ରାଜ୍ୟ

ରତ୍ନଭଣ୍ଡାର ପାଇଁ ତିଆରି ହେବ ହାଇସିକ୍ୟୁରିଟି ଭଲ୍‌ଟ

ଭୁବନେଶ୍ବର: ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଥିବା ଧନ ସମ୍ପତ୍ତିର ସୁରକ୍ଷା ଏକ ବଡ଼ ପ୍ରସଙ୍ଗ ହୋଇରହିଥିବା ବେଳେ ତାହାର ସ୍ଥାୟୀ ସମାଧାନ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ରତ୍ନଭଣ୍ଡାରର ଅଳଙ୍କାରଗୁଡ଼ିକର ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ଏକ ହାଇସିକ୍ୟୁରିଟି ଭଲ୍ଟ ତିଆରି କରାଯିବ। ଉଭୟ ବାହାର ଓ ଭିତର ଭଣ୍ଡାରରେ ଏହି ଭଲ୍ଟ ତିଆରି କରାଯିବ।

ସେଥିରେ ସିନ୍ଦୁକରେ ଥିବା ରତ୍ନଗୁଡ଼ିକୁ ରଖିବାର ବ୍ୟବସ୍ଥା କରାଯିବ। ଏହି ବ୍ୟବସ୍ଥା ଦ୍ବାରା ରତ୍ନଭଣ୍ଡାର ଚାବି ହଜିବା ଭଳି ସମସ୍ୟା ଆଉ ସାମ୍ନା କରିବାକୁ ପଡ଼ିବ ନାହିଁ। ଏହି ଭଲ୍ଟକୁ ଉଭୟ ଚାବି ଓ ଡିଜିଟାଲ୍ ମାଧ୍ୟମରେ ଖୋଲାଯାଇପାରିବ।

ରତ୍ନଭଣ୍ଡାର ଲାଗି ହାଇ ସିକ୍ୟୁରିଟି ଭଲ୍ଟ ତିଆରି କରିବାକୁ ଗୋଦରେଜ୍ ଗ୍ରୁପ୍ର ସୁରକ୍ଷା ସମାଧାନ ପ୍ରଦାନ କରୁଥିବା ସଂସ୍ଥା ଗୋଦରେଜ୍ ଆଣ୍ଡ ବଏସ୍ ଆଗେଇ ଆସିଛି। ଏନେଇ କମ୍ପାନି ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଏକ ପ୍ରସ୍ତାବ ମଧ୍ୟ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ତାହା ବିଚାରାଧୀନ ରହିଛି। ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ଏ ସମ୍ପର୍କରେ କମ୍ପାନିର କାର୍ଯ୍ୟନିର୍ବାହୀ ଉପସଭାପତି ତଥା ନିରାପତ୍ତା ସମାଧାନର ବ୍ୟବସାୟ ମୁଖ୍ୟ ପୁଷ୍କର ଗୋଖଲେ କହିଛନ୍ତି ଯେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ସୁରକ୍ଷା ଲାଗି ହାଇସିକ୍ୟୁରିଟି ଭଲ୍ଟ ତିଆରି କରିବାକୁ ଆମେ ପ୍ରସ୍ତୁତ। ଆମ ପାଖରେ ବହୁ ଅତ୍ୟାଧୁନିକ ନିରାପତ୍ତା ବ୍ୟବସ୍ଥା ରହିଛି। କର୍ତ୍ତୃପକ୍ଷ ଯେଉଁଭଳି ବ୍ୟବସ୍ଥା ଚାହିବେ ତାହା ଆମେ ବିକାଶ କରିପାରିବୁ। ଆମେ ସେଥିରେ ଡିଜିଟାଲ୍ ପ୍ରଯୁକ୍ତି ଉପଯୋଗ କରିପାରିବୁ ବୋଲି ସେ କହିଛନ୍ତି। କେବଳ ରତ୍ନଭଣ୍ଡାର ନୁହେଁ, ମନ୍ଦିରରେ ଥିବା ବିଭିନ୍ନ କବାଟ ଓ ଅନ୍ୟ ଭଣ୍ଡାରଗୁଡ଼ିକର ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଆମ ପାଖରେ ସମାଧାନ ରହିଛି ବୋଲି ସେ କହିଛନ୍ତି।

ରାଜ୍ୟର ସୁନା ଗହଣା ବ୍ୟବସାୟୀମାନଙ୍କ ଲାଗି ନିରାପତ୍ତା ସମାଧାନ ବିଷୟରେ ଘୋଷଣା କରିବା ଲାଗି ଶ୍ରୀ ଗୋଖ୍ଲେ ଭୁବନେଶ୍ବର ଆସିଛନ୍ତି। ଏହି ଅବସରରେ ସେ ବିଆଇଏସ୍ ମାନଦଣ୍ଡ ପୂରଣ କରୁଥିବା ନୂଆ ଡିଫେଣ୍ଡର ଅରୁମ୍ ପ୍ରୋ, ସୌରଶକ୍ତି ଚାଳିତ ସୁରକ୍ଷା କ୍ୟାମେରା ଏବଂ ଏଆଇ ପ୍ରଯୁକ୍ତିରେ ବିକାଶ କରାଯାଇଥିବା ଆକୁଗୋଲ୍ଡ ଫଗ୍ ବାରିୟରକୁ ଉନ୍ମୋଚନ କରିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button