ଖେଳ ଖବର

ଏଣ୍ଟ୍ରି କାର୍ଡର ଦୂରୁପଯୋଗ : ବିବାଦରୁ ବିଦା ହେଲେ ଅନ୍ତିମ

ଫାଇନାଲ ଫାଇଟ୍ ପୂର୍ବରୁ କୁସ୍ତିଯୋଦ୍ଧା ଭିନେଶଙ୍କୁ ଅଯୋଗ୍ୟ ଘୋଷିତ ପରେ ସୁନା ଜିତୁଥିବାର ସୁନେଲି ସ୍ୱପ୍ନ ଦେଖିଥିବା ଭାରତୀୟଙ୍କ ହୃଦୟ ଭାଙ୍ଗିଯାଇଛି। ମାତ୍ର ଶହେ ଗ୍ରାମ୍ ଓଜନ ଅଧିକା କାରଣରୁ ବାଦ୍ ପଡ଼ିଲେ। ତା ସତ୍ତ୍ୱେ ସାରା ଭାରତ ଏଭଳି ସ୍ଥିତିରେ ତାଙ୍କ ସହ ଛିଡ଼ାହୋଇଛି। ସେପଟେ କିନ୍ତୁ ଆଉ ଜଣେ ମହିଳା କୁସ୍ତିଯୋଦ୍ଧା ବିବାଦୀୟ ଭାବେ ଅଲମ୍ପିକ୍ସ ଗ୍ରାମରୁ ବିଦା ସହ ପ୍ୟାରିସ୍ ଛାଡ଼ିବାକୁ ବାଧ୍ୟ ହେଲେ। ତା ସହ ତାଙ୍କ ଭଉଣୀଙ୍କ ନାଁରେ ବି ଥାନାରେ ଏତଲା ହୋଇଛି। ହରିଆଣାର କୁସ୍ତିଯୋଦ୍ଧା ଅନ୍ତିମ ପଙ୍ଘାଲଙ୍କୁ ନେଇ ବିବାଦ ମୁଣ୍ଡ ଟେକିଛି।

ଜଣେ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କ ପାଇଁ ଭାରତ ସ୍ୱର୍ଣ୍ଣ ପଦକର ସୁନେଲି ସ୍ୱପ୍ନ ଦେଖୁଥିଲା। କିନ୍ତୁ ଶହେ ଗ୍ରାମ୍ ଅଧିକା ଓଜନ ପାଇଁ ଅଯୋଗ୍ୟ ଘୋଷିତ ପରେ ଏହି ସ୍ୱପ୍ନ ଚୁରମାର୍ ହୋଇଗଲା। ଭିନେଶଙ୍କ ହାତରୁ ଅଲମ୍ପିକ୍ସ ପଦକ ଖସିଗଲା ପରେ ସାରା ଭାରତ ସ୍ତବ୍ଧ। ଭିନେଶଙ୍କ ସହ ଏଭଳି ମୂହୂର୍ତ୍ତରେ ସାରା ଭାରତ ଛିଡ଼ା ହୋଇଥିଲା ବେଳେ ଆଉ ଜଣେ ମହିଳା କୁସ୍ତିଯୋଦ୍ଧା ମ୍ୟାଚ୍ ହାରିକି ବି ତାଙ୍କରି ଆଚରଣ ଭାରତକୁ ଚକିତ କରିଛି। ସେ ହେଉଛନ୍ତି ହରିଆଣାର କୁସ୍ତିଯୋଦ୍ଧା ଅନ୍ତିମ ପଙ୍ଘାଲ। ନୂଆ ବିବାଦରେ ଫସିଛନ୍ତି ଅନ୍ତିମ। ପ୍ୟାରିସ ଅଲମ୍ପିକ୍ସର ଅନୁଶାସନ ଭାଙ୍ଗିବା ଆରୋପରେ ତାଙ୍କ ବିରୁଦ୍ଧରେ ରିପୋର୍ଟ ହୋଇଛି। ପୁରା ପ୍ରକରଣରେ ତାଙ୍କ ଭଉଣୀ ବି ବେଆଇନ ଭାବେ କ୍ରୀଡ଼ା ଗ୍ରାମରେ ପ୍ରବେଶ କରିବାରୁ ପୁଲିସ ତାଙ୍କୁ ବି ଧରି ମାମଲା ରୁଜୁ କରିଛି। ନିଜର ସାମଗ୍ରୀ ଆଣିବାକୁ କ୍ରୀଡ଼ା ଗାଁକୁ ନିଜ ସାନ ଉଭଣୀଙ୍କୁ ନିଜର ଅଧିକୃତ ପ୍ରବେଶ କାର୍ଡ ଦେଇ ପଠାଇଥିଲେ ଅନ୍ତିମ। ଯଦିଓ ତାଙ୍କ ସାନ ଭଉଣୀ କ୍ରୀଡ଼ା ଗ୍ରାମକୁ ପ୍ରବେଶ କରିଥିଲେ। କିନ୍ତୁ ବାହାରିଲା ବେଳକୁ ସୁରକ୍ଷାକର୍ମୀଙ୍କ ହାବୁଡ଼ରେ ପଡ଼ିଥିଲେ। ପ୍ରସ୍ଥାନ ଗେଟରେ ଧରି ପକାଇଥିଲେ ସୁରକ୍ଷାକର୍ମୀ। ମହିଳା କୁସ୍ତିଯୋଦ୍ଧା ୫୩ କିଲୋଗ୍ରାମ ବର୍ଗରେ ନିଜର ପ୍ରଥମ ମ୍ୟାଚ୍ ହାରିବା ପରେ ପ୍ୟାରିସ୍ ଅଲମ୍ପିକ୍ସରୁ ବାଦ୍ ପଡ଼ିଥିଲେ ଅନ୍ତିମ । ହାରିବା ପରେ ହୋଟେଲରେ ତାଙ୍କ କୋଚ୍ ଭଗତ ସିଂ ଓ ବିକାଶଙ୍କ ସହ ରହୁଥିଲେ। ଅନ୍ତିମ ସେଥିଲାଗି ନିଜ ସାମଗ୍ରୀ କ୍ରୀଡ଼ା ଗ୍ରାମରୁ ଆଣିବାକୁ ସାନ ଭଉଣୀଙ୍କୁ ନିଜର ଅଧିକୃତ ପ୍ରବେଶ କାର୍ଡ ଦେଇ ପଠାଇ ନୂଆ ବିବାଦରେ ଫସିଛନ୍ତି ଅନ୍ତିମ। ଏହି ବେଆଇନ କାମ ହେତୁ ଅନ୍ତିମଙ୍କ ଭଉଣୀଙ୍କୁ ଥାନାକୁ ନିଆଯାଇଥିଲା। ଥାନାକୁ ଅନ୍ତିମକୁ ଡକାଯାଇ ବୟାନ ବି ରେକର୍ଡ କରିଛି ପୁଲିସ। କେବଳ ଏତିକି ନୁହେଁ। ସହଯୋଗୀ ଷ୍ଟାଫ୍ ବିକାଶ ଓ ଭଗତ ବି ନିଶାଗ୍ରସ୍ତ ଅବସ୍ଥାରେ କ୍ୟାବରେ କୁଆଡ଼େ ଯାତ୍ରା କରୁଥିଲେ! ଭଡ଼ା ଦେବାକୁ ମନା କରିବା ସହ ଡ୍ରାଇଭର ସହ ଯୁକ୍ତି କରିବାରୁ ଡ୍ରାଇଭବ ଥାନାକୁ ଖବର ଦେଇଥିଲେ। ଦୁଇ କୋଚଙ୍କୁ ବି ଥାନାକୁ ଡାକି ପଚରାଉଚୁରା କରିଥିଲା ପୁଲିସ! ଏଭଳି ଶୃଙ୍ଖଳା ବିରୋଧୀ କାମ ଭାରତକୁ ନିନ୍ଦିତ କରିଛି। ସେଥିଲାଗି ଇଣ୍ଡିଆନ ଅଲମ୍ପିକ୍ସ ଆସୋସିଏସନ ତୁରନ୍ତ ଅନ୍ତିମ ଓ ତାଙ୍କ ସପୋର୍ଟ ଷ୍ଟାଫଙ୍କୁ ପ୍ୟାରିସ ଛାଡ଼ିବାକୁ କହିଛି।

ପୁଲିସ ଅନ୍ତିମଙ୍କ କ୍ରୀଡ଼ା ଗ୍ରାମକୁ ଏଣ୍ଟ୍ରି କାର୍ଡକୁ ରଦ୍ଦ କରିଦେଇଛି। ଅନ୍ତିମ ନିଜ ସାନ ଭଉଣୀ ନିଶାଙ୍କୁ ନିଜର ଆକ୍ରିଡେସନ କାର୍ଡ ଦେଇ ଏହାର ଦୁରୁପଯୋଗ କରିଥିବାରୁ ନିଶାଙ୍କୁ ପୁଲିସ କିଛି ସମୟ ନିଜ ହେପାଜତକୁ ନେଇଥିଲା। ପରେ ଭାରତୀୟ ଅଲମ୍ପିକ୍ସ ସଂଘର ହସ୍ତକ୍ଷେପ ପରେ ପୁଲିସ ଚେତାବନୀ ଦେଇ ଛାଡ଼ି ଦେଇଥିଲା।

ଅଗଷ୍ଟ ୭। ଅନ୍ତିମଙ୍କ ଲାଗି କଳା ଦିନ ଥିଲା କହିଲେ ଭୁଲ୍ ହେବନି। ବହୁ ପ୍ରତୀକ୍ଷିତ ପ୍ୟାରିସ୍ ଅଲମ୍ପିକ୍ସରେ ମହିଳା ଫ୍ରି-ଷ୍ଟାଇଲ୍ ୫୩ କିଲୋଗ୍ରାମ ବର୍ଗରେ ଡେବ୍ୟୁ ମ୍ୟାଚରେ ପ୍ରଥମ ପର୍ଯ୍ୟାୟରେ ହିଁ ହାରର ସମ୍ମୁଖୀନ ହୋଇଥିଲେ ଅନ୍ତିମ। ନିଜର ଓପନିଂ ରାଉଣ୍ଡରେ ହିଁ ୦-୧୦ରେ ହାରିଯାଇଥିଲେ। ଏହି ୧୯ ବର୍ଷୀୟା ଖେଳାଳୀଙ୍କ ରେପଚେଜ୍ ଜରିଆରେ ବ୍ରୋଞ୍ଜ୍ ପଦକ ଦୌଡ଼ରେ ଯେଉଁ ଆଶା ଥିଲା, ତାହା ବି ଏ ବିବାଦ କାରଣରୁ ଧୂଳିସାତ୍ ହୋଇଗଲା। ବିଶ୍ୱ ଚାମ୍ପିୟନସିପରେ ବ୍ରୋଞ୍ଜ୍ ପଦକ ବିଜେତା ଅନ୍ତିମ ଯିଏ କି ଭିନେଶ ଫୋଗଟଙ୍କ କ୍ୟାଟାଗୋରୀରେ ଅଲମ୍ପିକ୍ସ କୋଟା ହାସିଲ କରିବାରେ ପ୍ରଥମ ମହିଳା କୁସ୍ତିଯୋଦ୍ଧା ଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button