ରାଜ୍ୟ

ଶତକ ମାରାଥନ୍‌ ସତ୍ତ୍ବେ ଦୁଃଖିଶ୍ୟାମଙ୍କ ଦୁଃଖ

ଭୁବନେଶ୍ବର: ବୟସ ୬୬ ଛୁଇଁବା ପରେ ମାରାଥନ୍‌ ଦୁନିଆକୁ ଆସିଥିଲେ। କିନ୍ତୁ ୮ ବର୍ଷ ଭିତରେ ୧୦୦ଟି ସ୍ବୀକୃତିପ୍ରାପ୍ତ ମାରାଥନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଏକ ବିରଳ ଶତକର ଅଧିକାରୀ ହୋଇଛନ୍ତି। ୭୪ ବର୍ଷ ବୟସରେ ବି ତାଙ୍କ ମାରାଥନ୍ ନିଶା ଛାଡ଼ି ନାହିଁ। କେବଳ ମାରାଥନ୍ ନୁହେଁ ଜାତୀୟ ଭେ‌ଟେରାନ୍‌ ଦୌଡ଼କୁଦରେ ଓଡ଼ିଶାକୁ ପ୍ରତିନିଧିତ୍ବ କରି ମଧ୍ୟ ସଫଳ ହୋଇଛନ୍ତି।

ବିଗତ କିଛି ବର୍ଷ ଭିତରେ ରାଜ୍ୟ କ୍ରୀଡ଼ା ଦୁନିଆରେ ଢେର ଚର୍ଚ୍ଚା ସୃଷ୍ଟି କରିଥିବା ଏହି କ୍ରୀଡ଼ା ଅନୁରାଗୀ ମାରାଥନ୍ ଧାବକ ଜଣଙ୍କ ହେଲେ ଦୁଃଖିଶ୍ୟାମ ପାଢ଼ୀ। ସେ ଯୁବ ସମାଜ ପାଇଁ ପ୍ରେରଣା ଓ ଆହ୍ବାନର ଅନ୍ୟନାମ ପାଲଟିଛନ୍ତି।

ଭୁବନେଶ୍ବରରେ ୨୦୧୬ ମସିହାରେ ଅନୁଷ୍ଠିତ ଟାଟା ଷ୍ଟିଲ୍‌ ଭୁବନେଶ୍ବର ହାଫ୍ ମାରାଥନ୍‌ରୁ ଅଭିଯାନ ଆରମ୍ଭ କରିଥିବା ଦୁଃଖିଶ୍ୟାମ ପାଢ଼ୀ ଚଳିତ ବର୍ଷ ଏପ୍ରିଲ୍‌ରେ ବେଙ୍ଗାଲୁରୁରେ ଅନୁଷ୍ଠିତ ଟିସିଏସ୍‌ ବିଶ୍ବ ୧୦କେ ମାରାଥନ୍‌ରେ ତାଙ୍କ ଶତକ ମାଇଲଖୁଣ୍ଟ ଛୁଇଁଛନ୍ତି। ୮ ବର୍ଷର ଏହି ଯାତ୍ରା କେବଳ ଓଡ଼ିଶା ଭିତରେ ସୀମିତ ନଥିଲା। ମୁମ୍ବାଇ, ଦିଲ୍ଲୀ, କୋଲ୍‌କାତା, ଚେନ୍ନାଇ, ଗୁଆହାଟୀ, ଇମ୍ଫାଲ, ପାଟଣା, ଜାମସେଦପୁର, ରାୟପୁର, ପ୍ରୟାଗରାଜ, ଡେରାଡୁନ୍‌ ଆଦି ସ୍ଥାନରେ ନିଜ ଚମକ ଛାଡ଼ିଛନ୍ତି। ଏହି ସମୟ ମଧ୍ୟରେ ୨୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଅନୁଷ୍ଠିତ ମାରାଥନ୍‌ରେ ଭାଗନେବାର ଦୁଃସାହସ ଓ ବ୍ୟୟ ବହନ କରିଛନ୍ତି। ଏହି ସବୁ ପ୍ରତିଯୋଗିତାଗୁଡ଼ିକରେ ସେ ନିଜ ବୟସ ବର୍ଗରେ ଖେଳୁଥିଲେ ମଧ୍ୟ ୪୨ କିଲୋମିଟର୍‌, ୨୧ କିଲୋମିଟର୍‌, ୨୫ କିଲୋମିଟର୍‌, ୧୦ କିଲୋମିଟର୍ ଆଦିରେ ଅଂଶଗ୍ରହଣ କରିଛନ୍ତି। ଭୁବନେଶ୍ବରରେ ରହୁଥିଲେ ମଧ୍ୟ ଏହି ବର୍ଷିୟାନ ୩ ମାରାଥନ୍ ଧାବକଙ୍କ ନିଜ ଘର ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ତହର ଗ୍ରାମରେ। ଦୃଢ଼ ଇଚ୍ଛାଶକ୍ତି, ନିଷ୍ଠା ଓ ଏକାଗ୍ରତା ଦ୍ବାରା ସବୁ ସମ୍ଭବ ବୋଲି ସେ ପ୍ରମାଣିତ କରିଛନ୍ତି। ନିରୋଗ ରହିବା ଏବଂ ସୁସ୍ଥ ଜୀବନଶୈଳୀ ପାଇଁ ମାରାଥନ୍ ଦୌଡ଼ ସବୁଠାରୁ ଉତ୍କୃଷ୍ଟ ମାର୍ଗ ବୋଲି ଦୁଃଖିଶ୍ୟାମ କୁହନ୍ତି। ଯୁବପିଢ଼ିମାନେ ଏହାକୁ ଆଦରିବା ପାଇଁ‌ ସେ ଆହ୍ବାନ ବି ଦେଇଛନ୍ତି।

ଦୁଃଖିଶ୍ୟାମଙ୍କ ଦୁଃଖ ହେଉଛି ଶତକୀୟ ମାରାଥନ୍‌କୁ ସଫଳତାର ସହ ଶେଷ କରିବା ପରେ ବି ପ୍ରାୟୋଜକ ଅଭାବରୁ ସେ ବିଦେଶରେ ଏକ ମାରାଥନ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିନାହାନ୍ତି। ଦେଶ ଓ ରାଜ୍ୟର ଗୌରବ ବଢ଼ାଇବା ଲାଗି ସେ ଏଭଳି ସ୍ବପ୍ନ ଦେଖିଛନ୍ତି। ଏଥି ପାଇଁ ସେ ସରକାରୀ, ବେସରକାରୀ, କର୍ପୋରେଟ୍‌ ସଂସ୍ଥା ଓ ବଦାନ୍ୟ ବ୍ୟକ୍ତିଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇବାକୁ ନିବେଦନ କରିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button