ରାଜନୀତି

ବିଜେଡିରେ କମ୍ପନ: ନେତାଏ ଅନିଶ୍ଚିତ; ଦଳ ରହିବ ନା.

ଭୁବନେଶ୍ୱର ୦୮/୦୯: ଦେଢ଼ ମାସ ଭିତରେ ଡବଲ୍ ଝଟ୍କାରେ ଥରିଯାଇଛି ବିଜେଡି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭ କି ୧୦ ସେକଥା ଜଣାନାହିଁ । କିନ୍ତୁ ନବୀନ ନିବାସରୁ ଶଙ୍ଖ ଭବନ ଦେଇ ୧୪୭ ନିର୍ବାଚନମଣ୍ଡଳୀରେ ଦଳର ସଂଗଠନ ଓ ମନୋବଳକୁ ଦୋହଲାଇ ଦେଇଛି ।

ଭାଳେଣି ପଡ଼ିଲାଣି- ମମତା, ସୁଜିତଙ୍କ ପରେ ଆଉ କିଏ? ଦଳର ଭବିଷ୍ୟତ ନେଇ ଅନିଶ୍ଚିତତା ଓ ସନ୍ଦେହ ପଶିଗଲାଣି ନେତା ଓ କର୍ମୀଙ୍କ ଭିତରେ ।

ଅପରେସନ ଲୋଟସ୍ର ଭୟ ଏମିତି ଘାରିଲାଣି ଯେ, ବିଜେଡି ଦୁର୍ଗ ରହିବ ନା ଟଳି ପଡ଼ିବ, ସେ ନେଇ ଦ୍ୱନ୍ଦ୍ୱରେ ପଡ଼ିଗଲେଣି ନେତାଏ ।

ଜୁଲାଇ ୩୧ରେ ରାଜ୍ୟସଭା ପଦ ସହ ବିଜେଡିକୁ ବାଏ ବାଏ କରିଥିଲେ ମମତା ମହାନ୍ତ । ଏ ନେଇ ବିଜେଡି କିଛି ବି ସୁରାକ ପାଇନଥିଲା ଆଗୁଆ । ମମତା ବିଜେପିରେ ମିଶି ପୁଣି ସେଇ ରାଜ୍ୟସଭା ଆସନକୁ ଫେରିଲେ । ମମତାଙ୍କ ବାଟକୁ ଅନୁସରଣ କରି କାଲି ସୁଜିତ କୁମାର ବି ପଦ୍ମ ଦଳକୁ ଡେଇଁ ପଡ଼ିଛନ୍ତି ।

ଏକଥା ନୁହେଁ ଯେ ସୁଜିତଙ୍କୁ ନେଇ ଦଳ ପାଖରେ କିଛି ଆଗୁଆ ସୂଚନା ନଥିଲା । ସୁଜିତଙ୍କ ହାବଭାବ, କଥା କିଛି ଦିନ ହେବ ବଦଳି ଯାଇଥିଲା । କେନ୍ଦ୍ରର ପ୍ରଶଂସା ବି ତାଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା । ଚର୍ଚ୍ଚା ଚାଲିଥିଲା, ବିଜେଡି ଛାଡ଼ି ସୁଜିତ ବି ଯିବେ । ତଥାପି ବିଜେଡି ତାଙ୍କୁ ରୋକିପାରିଲାନି ।

ବିଜେଡିର ଭବିଷ୍ୟତ ନେଇ ସମସ୍ତେ ଆଶଙ୍କାରେ । ଦଳର କାର୍ଯ୍ୟକଳାପ ଏକପ୍ରକାର ଶୂନ । ଦିଶାହୀନ ଅବସ୍ଥାରେ ସମସ୍ତେ । ଦଳ କେମିତି ଚାଲିବ? କିଏ ଚଳାଇବ? କେହି କିଛି ବୁଝିପାରୁନାହାନ୍ତି । ସମସ୍ତଙ୍କ ମନରେ ସମାନ ପ୍ରଶ୍ନ- ନିର୍ବାଚନ ହାରିବାର ୩ ମାସ ନ ପୁରୁଣୁ ଦଳର ସ୍ଥିତି ଯଦି ଏମିତି, ଆଗକୁ ଦଳ କେମିତି ରହିବ? ରହିବା ନା ଖଣ୍ଡ ବିଖଣ୍ଡିତ ହୋଇଯିବ ବିଜୁ ଜନତା ଦଳ । ବରିଷ୍ଠ ନେତାଙ୍କ କହିବାନୁସାରେ ଦଳ କ୍ଷମତାରୁ ବିଦା ପରେ ଗୋଟିଏ ଗୋଷ୍ଠୀ ପୂରା ନୀରବ ପଡ଼ି ଯାଇଛନ୍ତି । ଯେଉଁମାନେ ନିର୍ବାଚନ ପର୍ଯ୍ୟନ୍ତ ପୂରା ଦଳ ଓ ସରକାରକୁ ମ୍ୟାନେଜ କରୁଥିଲେ, ସେମାନେ ଆଉ ସାମ୍ନାକୁ ଆସୁନାହାନ୍ତି । ଏବେ ଦଳକୁ କିଏ ଚଳାଉଛି, ତାହା ବି ଜଣାପଡ଼ୁନି । ଏଭଳି ଅନିଶ୍ଚିତତା ଦେଖି ବରିଷ୍ଠ ନେତାମାନେ ବି ହାତ ବାନ୍ଧି ବସିବାକୁ ବାଧ୍ୟ । କେହି କିଛି ଜାଣିପାରୁନାହାନ୍ତି? କାହାକୁ ଭେଟି ମନର ବେଦନା ଜଣାଇବେ? କାହା ନିର୍ଦ୍ଦେଶକୁ ନେତା ମାନିବେ ଓ ଶୁଣିବେ?

ବରିଷ୍ଠ ନେତାଙ୍କ ମତରେ କ୍ଷମତାରୁ ଯିବା ପରେ ବି ଦଳ ପାଖରେ ୫୧ ବିଧାୟକ ଅଛନ୍ତି । ବିଜେଡି ଶକ୍ତିଶାଳୀ ଓ ସକ୍ରିୟ ବିରୋଧୀ ଦଳ ଭୂମିକା ନେଲେ ସରକାର ଡରିବେ । ମାତ୍ର ବିଜେଡି ନିଜେ ଡରିଗଲା ଭଳି ଚୁପ୍ ହୋଇ ବସିଛି । ଶଙ୍ଖ ଭବନରେ କିଛି କାର୍ଯ୍ୟକ୍ରମ, ସାମ୍ବାଦିକ ସମ୍ମିଳନୀରେ ଦଳ ସୀମିତ ରହିଛି ।

ଦଳର ସଭାପତି ନବୀନ ପଟ୍ଟନାୟକ ବି ସେଭଳି ସକ୍ରିୟତା ଦେଖାଉନାହାନ୍ତି । ବିଧାନସଭା କାଁ ଭାଁ ଯାଉଛନ୍ତି । ଶଙ୍ଖ ଭବନ ଛାଡ଼ିଲେ, ଏଯାଏଁ ଭୁବନେଶ୍ୱର ବାହାରକୁ କୁଆଡ଼େ ଯାଇନାହାନ୍ତି ନବୀନ । ନୂଆ ସରକାରଙ୍କୁ ଅଡ଼ୁଆରେ ପକାଇବାକୁ ମାଳମାଳ ପ୍ରସଙ୍ଗ ଅଛି । ମାତ୍ର ବିଜେଡି ବୟାନବାଜିଠାରୁ ଆଗକୁ ଯାଇପାରୁନି ।

ଖୋର୍ଦ୍ଧାରେ ଦିନ ଦି’ପହରେ ହତ୍ୟାକାଣ୍ଡ ପରେ ଯେଉଁଭଳି ଉତ୍ତେଜନା ପ୍ରକାଶ ପାଇଲା, ସେ ଘଟଣାରେ ଦଳର ମୁଖିଆ କେବଳ ଦି ପଦ ବୟାନ ଦେଇ ବସିଗଲେ । ବରିଷ୍ଠ ନେତା ବି ଘଟଣାସ୍ଥଳ କିମ୍ବା ପ୍ରଭାବିତ ଅଞ୍ଚଳ ଗସ୍ତ କଲେନି ।

ଏଇ କିଛି ଦିନ ଭିତରେ ବାଲେଶ୍ୱରର ରେମୁଣା, କେନ୍ଦୁଝରର ପାଟଣା, ଭୁବନେଶ୍ୱର ଓ ସମ୍ବଲପୁରର ନାକଟିଦେଉଳରେ ଦୁଷ୍କର୍ମ ଘଟଣା ପରେ ବି ବିଜେଡି ବଡ଼ ଧରଣର ଆନ୍ଦୋଳନ ଛିଡ଼ା କରିପାରିଲାନି । ନବୀନ ବି ଥରୁଟିଏ ପୀଡ଼ିତାଙ୍କ ପରିବାର ପାଖରେ ପହଞ୍ଚିଲେନି ।

ଏବେ ନୂଆ ପ୍ରସଙ୍ଗ ଦଳକୁ ମିଳିଛି । ରେଭେନ୍ସା ପ୍ରସଙ୍ଗକୁ ବିଧାନସଭାରେ ଦଳ ଉଠାଉଛି ସତ, ମାତ୍ର ଏ ପ୍ରସଙ୍ଗକୁ ରାଜ୍ୟବ୍ୟାପୀ ଟାଣିପାରୁନି । ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ନେଇ ଛାତ୍ର ଆନ୍ଦୋଳନ ମୁଣ୍ଡ ଟେକିଥିବାବେଳେ ନବୀନ ନିଜେ ରେଭେନ୍ସା ଯାଇ ଛାତ୍ରଛାତ୍ରୀଙ୍କ ଗହଣରେ ପହଞ୍ଚି ପାରିଥାନ୍ତେ । ଏହା ବିଜେଡିକୁ ନୂଆ ବଳ ଦେଇଥାନ୍ତା, ଏ ପ୍ରସଙ୍ଗକୁ ବିଜେଡି ରାଜ୍ୟ ତମାମ ଟାଣିପାରିଥାନ୍ତା । ମାତ୍ର ସେଭଳି କିଛି ହୋଇନି ଏଯାଏଁ ।

ବିଧାନସଭାରେ ବି ଦଳର ବିଚିତ୍ର ସ୍ଥିତି । ଆକ୍ରମଣାତ୍ମକ ଅବତାର କମ୍ । ବିରୋଧୀ ଦଳ ଭାବେ ବିଜେଡି ନୂଆ ସରକାରଙ୍କୁ ଯେତିକି ଆକ୍ରମଣ କରିବା କଥା କରିପାରୁନି । ବିଜେଡି ନେତାଏ କମ୍ ସମାଲୋଚନା କରୁଛନ୍ତି, କହୁଛନ୍ତି, ବେଶି ଶୁଣୁଛନ୍ତି । କଥା କଥାକେ ଶାସକ ଦଳ ବିଧାୟକ ଓ ମନ୍ତ୍ରୀମାନେ ୨୪ ବର୍ଷର ଶାସନ କଥା ନେଇ ବିଜେଡିକୁ ପାଲଟା ଆକ୍ରମଣ କରୁଛନ୍ତି । ମାତ୍ର ବିରୋଧୀ ଦଳ ହୋଇ ବି ସେଭଳି ପ୍ରତିକ୍ରିୟା ଦେଖାଇପାରୁନି ବିଜେଡି । ବିଧାନସଭାରେ ବିଜେଡିର ବହୁ ବଡ଼ ନେତାଏ ଚୁପ୍ ବସୁଥିବା ଦେଖିବାକୁ ମିଳୁଛି ।

ବିରୋଧୀ ଦଳ ନେତା, ଉପନେତା ପ୍ରାୟତଃ ଆସୁନାହାନ୍ତି । ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଗଣେଶ୍ୱର ବେହେରା, ରୋମାଞ୍ଚ ବିଶ୍ୱାଳ, ଦେବୀ ରଞ୍ଜନ ତ୍ରିପାଠୀ ଓ ବ୍ୟୋମକେଶ ରାୟଙ୍କ ଭଳି କିଛି ହାତଗଣତି ନେତାଙ୍କୁ ଛାଡ଼ିଦେଲେ ଆଉ ବିଶେଷ କାହାରି ତଗଡ଼ା ସ୍ୱର ଶୁଭୁନି ବିଧାନସଭାରେ ।

ବହୁ ଥର ମନ୍ତ୍ରୀ ହୋଇଥିବା ବିଜେଡିର ବେଶ୍ ଟାଣୁଆ ବିଧାୟକ ବି ବିଧାନସଭାର ଚଳିତ ଅଧିବେଶନରେ ପ୍ରାୟତଃ ନୀରବ ରହୁଛନ୍ତି । କାଁ ଭାଁ ସ୍ୱର ଉଠାଉଛନ୍ତି, ହେଲେ ସ୍ୱରରେ ଟାଣପଣ କମ୍ ରହୁଛି । ଆଉ କିଛି ବିଧାୟକ ସରକାରଙ୍କୁ ନରମ ଆକ୍ରମଣ କରି କେବଳ ନିଜ ଜ୍ଞାନ ଗାରିମା ଦେଖାଉଛନ୍ତି । ଦଳର ଭିତର ମହଲ କହୁଛି, ଦଳରେ ରହି ମିଛ ଅଭିନୟ କରୁଥିବା ନେତା ଓ ବିଧାୟକଙ୍କ ବାବଦରେ ହାଇକମାଣ୍ଡ ବି ଜାଣି ସାରିଲେଣି । ମାତ୍ର ନାଲି ଆଖି ଦେଖାଇବା ସ୍ଥିତିରେ ଦଳ ଏବେ ନାହିଁ । ନାଲି ଆଖି ଦେଖାଇଲେ ବି ଆଉ କେହି ଡରିବା ସ୍ଥିତିରେ ନାହାନ୍ତି ।

ବରିଷ୍ଠ ନେତାଙ୍କ କହିବାନୁସାରେ ଦଳ ଯେମିତି ନିର୍ବାଚନ ପରାଜୟ ଭିତରୁ ବାହାରି ପାରୁନି । ଅଚଳାବସ୍ଥା ଭଳି ସ୍ଥିତି । ଏଭଳି ଦୁର୍ବଳତା ଯୋଗୁ ଅନେକ ନେତା ଭବିଷ୍ୟତ ନେଇ ଅନିଶ୍ଚିତତାରେ । ଏହି ଆଶଙ୍କା ଯୋଗୁ ଆଗକୁ ଆହୁରି ଅନେକ ନେତା ଭବିଷ୍ୟତ ସନ୍ଧାନରେ ଦଳ ଡେଇଁବାକୁ ପସନ୍ଦ କରିବେ ।

ଏପଟେ ସୂତ୍ର ଅନୁସାରେ ବିଜେଡିର ବହୁ ବଡ଼ ନେତା ଭିତରେ ଭିତରେ ଶାସକ ବିଜେପି ଦଳ ସହ ସୁସମ୍ପର୍କ ରକ୍ଷା କରିବାରେ ଲାଗି ପଡ଼ିଛନ୍ତି । ବାକି ୭ ରାଜ୍ୟସଭା ସାଂସଦ ଭିତରୁ ୨ଜଣ ଏବେ ସୁଦ୍ଧା ବିଜେପି ହାଇକମାଣ୍ଡଙ୍କ ସହ ଦିଲ୍ଲୀରେ ଭେଟ କରି ପୂରା ଯୋଜନା କରି ସାରିଲେଣି । ଯେବେ ଦିଲ୍ଲୀରୁ ସିଗନାଲ୍ ମିଳିବ, ଇସ୍ତଫା ପତ୍ର ସୋସିଆଲ୍ ମିଡିଆରେ ପୋଷ୍ଟ କରି ତତ୍କାଳ ପଦ୍ମ ଧରିବେ ।

ଏଭଳି ସ୍ଥିତିରେ ବିଜେପିର ରାଜ୍ୟସଭା ସାଂସଦ ମମତା କହିଛନ୍ତି, ବିଜେଡି ଭିତରେ ଅସନ୍ତୋଷ ପ୍ରବଳ ରହିଛି । ଦଳରେ ଚାଲିଥିବା ଏକଛତ୍ରବାଦ ଶାସନ ବିରୋଧରେ ବିଜେଡି ନେତା, କର୍ମୀ ଢେର ଦିନରୁ ଅସନ୍ତୁଷ୍ଟ ଅଛନ୍ତି । ଏଥିପାଇଁ ସେ ବିଜେଡି ଛାଡ଼ି ବିଜେପିକୁ ଆସିଥିଲେ । କାଲି ସୁଜିତ କୁମାର ଆସିଲେ । ଆଗକୁ ଆହୁରି ଅନେକ ଆସିପାରନ୍ତି ।

ଭୁବନେଶ୍ୱର ଏକାମ୍ରର ବିଜେପି ବିଧାୟକ ବାବୁ ସିଂ କହିଛନ୍ତି, ଜନପ୍ରତିନିଧି ଓ ନେତାଙ୍କୁ ବିଜେଡି ଆଉ ପଞ୍ଜୁରୀ ଭିତରେ ବାନ୍ଧି ରଖିପାରବନି । ଜନପ୍ରତିନିଧିମାନେ ସ୍ୱାଧୀନ ମତ ରଖିଥାନ୍ତି । ସେମାନଙ୍କୁ ଶୁଆ, ଶାରୀ କରି ପଞ୍ଜୁରୀରେ ବେଶି ଦିନ ରଖି ହେବନି । ବିଜେପିର ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହୁ କହୁ କହିଛନ୍ତି, ବିଜେଡିର ବହୁ ନେତା ବିଜେପି ଯୋଗାଯୋଗରେ ଅଛନ୍ତି । ଦେଖନ୍ତୁ, ଆଗକୁ କେତେ ବଡ଼ ବଡ଼ ନେତା ଆସିବେ । ବିଜେଡି ଦଳ ଏବେ ସଙ୍କଟରେ । ବିଜେଡି ଆଗକୁ ରହିବ କି ନାହିଁ, ଆଶଙ୍କା ଦେଖା ଦେଇଛି ।

ବିଜେପିର ଏଭଳି ଦାବିକୁ ଖଣ୍ଡନ କରିବାକୁ ବିଜେଡି ନେତାଏ ସାହସ ବି ଦେଖାଇ ପାରୁନାହାନ୍ତି । ସୁଜିତ କୁମାର ସାଂସଦ ପଦ ସହ ଦଳ ଛାଡ଼ି ଯିବା ପରେ ବି ବିଜେଡିର ଜଣେ ଦୁଇଜଣ ନେତାଙ୍କୁ ଛାଡ଼ିଦେଲେ, ବାକି ସବୁ ଚୁପ୍ ରହିଲେ । ଜଣେ ଦୁଇଜଣ ନେତା ଗଣମାଧ୍ୟମକୁ କହିଲେ, କିଛି ଫରକ ପଡ଼ିବନି । ଏମିତି ଯଦି ସାଂସଦମାନେ ଦଳ ଛାଡ଼ି ଚାଲିବେ, ଲୋକସଭା ଭଳି ରାଜ୍ୟସଭାରେ ଦଳ ସଫା ହୋଇଯାଇପାରେ । ଖାଲି ସେତିକି ନୁହେଁ, ରାଜ୍ୟସଭା ପରେ ଯଦି ବିଧାୟକମାନେ ଦଳ ଛାଡ଼ିବେ କ’ଣ ହେବ? ସ୍ଥିତି ନ ସୁଧୁରିଲେ ବିଧାନସଭାରେ ବିଜେଡି ୫୧ରୁ ଖସି କେତେବେଳେ ୧୧ ହୋଇଯିବନି ତ??? ଏମିତି ଆଶଙ୍କା ନେଇ ରାଜ୍ୟସ୍ତରରୁ ତୃଣମୂଳ ପର୍ଯ୍ୟନ୍ତ ଦଳୀୟ ନେତା ଓ କର୍ମୀ ଅନିଶ୍ଚିତତାରେ ।

ବିଜେଡିର ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ କହିଛନ୍ତି, କୌଣସି ନେତା ବ୍ୟକ୍ତିଗତ ଭାବେ ଦଳ ଛାଡ଼ିଲେ, କିଛି ଫରକ ପଡ଼ିନପାରେ । ମାତ୍ର ସାଂସଦ ଦଳ ଛାଡ଼ିଲେ ପ୍ରଭାବ ପଡ଼ିଥାଏ । ଆଗଧାଡ଼ିରେ ଥିବା ସାଂସଦ କାହିଁକି ଦଳ ଛାଡ଼ିଲେ, ସେ ନେଇ ସମୀକ୍ଷା କରିବାର ଆବଶ୍ୟକତା ରହିଛି । ଆଗକୁ ଆଉ କିଏ ଛାଡ଼ିବେ, ସେ ବାବଦରେ ତାଙ୍କ ପାଖରେ କିଛି ସୂଚନା ନଥିବା ସେ କହିଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button