍ୟ କିଛି ରୋଗରେ ସାମାନ୍ୟ ଆକ୍ରାନ୍ତ ହେଲେ ମଧ୍ୟ ହର୍‌ପିସ୍‌ ଭୂତାଣୁର ପ୍ରାଦୁର୍ଭାବ ବଢ଼ିଥାଏ ଓ ଏହା ସେମାନଙ୍କର ଜୀବନହାନିର କାରଣ ହୋଇଥାଏ। ଏହି ଭୂତାଣୁ ଦ୍ୱାରା ହାତୀଟି ଆକ୍ରାନ୍ତ ହେଲେ ହାତୀର ମୁହଁ ଫୁଲିଯିବା ସହ ହାତୀର ବିଭିନ୍ନ ସ୍ଥାନରୁ ରକ୍ତସ୍ରାବ ହୋଇଥାଏ।

ଏହି ରୋଗର ପ୍ରତିକାର ସମ୍ପର୍କରେ ସୂଚନା ଦେଇ ଓୟୁଏଟିସ୍ଥିତ ‘ସେଣ୍ଟର୍‌ ଫର୍‌ ୱାଇଲ୍ଡ ଲାଇଫ୍‌’ର ମୁଖ୍ୟ ଇନ୍ଦ୍ରମଣି ନାଥ କହିଛନ୍ତି ଯେ ଯଦି କୌଣସି ସ୍ଥାନରେ ହର୍‌ପିସ୍‌ ଭୂତାଣୁ ଚିହ୍ନଟ ହୁଏ, ସେହି ସ୍ଥାନର ସ୍ୱଚ୍ଛତା ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ସେହିପରି ଆକ୍ରାନ୍ତ ହାତୀର ସଂଗରୋଧ ଉପରେ ମଧ୍ୟ ଧ୍ୟାନ ଦିଆଯିବା ଦରକାର। ଏହାବ୍ୟତୀତ ଆକ୍ରାନ୍ତ ହାତୀର ଦେଖାରେଖା କରୁଥିବା ମାହୁନ୍ତ ମଧ୍ୟ ଅନ୍ୟ ହାତୀଙ୍କ ସଂସ୍ପର୍ଶରେ ନ ଆସିବା ଉଚିତ। ଏହି ବ୍ୟବସ୍ଥା ସହ ହାତୀକୁ ଉଯୁକ୍ତ ଚିକିତ୍ସା ଯୋଗାଇ ଦେଲେ ହାତୀର ଜୀବନ ବଞ୍ଚାଇବାର ସମ୍ଭାବନା ରହିଥାଏ ବୋଲି ସେ କହିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button