ଦିଲ୍ଲୀରେ ଓଜୋନ୍ ମାତ୍ରା ବିପଜ୍ଜନକଭାବେ ଅଧିକ ରହିଛି
ନୂଆଦିଲ୍ଲୀ: ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନ୍ଭାଇରନ୍ମେଣ୍ଟ (ସିଏସ୍ଇ) ପକ୍ଷରୁ ମଙ୍ଗଳବାର ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଦିଲ୍ଲୀ-ଏନ୍ସିଆର୍ ଦେଶର ୧୦ଟି ସହର ତାଲିକାର ଶୀର୍ଷରେ ରହିଛି ଯେଉଁଠାରେ ଭୂପୃଷ୍ଠର ଉପରିଭାଗରେ ଥିବା ବାୟୁସ୍ତରରେ ଓଜୋନ (ଓ୩)ର ମାତ୍ରା ସର୍ବାଧିକ ରହିଛି। ଅଧ୍ୟୟନ ଅନୁଯାୟୀ, ଜାନୁଆରି ପହିଲାରୁ ଜୁଲାଇ ୧୮ ପର୍ଯ୍ୟନ୍ତ ୨୦୦ ଦିନ ମଧ୍ୟରେ ଦିଲ୍ଲୀ-ଏନ୍ସିଆର୍ରେ ୧୭୬ ଦିନ ଓଜୋନ ଅଧିକ ରହିଥିବା ରେକର୍ଡ କରାଯାଇଛି।
ଦ୍ୱିତୀୟ ସର୍ବାଧିକ ୧୩୮ ଦିନ ମୁମ୍ବାଇ-ଏମ୍ଏମ୍ଆର୍ ଓ ପୁଣେରେ ଥିବା ବେଳେ ଜୟପୁରରେ ୧୨୬ ଦିନ ରହିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିରନ୍ତର ବାୟୁ ଗୁଣବତ୍ତା ମନିଟରିଂ ସିଷ୍ଟମ (ସିଏଏକ୍ୟୁଏମ୍ଏସ୍) ଅଧୀନରେ ଥିବା କେନ୍ଦ୍ରରୁ ମିଳିଥିବା ତଥ୍ୟ ସିଏସ୍ଇ ବ୍ୟବହାର କରିଛି।
ଭୂପୃଷ୍ଠ ଉପର ସ୍ତରରେ ଅତ୍ୟଧିକ ପ୍ରତିକ୍ରିୟାଶୀଳ ଗ୍ୟାସ୍ ଓଜୋନ ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପକାଇଥାଏ। ଆଜମା ଓ କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ପଲ୍ମୋନାରି ଡିଜିଜ୍ ଥିବା ବ୍ୟକ୍ତି, ଅପରିପକ୍ବ ଫୁସ୍ଫୁସ୍ ଥିବା ପିଲା ଓ ବୟସ୍କ ବ୍ୟକ୍ତିମାନେ ଗୁରୁତର ବିପଦର ସମ୍ମୁଖୀନ ହୁଅନ୍ତି। ଏହାଦ୍ୱାରା ଶ୍ୱାସନଳୀରେ ପ୍ରଦାହ, ଫୁସଫୁସ ସଂକ୍ରମଣ, ଆଜମା, ଏମ୍ଫିସେମା ଓ କ୍ରନିକ୍ ବ୍ରୋଙ୍କାଇଟିସ୍ ବୃଦ୍ଧି ପାଇଥାଏ ବୋଲି ସିଏସ୍ଇର କାର୍ଯ୍ୟନିର୍ବାହୀ ନିର୍ଦେଶିକା ଅନୁମିତା ରାୟଚୌଧୁରୀ କହିଛନ୍ତି। ଏହି ଅଧ୍ୟୟନରେ ୨୦୨୦ରୁ ୨୦୨୩ ମଧ୍ୟରେ ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ-ଏନ୍ସିଆର୍, ଗ୍ରେଟର ଅହମଦାବାଦ, ଗ୍ରେଟର ହାଇଦ୍ରାବାଦ, ଗ୍ରେଟର ଜୟପୁର, କୋଲକାତା, ଗ୍ରେଟର ଲକ୍ଷ୍ନୌ, ମୁମ୍ବାଇ ମେଟ୍ରୋପଲିଟାନ ଅଞ୍ଚଳ ଓ ପୁଣେକୁ ଅନ୍ତର୍ଭୁକ୍ତ କରି ତୁଳନାତ୍ମକ ତଥ୍ୟ ଆକଳନ କରାଯାଇଥିଲା। ଭୂପୃଷ୍ଠ ଉପର ପ୍ରଥମ ସ୍ତରର ଓଜୋନ ସିଧାସଳଖ ନିର୍ଗତ ହୁଏ ନାହିଁ, ବରଂ ଯାନବାହନ, ପାୱାର ପ୍ଲାଣ୍ଟ, କାରଖାନା ଓ ଅନ୍ୟ ଦହନ ଉତ୍ସରୁ ନିର୍ଗତ ନାଇଟ୍ରୋଜେନ୍ ଅକ୍ସାଇଡ୍ ଓ ବାଷ୍ପଶୀଳ ଯୌଗିକ ମଧ୍ୟରେ ଏକ ଜଟିଳ ପ୍ରତିକ୍ରିୟାରୁ ଉତ୍ପନ୍ନ ହୁଏ।
ସୂଚନାଯୋଗ୍ୟ ଓଜୋନ (ଓ୩) ହେଉଛି ଅମ୍ଳଜାନ (ଓ୨)ର ଏକ ଭିନ୍ନରୂପ- ଅମ୍ଳଜାନରେ ୨ଟି ଅମ୍ଳଜାନ ପରମାଣୁ ଥିବା ବେଳେ ଓଜୋନରେ ୩ଟି ଅମ୍ଳଜାନ ପରମାଣୁ ଥାଏ। ଅମ୍ଳଜାନ ବିନା ଜୀବନ ଅସମ୍ଭବ ହୋଇଥିବା ବେଳେ ଭୂପୃଷ୍ଠ ଉପରସ୍ତର ବାୟୁମଣ୍ଡଳରେ ଓଜୋନର ମାତ୍ରା ଅଧିକ ହେଲେ ତାହା ଶ୍ବାସରୋଗ ପରି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧି କରିଥାଏ। କିନ୍ତୁ ବାୟୁମଣ୍ଡଳର ଷ୍ଟ୍ରାଟୋସ୍ଫିୟରରେ ଥିବା ଓଜୋନ ସ୍ତର ସୂର୍ଯ୍ୟଙ୍କଠାରୁ ଆସୁଥିବା କ୍ଷତିକାରକ ଅତିବାଇଗଣି ରଶ୍ମିକୁ ଅଟକାଇ ଆମକୁ ସୁରକ୍ଷା ଦେଇଥାଏ।