ହିଣ୍ଡାଲ୍କୋ ନାଁରେ ସିବିଆଇର ଏତଲା
ନୂଆଦିଲ୍ଲୀ: ଦୁର୍ନୀତି ଓ ଲାଞ୍ଚ ଅଭିଯୋଗରେ ସିବିଆଇ ପକ୍ଷରୁ ଆଦିତ୍ୟ ବିର୍ଲା ଗ୍ରୁପ୍ର କମ୍ପାନି ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ବିରୋଧରେ ଏତଲା ରୁଜୁ କରାଯାଇଛି। ସିବିଆଇ ଅଭିଯୋଗ କରିଛି ଯେ ଓଡ଼ିଶାର ଝାରସୁଗୁଡ଼ାରେ ଥିବା ତଲାବିରା-୧ କୋଇଲା ଖଣିର ପରିବେଶ ମଞ୍ଜୁରୀକୁ କମ୍ପାନି ଉଲ୍ଲଂଘନ କରିଛି। କମ୍ପାନି ଅନୁମୋଦିତ କ୍ଷମତାଠାରୁ ଅଧିକ ୩.୦୪୫ ନିୟୁତ ଟନ୍ କୋଇଲା ଉତ୍ତୋଳନ କରିଥିବା ଅଭିଯୋଗ ରହିଛି।
ଏହି ଖଣିଟି ଅତ୍ୟଧିକ ପ୍ରଦୂଷିତ ଅଞ୍ଚଳରେ ରହିଛି। ସେହି ବିଷୟକୁ ସମ୍ପୂର୍ଣ୍ଣ ଅଣଦେଖା କରି ଖଣିର କ୍ଷମତାକୁ ଦ୍ବିଗୁଣିତ କରିବା ଲାଗି ୨୦୧୧ରେ ପରିବେଶ ମଞ୍ଜୁରି ପ୍ରଦାନ କରାଯାଇଥିଲା। ସେଥିପାଇଁ ଲାଞ୍ଚ କାରବାର ହୋଇଥିଲା। କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଟି ଚାନ୍ଦିନୀ ନିଜ ପଦର ଅପବ୍ୟବହାର କରି କମ୍ପାନିକୁ ଲାଭ ପହଞ୍ଚାଇବା ପାଇଁ ଅତ୍ୟଧିକ ପ୍ରଦୂଷିତ ଅଞ୍ଚଳ ପାଇଁ ରହିଥିବା ନିୟମକୁ ଅଣଦେଖା କରିଥିଲେ ଓ ଖଣି ପାଇଁ ପରିବେଶ ମଞ୍ଜୁରି ପ୍ରଦାନ କରିଥିଲେ।
ଏଫ୍ଆଇଆର୍ରେ ସିବିଆଇ ଜଣାଇଛି କେନ୍ଦ୍ରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଥିବା ବେଳେ ଏହି ଅପରାଧ ଆରମ୍ଭ ହୋଇଥିଲା। ଏହି ମାମଲାରେ ୨୦୧୬ରେ ସିବିଆଇ ପ୍ରାରମ୍ଭିକ ଅନୁସନ୍ଧାନ କରିଥିଲା। ୨୦୧୧-ରୁ ୨୦୧୩ ଭିତରେ ପରିବେଶ ମଞ୍ଜୁରି ପାଇବା ଲାଗି କମ୍ପାନି ବ୍ୟାପକ ଲାଞ୍ଚ କାରବାର କରିଥିବା ଅଭିଯୋଗ ହୋଇଥିଲା। ପ୍ରାରମ୍ଭିକ ଅନୁସନ୍ଧାନର ଆଠ ବର୍ଷ ପରେ ସିବିଆଇ ଦୁର୍ନୀତି ନିରୋଧୀ ନିୟମ ଆଧାରରେ ହିଣ୍ଡାଲ୍କୋ ନାମରେ ଏଫ୍ଆଇଆର୍ ରୁଜୁ କରିଛି। ସିବିଆଇର ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ପରିବେଶ ମଞ୍ଜୁରୀରେ ଅନୁମୋଦିତ ପରିମାଣଠାରୁ ଅଧିକ କୋଇଲାକୁ କମ୍ପାନି ଉତ୍ତୋଳନ କରିଛି ୨୦୦୧ ଓ ୨୦୦୯ର ପରିବେଶ ମଞ୍ଜୁରିକୁ ମଧ୍ୟ ଏହା ଉଲ୍ଲଂଘନ କରିଛି।
ତଲାବିରା-୧ ଖଣିରୁ ୦.୪ ନିୟୁତ ଟନ୍ କୋଇଲା ଉତ୍ପାଦନ କରିବା ଲାଗି ହିଣ୍ଡାଲ୍କୋକୁ ପ୍ରଥମ ପରିବେଶ ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ଏହାପରେ ୨୦୦୯ ଜାନୁଆରିରେ ଖଣିର କ୍ଷମତାକୁ ୧.୫ ନିୟୁତ ଟନ୍କୁ ବଢ଼ାଇବା ଲାଗି ଆଉ ଏକ ପରିବେଶ ମଞ୍ଜୁରୀ ଦିଆଯାଇଥିଲା। ଏହାର କିଛି ମାସ ପରେ ଖଣିର ଉତ୍ପାଦନ କ୍ଷମତାକୁ ୩ ନିୟୁତ ଟନ୍କୁ ବଢ଼ାଇବା ଲାଗି କମ୍ପାନି ପୁଣି ଥରେ ପରିବେଶ ମଞ୍ଜୁରୀ ଲୋଡ଼ିଥିଲା। ୨୦୦୪-୦୫ରୁ ୨୦୦୭-୦୯ ମଧ୍ୟରେ କମ୍ପାନି ଅନୁମୋଦିତ କ୍ଷମତାଠାରୁ ଅଧିକ କୋଇଲା ଉତ୍ତୋଳନ କରିଥିବା ଅଭିଯୋଗ ହୋଇଛି। ସିବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ତଲାବୀରା-୧ କୋଇଲା ଖଣିଟି ଅତ୍ୟଧିକ ପ୍ରଦୂଷିତ ଅଞ୍ଚଳରେ ଥିବା ନେଇ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସ୍ପଷ୍ଟ କରିଛନ୍ତି।