ରାଜ୍ୟ

ଝାଟି ମାଟି ଘରେ ଚାଲିଛି କୁନି କୁନି ପିଲାଙ୍କ ପାଠ ପଢ଼ା, ଦେଶୀ ଡଙ୍ଗାରେ ଆସି ପାଠ ପଢ଼ାନ୍ତି ସ୍କୁଲ ଶିକ୍ଷୟିତ୍ରୀ

ମତାପୁଟ: ଝାଟିମାଟିରେ ନିର୍ମିତ ହୋଇଥିବା ଏକ ଅସ୍ଥାୟୀ କୁଡ଼ିଆ ଘରେ ଗଢ଼ା ଚାଲିଛି କୁନିକୁନି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ। ଶିକ୍ଷାଦାନ ପାଇଁ ଗୋଟିଏ ପଟେ ଜୀବନକୁ ବାଜି ଲଗାଉଛନ୍ତି ଶିକ୍ଷୟିତ୍ରୀ । ଅନ୍ୟପଟେ ବିପଦ ସଂକୁଳ ଅବସ୍ଥାରେ ୨୨ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ା ଚାଲିଛି । ଲମତାପୁଟ ବ୍ଲକ ଗୁନେଇପଡା ପଞ୍ଚାୟତର ଆମ୍ବପଡା ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଏମିତି ଦୁର୍ଦ୍ଦଶା ଦେଖିବାକୁ ମିଳିଛି ।

ଚାରିପଟେ କେଇ ଖଣ୍ଡ ବାଉଁଶ କାଠରେ ତିଆରି ହୋଇଛି ପାଚେରୀ, ମୁଣ୍ଡ ଉପରେ ରହିଛି ଆଜବେଷ୍ଟ ଛାଉଁଣୀ। ବର୍ଷା ଏବଂ ଥଣ୍ଡାରୁ ପିଲାଙ୍କୁ ସୁରକ୍ଷା ଦେବା ପାଇଁ ଝାଟି କାଠ ଉପରେ ବନ୍ଧା ହୋଇଛି ଚିରା ପଲିଥିନ। ଦୁଇବର୍ଷ ହେଲାଣି ଏଭଳି ବିପଦ ସଂକୁଳ ଅବସ୍ଥାରେ ଚାଲିଛି ପ୍ରାଥମିକ ବିଦ୍ୟାଳୟ।

ପିଲାଙ୍କ ଭବିଷ୍ୟତ ଗଢିବା ପାଇଁ ଦୁଇ ଶିକ୍ଷୟିତ୍ରୀ ବିପଦ ସଂକୁଳ ଅବସ୍ଥାରେ ମାଛକୁଣ୍ଡ ଗାଁକୁ ଲାଗି ରହିଥିବା ନଦୀରେ ଏକ ଦେଶୀ ଡଙ୍ଗା ସାହାଯ୍ୟରେ ନଦୀ ପାର ହୋଇ ସକାଳୁ ବିଦ୍ୟାଳୟକୁ ଆସନ୍ତି । ଗାଁ ଲୋକଙ୍କ ଦ୍ୱାରା ନିର୍ମାଣ ହୋଇଥିବା ଝାଟିମାଟି ଘରେ ୨ ଶିକ୍ଷୟିତ୍ରୀ ୨୨ ଜଣ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି ।

ଦୁଇ ବର୍ଷରୁ ଉର୍ଦ୍ଧ୍ୱ ହେବ ପ୍ରାଥମିକ ବିଦ୍ୟାଳୟ ସମ୍ପୂର୍ଣ ଭାଙ୍ଗିଗଲା ଏନେଇ ଗାଁ ଲୋକେ ଲମତାପୁଟ ବ୍ଲକ ଶିକ୍ଷା ଅଧିକାରୀ ଏବଂ ବିଡିଓଙ୍କୁ ଜଣାଇଥିଲେ । ସଙ୍ଗେ ସଙ୍ଗେ ବିଦ୍ୟାଳୟ ନିର୍ମାଣ ପାଇଁ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଗଲା । କିନ୍ତୁ ଦୁଇ ବର୍ଷ ବିତି ଯାଇଥିଲେ ବି ଅର୍ଦ୍ଧ ନିର୍ମିତ ହୋଇ ପଡ଼ି ରହିଛି ନୂଆ ବିଦ୍ୟାଳୟ । ବାରମ୍ବାର ଏନେଇ ଜଣାଇବା ପରେ ବି ବ୍ଲକ ପ୍ରଶାସନ ସ୍ତରରେ କୌଣସି ପଦକ୍ଷେପ ନିଆଯାଇଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ । ଲମତାପୁଟ ବିଡିଓ ଏହି ସମସ୍ୟା ବିଷୟରେ ଅବଗତ ଥିବା କହିଛନ୍ତି l ବିଦ୍ୟାଳୟ ସମ୍ପୂର୍ଣ କରିବା ପାଇଁ ପାଣ୍ଠି ନଥିବାରୁ ଏହା ସମ୍ପୂର୍ଣ ହୋଇପାରୁନି । ପାଣ୍ଠି ଆସିଲେ ବିଦ୍ୟାଳୟ କାର୍ଯ୍ୟ ଖୁବଶୀଘ୍ର ସରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଅସ୍ଥାୟୀ ବିଦ୍ୟାଳୟ ଭାବେ ଏହି ଝାଟିମାଟି ଘରେ ପିଲାମାନେ ପାଠ ପଢ଼ୁଛନ୍ତି । ବର୍ଷା ଦିନ ହୋଇଥିବାରୁ ସରୀସୃପଙ୍କ ଭୟ ରହିଛି ଅନ୍ୟପଟେ ଲଗାଣ ବର୍ଷା ପବନରେ କେତେବେଳେ ଯେ ଆଜବେଷ୍ଟ ଉଡିଯିବ ସେ ଭୟ ବି ରହୁଛି । ତେଣୁ ଯଥାଶୀଘ୍ର ସ୍କୁଲ ନିର୍ମାଣ ଶେଷ ହେଲେ ପିଲାମାନେ ସୁରୁଖୁରରେ ପାଠ ପଢ଼ିପାରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button