ଥାଇଲାଣ୍ଡରେ ବିମାନ ଦୁର୍ଘଟଣା, ଜଳାଶୟରୁ ମିଳିଲା ଭଗ୍ନାବଶେଷ; ସମସ୍ତ ୯ ଜଣଙ୍କ ମୃତ୍ୟୁ ଆଶଙ୍କା

ଥାଇଲାଣ୍ଡରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ସମସ୍ତ ୯ ଜଣଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ବିମାନବନ୍ଦରଠାରୁ ପ୍ରାୟ ୪୦ କିଲୋମିଟର ଦୂର ଏକ ଜଳାଶୟରୁ ବିମାନର ଧ୍ୱଂସାବଶେଷ ମିଳିଛି । ସେଠାରୁ କୌଣସି ବି ଯାତ୍ରୀ ଜୀବିତ ମିଳି ନାହାନ୍ତି । ଦୁର୍ଘଟଣାର ଶିକାର ହୋଇଥିବା ଏହି ଛୋଟ ଯାତ୍ରୀବାହୀ ବିମାନରେ ଦୁଇ ପାଇଲଟଙ୍କ ସମେତ ମୋଟ ୯ ଜଣ ଥିଲେ ।
ଥାଇଲାଣ୍ଡର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣର ସୂଚନା ଅନୁସାରେ, ଗୁରୁବାର ଅପରାହ୍ନରେ ରାଜଧାନୀ ବ୍ୟାଙ୍କକ୍ର ମୁଖ୍ୟ ବିମାନବନ୍ଦରରୁ ବିମାନ ଉଡ଼ାଣ ଭରିଥିଲା । ହେଲେ ଏହାର କିଛି ସମୟ ପରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଥିବା ସମସ୍ତ ୯ ଜଣଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି ।
ଉଦ୍ଧାର କର୍ମଚାରୀମାନେ ଚାଚୋଏଙ୍ଗସାଓ ପ୍ରଦେଶର ମାଙ୍ଗ୍ରୋଭ୍ ଜଳାଶୟରେ ବିମାନର ଭଗ୍ନାବଶେଷ ଦେଖିବାକୁ ପାଇଥିଲେ । ପ୍ରାୟ ୧ ଘଣ୍ଟା ଧରି ଖୋଜାଖୋଜି ପରେ ଏକ ଦୁର୍ଗମ ଅଞ୍ଚଳରୁ କ୍ଷତବିକ୍ଷତ ମୃତଦେହ ମିଳିଥିଲା । ମୃତକମାନଙ୍କ ପରିଚୟ ତୁରନ୍ତ ସ୍ପଷ୍ଟ ହୋଇନାହିଁ । କିନ୍ତୁ ବିମାନରେ ଥିବା ବ୍ୟକ୍ତିଙ୍କ ମଧ୍ୟରେ ଥିଲେ ହଂକଂର ୫ ଜଣ ପର୍ଯ୍ୟଟକ, ୨ ଜଣ ଥାଇ ମହିଳା କ୍ରୁ ସଦସ୍ୟ ଏବଂ ଥାଇ ପାଇଲଟ୍ ଓ ସହ-ପାଇଲଟ୍ ।
ଦୁର୍ଘଟଣାର କାରଣ ଏ ପର୍ଯ୍ୟନ୍ତ ଜଣା ପଡିନାହିଁ । ପ୍ରାଧିକରଣ କହିଛି, ଥାଇ ଫ୍ଲାଇଙ୍ଗ ସର୍ଭିସ କମ୍ପାନୀ ଦ୍ୱାରା ପରିଚାଳିତ ଏକ ଟର୍ବୋପ୍ରୋପ ବିମାନ ‘Cessna Caravan C208B’ ସ୍ଥାନୀୟ ସମୟ ଅପରାହ୍ନ ୨ଟା ୪୬ରେ ବ୍ୟାଙ୍କକ୍ର ସୁବର୍ଣ୍ଣଭୂମି ବିମାନବନ୍ଦରରୁ ଉଡ଼ାଣ ଭରିଥିଲା । ଉଡ଼ାଣ ଭରିବାର ମାତ୍ର ୧୧ ମିନିଟ ପରେ ଏୟାର ଟ୍ରାଫିକ ନିୟନ୍ତ୍ରଣ କକ୍ଷ ସହିତ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ବିମାନଟି ବିମାନବନ୍ଦରଠାରୁ ପ୍ରାୟ ୩୫ କିଲୋମିଟର ଦକ୍ଷିଣ-ପୂର୍ବରେ ଥିଲା । ଏହା ରାଜଧାନୀଠାରୁ ପାଖାପାଖି ୨୭୫ କିଲୋମିଟର ଦକ୍ଷିଣ-ପୂର୍ବରେ ଥିବା ଉପକୂଳବର୍ତ୍ତୀ ଟ୍ରିଟ୍ ପ୍ରଦେଶ ଆଡକୁ ଯାଉଥିଲା ।