ଚିକିତ୍ସାରେ ଅର୍ଥ ସାଜିଛି ବାଧକ, କ୍ୟାନ୍ସର ରୋଗରେ ଛଟ ପଟ ଶ୍ରାବଣୀ
ଚନ୍ଦାହାଣ୍ଡି,୩୦/୮ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଦଳବେଡା ପଞ୍ଚାୟତ ଅଧିନ ବନାମହୁଲ ଗ୍ରାମର ଅତ୍ୟନ୍ତ ନୀରିହା ଗରିବ ଶ୍ରେଣୀର ଶ୍ରାବଣୀ ମାଝି (୫୫)ଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଛି l କ୍ୟାନ୍ସର ରୋଗ ଯନ୍ତ୍ରଣାରେ ଛଟ ପଟ ହେଉଛନ୍ତି ଶ୍ରାବଣୀ l ଗୋଟିଏ ପଟେ ଶ୍ରାବଣୀର ଝିଅ ଗୋମତୀ (୧୦) ଏବଂ ପୁଅ ରୁପସିଂ(୧୩) ମା’ର ଏପରି ଅବସ୍ଥାରେ ପାଠ ନ ପଢି ଘର ଚଳାଇବା ପାଇଁ କାମଧନ୍ଧା କରି ରୋଗୀଣା ମା’ର ଯତ୍ନ ନେଉଛନ୍ତି l ଏ ଦିଗରେ ଜିଲ୍ଲାପାଳ ଏକ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି l
ସୂଚନା ମୁତାବକ, ଆଜକୁ ୨୦ବର୍ଷ ତଳେ ଶ୍ରାବଣୀ ତାଙ୍କ ସ୍ୱାମୀ ଢିନ ମାଝି ସହ କୁଲି ମଜୁରୀ କରି ତାଙ୍କ ଦୁଇ ସନ୍ତାନ ସହ ବେଶ ହସ ଖୁସିରେ ଦିନ କାଟୁଥିଲେ । ୫ ବର୍ଷ ତଳେ ଶ୍ରାବଣୀର ଭାଗ୍ୟରେ ହଠାତ ମାଡି ଆସିଲା ଦୁଃଖର କଳାବାଦଲ l ସ୍ୱାମୀ ଢିନ ମାଝିଙ୍କ ମାନସିକ ଖରାପ ହେବା ସହ ସେ ଆତ୍ମହତ୍ୟା କରି ସବୁଦିନ ପାଇଁ ତିନୋଟି ପ୍ରାଣୀକୁ ଛାଡି ଆରପାରିକୁ ଚାଲିଗଲେ l ଏଥିରେ ଭାଙ୍ଗି ନ ପଡ଼ି ଶ୍ରାବଣୀ ଛାତିରେ ଦମ୍ଭ କରି କୁଲି ମଜୁରୀ କରି ତାଙ୍କ ଦୁଇ ଛୁଆର ମୁହଁରେ ଦାନା ଦେଉଥିଲେ l
ଶ୍ରାବଣୀର ମୁହଁ ରେ ହଠାତ ଏକ ଛୋଟ ଟ୍ୟୁମର ଦେଖା ଦେଇଥିଲା l ଏହା ଅତ୍ୟନ୍ତ ଯନ୍ତ୍ରଣା ଦାୟକ ହେବାରୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବା ସତ୍ବେ ଏହା କମିବା ବଦଳରେ ବଢ଼ିବାକୁ ଲାଗିବାରୁ ପାଖରେ ଅର୍ଥ ଅଭାବ ଦେଖାଦେଇଛି । ଫଳରେ କୌଣସି ବଡ଼ ଡାକ୍ତରଖାନା ଯାଇ ନ ପାରି ଦେଶୀ ଚିକିତ୍ସା ସହ ଝଡା ଫୁଙ୍କା ଚିକିତ୍ସା କରାଇବାରୁ ଟ୍ୟୁମର ଫାଟି ପାଟି କଣା ହୋଇଯାଇଛି l ପରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ସହାୟତାରେ ରାୟପୁର ଯାଇ ଚିକିତ୍ସିତ ହୋଇଥିଲେ ମଧ୍ୟ ରୋଗ କମି ନ ଥିଲା l
ବର୍ତ୍ତମାନ ସେ ଚିକିତ୍ସା ଅଭାବରେ ଦିନ ରାତି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି lଦୁଇ ପୁଅ ଝିଅ ପାଠ ପଢା ଛାଡି ବାହାରେ କାମ ଧନ୍ଧା କରି ମା’ର ମୁହଁରେ ଦାନା ଦେବା ସହ ସେବା ଶୁଶ୍ରୁସା କରୁଛନ୍ତି l ତାଙ୍କର ଜମିବାଡ଼ି ମଧ୍ୟ ନାହିଁ l ସରକାରୀ ସାହାଯ୍ୟ କହିଲେ ଶ୍ରାବଣୀକୁ ମାସିକ ୧୦୦୦ଟଙ୍କା ବିଧବା ଭତ୍ତା ଏବଂ ମୁଣ୍ଡ ପିଛା ମାସକୁ ୫କେଜି ଚାଉଳ ଏଥିରୁ ମଧ୍ୟ ଅଧା ବିକି ଔଷଧ କିଣୁଛନ୍ତି l ରହିବାକୁ ଘର ଖଣ୍ଡିକ ମଧ୍ୟ ନାହିଁ । ପୁରୁଣା କାଳିଆ ଝାଟି ମାଟି ଘରେ ଜୀବନ ବିତାଉଛନ୍ତି ୩ ପ୍ରାଣୀ l ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଶ୍ରାବଣୀକୁ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି l