ଦେଶ- ବିଦେଶ

ମୈତେଇ-କୁକି ଶାନ୍ତି ଚୁକ୍ତିକୁ ୨୪ ଘଣ୍ଟା ନ ପୁରୁଣୁ ମଣିପୁରରେ ପୁଣି ବ୍ୟାପକ ହିଂସାକାଣ୍ଡ

ମ୍ଫାଲ: ଦେଶର ସର୍ବାଧିକ ଅଶାନ୍ତ ତଥା ହିଂସାପ୍ରବଣ ଅଞ୍ଚଳ ଭାବେ ବିବେଚିତ ହେଉଥିବା ମଣିପୁରର ଜିରିବାମ ଜିଲ୍ଲାରେ ଶାନ୍ତି ବଜାୟ ରଖିବା ଉଦ୍ଦେଶ୍ୟରେ ଦିନକ ପୂର୍ବେ ମୈତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଏକ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ସ୍ଥାନୀୟ ପ୍ରଶାସନର ପ୍ରଚେଷ୍ଟା ବଳରେ ଉଭୟ ମୈତେଇ ଏବଂ କୁକି ଜୋ ସମ୍ପ୍ରଦାୟର ହମାର ଗ୍ରୁପ୍ ମଧ୍ୟରେ ସହମତି ଭିତ୍ତିରେ ଏହି ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।

ଏହି ଶାନ୍ତି ଚୁକ୍ତି ଅନୁସାରେ ଉଭୟ ପକ୍ଷ ପରସ୍ପର ଉପରେ ଆଉ ହିଂସାତ୍ମକ ଆଚରଣ ପ୍ରଦର୍ଶନ କରିବେ ନାହିଁ ଏବଂ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବେ ବୋଲି ସହମତ ହୋଇଥିଲେ । ତେବେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହେବାର ୨୪ ଘଣ୍ଟା ନ ପୁରୁଣୁ ମଣିପୁରର ଜିରିବାମ୍‌ରେ ପୁଣି ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି । ମୈତେଇ ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କ ଘରକୁ ଜାଳିପୋଡି ଦିଆଯାଇଛି । ରିପୋର୍ଟ ଅନୁସାରେ ଜିରିବାମ ଜିଲ୍ଲାର ଲାଲପାଣି ଅଞ୍ଚଳ(ବଙ୍ଗାଳୀ ଭାଷାଭାଷି ବହୁଳ ଅଞ୍ଚଳ)ରେ ବସବାସ କରୁଥିବା ମୈତେଇ ସମ୍ପ୍ରଦାୟର ପରିବାରଙ୍କ ଘର ଉପରେ ପ୍ରଥମେ ଗୁଳିମାଡ଼ କରାଯିବା ପରେ ସେମାନଙ୍କ ମଧ୍ୟରୁ ଜଣକ ଘରକୁ ପୋଡି ଦିଆଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ପ୍ରକାଶ, ଲାଲପାଣି ଅଞ୍ଚଳ, ଏଠାରେ ଥିବା ସିଜାଙ୍ଗ ନାମକ ଏକ କୁକି ସମ୍ପ୍ରଦାୟ ବହୁଳ ଗ୍ରାମକୁ ଲାଗି ରହିଛି ।
ମଣିପୁର ହିଂସା ପ୍ରଭାବିତ ଜିରିବାମ ଜିଲ୍ଲାରେ ସ୍ଥିତି ସୁଧାରିବା ଏବଂ ଶାନ୍ତି ଫେରାଇ ଆଣିବା ପାଇଁ ମୈତେଇ ଏବଂ ହମାର ସମ୍ପ୍ରଦାୟ ପକ୍ଷରୁ ପ୍ରାୟ ୯ଟି ସମାଜସେବୀ ସଂଗଠନ ଜିଲ୍ଲା ପ୍ରଶାସନ, ପୁଲିସ୍ ପ୍ରଶାସନ, ସିଆରପିଏଫ୍‌, ଆସାମ୍ ରାଇଫଲ୍ସର ଅନୁରୋଧକ୍ରମେ ଏକଜୁଟ୍ ହୋଇଥିଲେ । ଗୁରୁବାର ଆସାମର କାଚର ସ୍ଥିତ ସିଆରପିଏଫ୍ ସୁବିଧା କେନ୍ଦ୍ରରେ ଆୟୋଜିତ ଏକ ବୈଠକରେ ଉଭୟ ପକ୍ଷ ପ୍ରତିନିଧିମାନେ ମିଳିତ ଭାବେ କାର୍ଯ୍ୟ କରିବାକୁ ରାଜି ହୋଇଥିଲେ । ସେମାନଙ୍କ ମଧ୍ୟରେ ଏକ ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହୋଇଥିଲା । ଅଞ୍ଚଳରେ ସ୍ୱାଭାବିକତା ଫେରାଇ ଆଣିବା ଏବଂ ଅଗ୍ନିକାଣ୍ଡ ଏବଂ ଗୁଳି ବିନିମୟ ବନ୍ଦ କରିବା ପାଇଁ ଉଭୟ ପକ୍ଷ ସମସ୍ତ ପ୍ରକାର ଉଦ୍ୟମ କରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା । ସେହିପରି ଜିରିବାମ ଜିଲ୍ଲାରେ ନିୟୋଜିତ ସମସ୍ତ ସୁରକ୍ଷା ବାହିନୀକୁ ଉଭୟ ପକ୍ଷ ସହାୟତା ପ୍ରଦାନ କରିବେ । ଉଭୟ ପକ୍ଷ ନିୟନ୍ତ୍ରିତ ଏବଂ ସମନ୍ୱିତ ଗତିବିଧିକୁ ସହଜ କରିବେ । ସମସ୍ତ ଅଂଶଗ୍ରହଣକାରୀ ସମ୍ପ୍ରଦାୟର ପ୍ରତିନିଧୀମାନେ ଏହି ସମୟ ମଧ୍ୟରେ ପ୍ରତିଜ୍ଞା ସହ ଜଡିତ ବିବୃତ୍ତି ପ୍ରଦାନ କରିଥିଲେ । କିନ୍ତୁ ଏହି ଚୁକ୍ତିନାମାର ୨୪ ଘଣ୍ଟା ମଧ୍ୟରେ ଜିରିବାମର ଲାଲପାନି ଗ୍ରାମରେ ହିଂସା ଘଟିଛି । ଶୁକ୍ରବାର ବିଳମ୍ବିତ ରାତିରେ ସଶସ୍ତ୍ର ଲୋକମାନେ ମୈତେଇ ସମ୍ପ୍ରଦାୟର ଏକ ଘରେ ନିଆଁ ଲଗାଇ ଦେଇଛନ୍ତି । ଏସବୁ ଘଟଣା ସାମ୍ନାକୁ ଆସିବା ପରେ ଜିରିବାମ୍ ଏସ୍‌ପି ଏମ୍ ପ୍ରଦୀପ ସିଂହ ସୂଚନା ଦେଇ କହିଛନ୍ତି ଯେ, ପରିସ୍ଥିତି ଉପରେ ନଜର ରଖାଯାଇଛି । ଘଟଣା ସ୍ଥଳକୁ ସିଆରପିଏଫ୍‌ର ଏକ ମିଳିତ ସୁରକ୍ଷା ବାହିନୀ ଟିମ୍‌କୁ ପଠାଯାଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସବୁପ୍ରକାର ଚେଷ୍ଟା ଜାରି ରହିଛି ।
ଏସବୁ ମଧ୍ୟରେ ହମାର ଗ୍ରୁପ୍ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ଗୁରୁବାର ଅନୁଷ୍ଠିତ ଶାନ୍ତି ଆଲୋଚନା ବୈଠକରେ ଗ୍ରୁପ୍ ପକ୍ଷରୁ ସାମିଲ ହୋଇଥିବା ଜିରିବାମ୍ ପ୍ରତିନିଧିମଣ୍ଡଳୀକୁ ରଦ୍ଦ କରିଦିଆଯାଇଛି । ମୈତେଇଙ୍କ ସହ ଶାନ୍ତି ଆଲୋଚନାର କୌଣସି ପ୍ରାସଙ୍ଗିକତା ନାହିଁ ଏବଂ ଶାନ୍ତି ଆଲୋଚନାରେ ସାମିଲ ପ୍ରତିନିଧିମଣ୍ଡଳୀ ସମ୍ପୂର୍ଣ୍ଣ ବେଆଇନ୍ ବୋଲି ହମାର ଗ୍ରୁପ୍ ଦର୍ଶାଇଛି । ସୂଚନାଯୋଗ୍ୟ, ହମାର, ଥାଡୋଉ, ପୈତେଇ ଏବଂ ମିଜୋ ଆଦି ଗ୍ରୁପ୍ କୁକି-ଜୋ ସମ୍ପ୍ରଦାୟ ଅନ୍ତର୍ଗତ ଆସୁଛନ୍ତି । ତେବେ ସମ୍ପୂର୍ଣ୍ଣ କୁକି-ଜୋ ସମ୍ପ୍ରଦାୟ ସହ ମୈତେଇ ସମ୍ପ୍ରଦାୟର ତିକ୍ତତା ରହିଆସିଛି, ଯାହାକି ମଣିପୁରରେ ଦଙ୍ଗା ତଥା ହିଂସାକାଣ୍ଡ ପରିସ୍ଥିତି ଉତ୍ପନ୍ନ କରୁଛି । ଏହି ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ ବାରମ୍ବାର ରକ୍ତାକ୍ତ ସଂଘର୍ଷ ଘଟଣାରେ ଇତି ମଧ୍ୟରେ ଅନେକ ଲୋକ ପ୍ରାଣ ହରାଇସାରିଥିବା ବେଳେ ହଜାର ହଜାର ସଂଖ୍ୟକ ଲୋକ ନିଜ ଅଞ୍ଚଳ ଛାଡି ରିଲିଫ୍ କ୍ୟାମ୍ପ୍‌ରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି । ସେହିପରି ଅନ୍ୟ ଏକ ରିପୋର୍ଟ ଅନୁସାରେ ପ୍ରାୟ କୁକି-ଜୋ-ହମାର ଗ୍ରୁପ୍ ପକ୍ଷରୁ ୧୦ଜଣ ବିଧାୟକ ମଣିପୁରରୁ ୨ ପ୍ଲାଟୁନ୍ ଆସାମ ରାଇଫଲ୍ସ ଯବାନଙ୍କୁ ମଣିପୁରରୁ ପ୍ରତ୍ୟାହାର ନକରିବାକୁ ତଥା ଜମ୍ମୁ କାଶ୍ମୀର ସ୍ଥାନାନ୍ତର ନକରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି୍‌ଥିବା ସୂଚନା ମିଳିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button