ଦେଶ- ବିଦେଶ

ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ: ମୃତ୍ୟୁସଂଖ୍ୟା ୧୬କୁ ବୃଦ୍ଧି; କେଦାରନାଥରେ ଫସିଛନ୍ତି ୪ ଓଡ଼ିଆ

ଡେରାଡୁନ୍‌: ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ଏବଂ ଭୂସ୍ଖଳନ ଜନିତ ମୃତ୍ୟୁସଂଖ୍ୟା ୧୬ରେ ପହଞ୍ଚିଛି । ଦିନକ ପୂର୍ବେ ଏଠାରେ କେବଳ ବାଦଲ ଫଟା ବର୍ଷା ଯୋଗୁ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସମ୍ବାଦ ମିଳିଥିବା ବେଳେ ଆଜି ସୁଦ୍ଧା ଏହା ୧୬କୁ ବୃଦ୍ଧି ପାଇଛି । ସେହିପରି ଅନ୍ୟ ୬ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି ।

ଏସବୁ ମଧ୍ୟରେ ଲଗାଣ ବର୍ଷା ଏବଂ ଭୂସ୍ଖଳନ ଯୋଗୁ କେଦାରନାଥ ଉପତ୍ୟକା ସହ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିବା ଯୋଗୁ ସେଠାରେ ହଜାର ହଜାର ସଂଖ୍ୟକ ଶିବଭକ୍ତ ଫସିରହିଛନ୍ତି । ଏମାନଙ୍କ ମଧ୍ୟରେ ଓଡ଼ିଶାର କେନ୍ଦୁଝର ଜିଲ୍ଲାରୁ କେଦାରନାଥ ଧାମ ଯାଇଥିବା ୪ ଓଡ଼ିଆ ବୋଲବମ୍ ଭକ୍ତ ମଧ୍ୟ ସାମିଲ ଅଛନ୍ତି । ଏମାନେ ହେଲେ ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ଗ୍ରାମର ସଦାନନ୍ଦ ସାହୁ (୩୫), ସରୁଆଳୀ ଗ୍ରାମର କାର୍ତ୍ତିକ ଖିଲାର (୪୪), ଚନ୍ଦ୍ରଶେଖରପୁର ଗ୍ରାମର ମହେଶ୍ୱର ପ୍ରଧାନ(୫୪) ଓ ସଦର ଥାନା ଅନ୍ତର୍ଗତ କେମ୍ପସଡା ଗ୍ରାମର ଋଷିନାଥ ମହାନ୍ତ (୨୮) । ୩୧ ତାରିଖ ଦିନ କେଦାରନାଥଙ୍କୁ ପୂଜାର୍ଚ୍ଚନା ପରେ ୧ ତାରିଖ ସକାଳେ ଏହି ୪ ଓଡ଼ିଆ ଶ୍ରଦ୍ଧାଳୁ ଓଡ଼ିଶା ଫେରିବା ଯୋଜନା ରହିଥିଲା ।

କିନ୍ତୁ ୩୧ ତାରିଖ ରାତିରେ ବାଦଲ ଫଟା ବର୍ଷା ସାଙ୍ଗକୁ ଭୂସ୍ଖଳନ ଯୋଗୁଁ ଉତ୍ତରାଖଣ୍ଡର ସୋନପ୍ରୟାଗ ଓ ଗୌରୀକୁଣ୍ଡ ମଧ୍ୟରେ କେଦାରନାଥ ରାଜପଥ ଏବଂ ପୋଲ ଧୋଇ ହୋଇଯିବା ସହ ନଷ୍ଟ ହୋଇଯାଇଥିଲା । ଫଳରେ ଏମାନେ ସେଠାରେ ଅନ୍ୟ ଭକ୍ତଙ୍କ ସହ ଫଶି ରହିଯାଇଥିଲେ । ତେବେ ସେଠାରେ ସେମାନେ ସୁରକ୍ଷିତ ଥିବା ଜଣାପଡିଛି । ଖୁବଶୀଘ୍ର ସେମାନେ ସେଠାରୁ ଉଦ୍ଧାର ହେବେ କୁହାଯାଉଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button