ଆଜି ଆଗତ ହେବ ଶ୍ରୀମନ୍ଦିର ବଜେଟ, ଭକ୍ତ ମାନେ କିଣି ପାରିବେ ଗୋଲ୍ଡ ବଣ୍ଡ
ପୁରୀ : ଆଜି ଆଗତ ହେବ ଶ୍ରୀମନ୍ଦିର ବଜେଟ । ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ଗଜପତି ମହାରାଜ ଦିବ୍ୟ ସିଂ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଶ୍ରୀ ମନ୍ଦିରର ବଜେଟ ଆଗତ କରାଯିବ । ସେଥିପାଇଁ ଗତକାଲି ଶ୍ରୀ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଅର୍ଥ ସବ କମିଟି ବୈଠକ l ଏହି ବୈଠକରେ ଚଳିତ ବର୍ଷର ବଜେଟ ଆଗତ କରାଯାଇଥିଲା ।
ଅର୍ଥ ସବ କମିଟି ସୂଚନା ମୁତାବକ ଚଳିତ ବର୍ଷର ମୋଟ ବଜେଟ ୩୮୬ କୋଟି ରହିଛି । ଏହାକୁ ଶ୍ରୀ ମନ୍ଦିର ପରିଚାଳନା କମିଟିରେ ଅନୁମୋଦନ ଦିଆଯିବ ।
ତେବେ ଆଗାମୀ ଦିନରେ ଭକ୍ତ ମାନେ ଯେଭଳି ଗୋଲ୍ଡ ବଣ୍ଡ କିଣି ପାରିବେ ସେ ନେଇ ବ୍ୟବସ୍ଥା ପାଇଁ ଆଜି ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକରେ ଉପସ୍ଥାପନ କରାଯିବ । ମହାପ୍ରଭୁ ଙ୍କ ପାଇଁ ନୂଆ ସୁବର୍ଣ୍ଣ ଅଳଂକାର ସେଟ୍ ଗଠନ ପାଇଁ ମଧ୍ୟ ଆଲୋଚୋନା ହେବ । ସେହିପରି ରତ୍ନ ଭଣ୍ଡାର ମୁଖ୍ୟ ଦ୍ଵାରକୁ ରୁପା ଛାଉଣି କରିବା, ପ୍ରତି ଜିଲ୍ଲା ସଦର ମହକୁମାରେ ହୁଣ୍ଡି ସ୍ଥାପନ ସହ ଶ୍ରୀ ମନ୍ଦିର ସୂଚନା କେନ୍ଦ୍ର ସ୍ଥାପନ ନେଇ ଆଲୋଚୋନା ହେବ। ରଥଯାତ୍ରାରେ ଆଡପ ପହଣ୍ଡି ବେଳେ ବଡ଼ ଠାକୁର ବଳଭଦ୍ର ପଡ଼ିଯିବା ଘଟଣାରେ ୩ ଜଣିଆ ତଦନ୍ତ କମିଟିର ରିପୋର୍ଟ ମଧ୍ୟ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଉପସ୍ଥାପନ ହେବ।