କରଜରେ ବୁଡ଼ିଯିବା ପରେ ୧୦୦କିଲୋମିଟର ବାଇକରେ ଯାଇ ଗଙ୍ଗା ନଦୀକୁ ଡେଇଁଲେ ଦମ୍ପତି
ସହାରନପୁର: ସହାରନପୁରର ଜଣେ ବ୍ୟବସାୟୀ ତାଙ୍କ ପତ୍ନୀଙ୍କ ସହ ଆତ୍ମହତ୍ୟା କରିଛନ୍ତି। ଏହି ଦମ୍ପତି ହରିଦ୍ୱାରର ଗଙ୍ଗା ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ପତ୍ନୀଙ୍କ ମୃତଦେହ ମିଳିପାରି ନଥିବା ବେଳେ ସ୍ୱାମୀଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି। ଆତ୍ମହତ୍ୟା ପୂର୍ବରୁ ଏହି ଦମ୍ପତି ଏକ ଚିଠି ଛାଡ଼ିଯାଇଛନ୍ତି, ଯେଉଁଥିରେ ଋଣ ସମସ୍ୟା ହେତୁ ସେମାନେ ଆତ୍ମହତ୍ୟା କରିଥିବା ଲେଖିଛନ୍ତି।
ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି। ଦମ୍ପତିଙ୍କର ଦୁଇଟି ସନ୍ତାନ ଥିବା ସାମ୍ନାକୁ ଆସିଛି।
ସୂଚନା ମୁତାବକ, ସହାରନପୁରରେ ରହୁଥିବା ଏହି ବ୍ୟବସାୟୀଙ୍କ ନାମ ସୌରଭ ବବ୍ବର ଏବଂ ତାଙ୍କ ପତ୍ନୀଙ୍କ ନାମ ମୋନା ବବ୍ବର। ଉଭୟେ ବାଇକ୍ ଯୋଗେ ପ୍ରାୟ ୧୦୦କିଲୋମିଟର ଦୂରତା ଅତିକ୍ରମ କରି ହରିଦ୍ୱାରରେ ପହଞ୍ଚିଥିଲେ, ଏବଂ ଶେଷ ଥର ପାଇଁ ଏକ ସେଲଫି ନେଇଥିଲେ। ପରେ ନିଜ ବନ୍ଧୁଙ୍କ ହ୍ବାଟସ୍ଆପକୁ ସେଲଫି ସହିତ ଆତ୍ମହତ୍ୟା ନୋଟ ପଠାଇଥିଲେ। ଏହା କରିବା ପରେ ଦୁହେଁ ଗଙ୍ଗା ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ ବୋଲି ଜଣାପଡ଼ିଛି। ମୋନାଙ୍କ ମୃତଦେହ ଖୋଜା ଚାଲିଥିବା ବେଳେ ସୌରଭଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ଅଗଷ୍ଟ ୧୦ରେ ଦୁହେଁ ଜୀବନ ହାରିଥିବା ବେଳେ ୧୨ରେ ସୌରଭଙ୍କ ମୃତଦେହ ମିଳିଥିଲା। ହେଲେ ଏପର୍ଯ୍ୟନ୍ତ ମୋନାଙ୍କ ମୃତଦେହ ମିଳିପାରିନାହିଁ।