ଦେଶ- ବିଦେଶ
ଜର୍ମାନରେ ପୁଣି ଛୁରାମାଡ ଘଟଣା, ବସରେ ୬ଜଣ ଯାତ୍ରୀଙ୍କୁ ଛୁରୀ ଭୁସି ଦେଲେ ମହିଳା

ନୂଆଦିଲ୍ଲୀ ୩୧/୦୮: ଜଣେ ୩୧ ବର୍ଷ ବୟସ୍କା ମହିଳା ଶୁକ୍ରବାର ଜର୍ମାନୀର ଏକ ବସ୍ରେ ୬ ଜଣଙ୍କୁ ଛୁରାମାଡ଼ କରି ଆହତ କରିଛନ୍ତି। ଏହି ଘଟଣା ସୋଲିଙ୍ଗେନରେ ହୋଇଥିବା ଏକ ମରଣାନ୍ତକ ଆକ୍ରମଣର କିଛି ଦିନ ପରେ ଘଟିଛି । ଯେଉଁଥିରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଥିଲେ।
ରିପୋର୍ଟ ଅନୁଯାୟୀ, ମହିଳା ଜଣଙ୍କ ଜର୍ମାନ ନାଗରିକ ।
ସିଗେନ ସହରରେ ଏହି ଘଟଣା ପରେ ତାଙ୍କୁ ଗିରଫ କରାଯାଇଛି। ଘଟଣା ସମୟରେ ସେହି ବସରେ ଅତି କମରେ ୪୦ ଜଣ ଯାତ୍ରୀ ଥିଲେ। ଯେଉଁମାନେ ଉତ୍ସବକୁ ଯାଉଥିଲେ। ତେବେ ଆହତ ହୋଇଥିବା ୬ ଜଣଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଏଥି ସହିତ ସୋସିଆଲ ମିଡିଆ ପ୍ଲାଟଫର୍ମରେ କୌଣସି ମିଥ୍ୟା ଖବର ପ୍ରଚାର ନକରିବାକୁ ପୋଲିସ ନିବେଦନ କରିଛି। ଯଦିଓ ଏହି ଆକ୍ରମଣର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ, ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ମହିଳା ଜଣଙ୍କ ମାନସିକ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିବା କୁହାଯାଉଛି।




