ଶିକ୍ଷକରୁ ମୁଖ୍ୟମନ୍ତ୍ରୀ
ହିତାଂଶୁ ଶେଖର ମହାନ୍ତ୧୯୯୩ ମସିହାର କଥା। ସଦ୍ୟ କଲେଜରୁ ସ୍ନାତକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥାନ୍ତି ମୋହନ। ମନରେ ଅଦମ୍ୟ ଆଶା କିଛି ଗୋଟାଏ କରିବେ। ଘରର ପରିସ୍ଥିତି ଯାହା, ସେଥିରେ ବାପାଙ୍କ ଉପରେ ବୋଝ ହେବାକୁ ତାଙ୍କ ମନ କହୁ ନ ଥାଏ। ଯେମିତି ହେଉ ବାପାଙ୍କୁ ଘର ଖର୍ଚ୍ଚରେ ସାହାଯ୍ୟ କରିବେ। କାମ ଖୋଜୁଥିବା ମୋହନଙ୍କୁ ମିଳିଗଲା ଶିକ୍ଷକ ଚାକିରି।
ସେ କେନ୍ଦୁଝର ଜିଲ୍ଲା ଝୁମ୍ପୁରାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପ୍ରାଥମିକ ଗୁରୁଜୀ ହେଲେ। ଦରମା ଥିଲା ମାସିକ ତିନି ଶହ ଟଙ୍କା ମାତ୍ର। ଏତିକି ଟଙ୍କାରେ ଜଣେ କେମିତି ଚଳୁଥିବ, ଥରେ ଚିନ୍ତା କଲେ ଦେଖି! ସେଇ ମୋହନ ହେଉଛନ୍ତି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ। ବାଲ୍ୟକାଳରୁ ପ୍ରତିକୂଳ ପରିସ୍ଥିତି ସହ ସଂଘର୍ଷ କରି ବଡ଼ ହୋଇଥିବା ମୋହନ ସମବୟସ୍କ ସହପାଠୀମାନଙ୍କ ପାଇଁ ଥିଲେ ଜଣେ ପଥ ପ୍ରଦର୍ଶକ। ଯଦି କେହି ରୋଗରେ ପଡୁଥିଲା ଲୋଡ଼ା ହେଉଥିଲେ ମୋହନ। ଯଦି କେହି ପାଠ ବୁଝି ପାରୁ ନ ଥିଲା, ଲୋଡ଼ା ହେଉଥିଲେ ମୋହନ, ଆଉ ଯଦି କାହାରି ଘରେ କଳି ହେଉଥିଲା, ସମାଧାନ ପାଇଁ ଆଗକୁ ବାହାରୁଥିଲେ ମୋହନ। ନେତୃତ୍ୱ ନେବା ତାଙ୍କ ରକ୍ତରେ ଭରି ରହିଥିଲା।
ଗୁରୁଜୀ ହେବାର ଛଅ ମାସ ପୂର୍ବରୁ ସେ ଟିଉସନ୍ କରୁଥିଲେ। ସେଥିରୁ ମାସକୁ ପ୍ରାୟ ଦେଢ଼ ଶହ ଟଙ୍କା ରୋଜଗାର ହେଉଥିଲା ଓ ସେହି ସ୍ୱଳ୍ପ ଆୟରେ ନିଜକୁ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିଲେ। ସେହି ସମୟରେ ସେ ଝୁମ୍ପୁରା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସାକ୍ଷାତକାର ଜରିଆରେ ଗୁରୁଜୀ ଭାବେ ନିଯୁକ୍ତି ପାଇଲେ। ସକାଳୁ ବିଦ୍ୟାଳୟକୁ ଶିକ୍ଷାଦାନ ପାଇଁ ଯାଇ ଚାରିଟା ବେଳକୁ ଛୁଟି ହେବାପରେ ମଧ୍ୟ ସେ ଘରକୁ ଫେରିପାରୁ ନ ଥିଲେ। କାରଣ ସ୍କୁଲ ଛୁଟି ପରେ କ’ଣ ଦିଇଟା ପାଟିରେ ପକାଇ ସେ ଟିଉସନ୍ ପଢ଼ାଇବାକୁ ପହଞ୍ଚି ଯାଉଥିଲେ ପିଲାମାନଙ୍କ ଘରେ। ଏହି ଧାରା ବେଶ୍ କିଛିଦିନ ଧରି ଚାଲିଥିଲା। ପରେ ୧୯୯୭ ମସିହାରେ ନିଜ ପଞ୍ଚାୟତର ସରପଞ୍ଚ ଭାବରେ ଜିତିବା ପରେ ବାଧ୍ୟହୋଇ ତାଙ୍କୁ ଶିକ୍ଷକତା ଛାଡ଼ିବାକୁ ପଡ଼ିଥିଲା। ସେ ସରପଞ୍ଚ ଭାବେ ମାତ୍ର ୩ ବର୍ଷ ସେବା ପ୍ରଦାନ କରିବା ପରେ ୨୦୦୦ ମସିହାରେ ଭାରତୀୟ ଜନତା ପାର୍ଟିର ଟିକେଟ୍ ପାଇ କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିଥିଲେ ଓ ଜୟଯୁକ୍ତ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ସମୟରେ ମୋହନ ଥିଲେ ସର୍ବକନିଷ୍ଠ ବିଧାୟକ। ତେବେ ସେ ସିନା ଶିକ୍ଷକତାକୁ ଛାଡ଼ିଦେଲେ, ହେଲେ ଶିକ୍ଷକତା କ’ଣ ତାଙ୍କୁ ଛାଡ଼ିପାରିଲା? ଆଜି ମଧ୍ୟ ସୁଯୋଗ ପାଇଲେ ସେ ପିଲାଙ୍କୁ ପଢ଼ାଇବା ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ।
ଗାଁ’ରେ ଯେତେବେଳେ ସେ ପ୍ରାଥମିକ ଶ୍ରେଣୀରେ ପଢୁଥିଲେ, ସେତେବେଳେ ତାଙ୍କର ସେଠାରେ ଥିଲେ ଅନେକ ସାଙ୍ଗ। ସେମାନଙ୍କ ମଧ୍ୟରୁ ଆଦିକନ୍ଦ ନାଏକ ହେଉଛନ୍ତି ଜଣେ। ଆଦିକନ୍ଦଙ୍କ କହିବା କଥା, “ମୁଁ ରାଇକଳା ପ୍ରାଥମିକ ବିଦ୍ୟାଳୟରେ ୧୯୭୭ ମସିହାରୁ ୧୯୮୪ ମସିହା ପର୍ଯ୍ୟନ୍ତ ଅର୍ଥାତ୍ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ମୋହନ ସହିତ ପାଠ ପଢ଼ିଥିଲି। ଅନ୍ୟ ସାଧାରଣ ପିଲାଙ୍କ ଭଳି ବହୂଚୋରି, ଧାଁ ଦଉଡ଼, ଫୁଟ୍ବଲ୍ ଇତ୍ୟାଦି ଖେଳୁଥିଲୁ। ଆମେ ପଢ଼ିବା ସମୟରେ ଜଗତମୋହନ ନାଏକ ସାର୍ ମୋହନ ଘରକୁ ଟିଉସନ ପଢ଼ାଇବାକୁ ଆସୁଥିଲେ। ତେବେ ସେ ମୋହନର ଘରୋଇ ଶିକ୍ଷକ ନ ଥିଲେ। ମୋହନର ଘର ଅବସ୍ଥା ମଧ୍ୟ ଘରୋଇ ଟିଉସନ ଦେବାପରି ସ୍ୱଚ୍ଛଳ ନ ଥିଲା। ତେବେ ସାର୍ ତାଙ୍କ ଘରକୁ ଆସିବାର କାରଣ ହେଲା, ମୋହନର ଘର ଥିଲା ଗାଆଁର କେନ୍ଦ୍ରସ୍ଥଳରେ। ସେଠାକୁ ଜଗତମୋହନ ସାର୍ ଆସିବା ସୁବିଧା ହେଉଥିଲା। ଆମେ ମଧ୍ୟ ସେଠାକୁ ପଢ଼ିବାକୁ ଯାଉଥିଲୁ। ମୋହନ ଗାଁ ସ୍କୁଲରେ ସପ୍ତମ ଶ୍ରେଣୀ ପାଠ ସାରି ଝୁମ୍ପୁରା ଉଚ୍ଚ ବିଦ୍ୟାଳୟକୁ ଅଷ୍ଟମ ଶ୍ରେଣୀରେ ପଢ଼ିବାକୁ ଚାଲିଗଲା। ମୁଁ ରାଇକଳା ହାଇସ୍କୁଲରେ ହିଁ ପଢ଼ିଲି।”
ମୋହନଙ୍କ ଅନ୍ୟଜଣେ ସାଙ୍ଗ ଧ୍ରୁବଚରଣ ବାରିକ ପିଲାଦିନେ ତାଙ୍କ ସହ ବିଦ୍ୟାଳୟରେ ଘଟିଥିବା ଏକ ନିଆରା ଅଭିଜ୍ଞତା ବର୍ଣ୍ଣନା କରି କହନ୍ତି, “ବିଦ୍ୟାଳୟକୁ ସେତେବେଳେ ଧନୁଷ୍ଟଙ୍କାର ରୋଗରେ ଟିକା ଦେବାପାଇଁ ଡାକ୍ତରୀ ଟିମ୍ ପ୍ରତିବର୍ଷ ଆସୁଥିଲେ। ଆମେ ଡିବିରି ନିଆଁରେ ଇଞ୍ଜେକ୍ସନ ଛୁଞ୍ଚି ଲାଲ୍ ଟକ୍ ଟକ୍ ହୋଇ ତାତି ଉଠୁଥିବା ଦେଖି ଆତଙ୍କରେ ଶିହରି ଉଠୁଥିଲୁ। କିଭଳି ଉକ୍ତ ଡାକ୍ତରୀ ଦଳର ଅନ୍ୟମନସ୍କତାର ସୁଯୋଗ ନେଇ ସେଠାରୁ ଖସିଯିବୁ, ସେହି ଚିନ୍ତାରେ ରହୁଥିଲୁ। କେହି କେହି ପଛ ଦରଜା ବାଟଦେଇ ନିକଟସ୍ଥ ଜଙ୍ଗଲକୁ ଧାଇଁ ଯାଇ ସେଠାରେ ଛପି ଯାଉଥିଲେ। ମାତ୍ର ମୋହନ ସେ ବୟସରେ ମଧ୍ୟ ଏସବୁକୁ ଖାତିର କରୁ ନ ଥିଲା। ଓଲଟି ଆମମାନଙ୍କୁ ବୁଝାଉଥିଲା, ଧନୁଷ୍ଟଙ୍କାର ଟିକା ନେବା ଶରୀର ପାଇଁ ଭଲ। ଏହା କ୍ଷଣିକ ପାଇଁ ଆମକୁ କଷ୍ଟ ଦେବ ସତ, ମାତ୍ର ସବୁଦିନ ପାଇଁ ନିରୋଗ ରଖିବାରେ ସହାୟକ ହେବ।” କହିବା ବାହୁଲ୍ୟ, ସାଙ୍ଗମାନେ ମୋହନର କଥାକୁ ବୁଝି ଯାଇଥିଲେ। ଆଉ ଧୀରସ୍ଥିର ଭାବରେ ଟିକା ନେଇଥିଲେ। ଧ୍ରୁବ ଆଜି ମନେ ପକାନ୍ତି, “ସେହି ଟିକା ଦ୍ୱାରା ମୋ ହାତରେ ଏକ ଚିହ୍ନ ସବୁଦିନ ପାଇଁ ରହିଯାଇଥିଲା ସତ, ମାତ୍ର ଧନୁଷ୍ଟଙ୍କାର ଭଳି ରୋଗରେ ମୁଁ କେବେ ବି ଆକ୍ରାନ୍ତ ହୋଇନାହିଁ, ମୋର ସାଙ୍ଗମାନେ ମଧ୍ୟ।’’ ହୁଏତ ଏହି ଘଟଣା ହିଁ ମୋହନଙ୍କ ମଧ୍ୟରେ ଯେ ନେତୃତ୍ୱ ନେବାର ଦକ୍ଷତାଟି ଅଙ୍କୁରିତ ହେଉଛି, ତାହା ପ୍ରତିପାଦିତ କରିଥିଲା।
ଗାଁ’ରେ ମୋହନଙ୍କ ବାବଦରେ ଲୋକେ କଥା ହେଉଥିଲେ, “ଗୁନାରାମର ପୁଅଟି ନିଶ୍ଚେ ଦିନେ ବଡ଼ଲୋକ ହେବ। କାରଣ ଅନ୍ୟମାନଙ୍କଠାରୁ ତା’ର ମୁଣ୍ଡଟି ଟିକିଏ ବଡ଼।’’ ହୁଏତ ସେମାନଙ୍କ ସେହି ଅଦୃଶ୍ୟ ଆଶୀର୍ବାଦ ହିଁ ‘ବଡ଼ମୁଣ୍ଡିଆ’ ମୋହନଙ୍କୁ ମାସକୁ ସାଢ଼େ ଚାରିଶହ ଟଙ୍କା ଦରମା ପାଉଥିବା ଶିଶୁମନ୍ଦିର ଶିକ୍ଷକରୁ ନେଇ ସାଢ଼େ ଚାରିକୋଟି ଲୋକଙ୍କ ରାଜ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଦେଇଛି।