ଦେଶ- ବିଦେଶ

କେରଳ ୱାୟନାଡ଼ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୧୪୩କୁ ବୃଦ୍ଧି

କେରଳର ୱାୟନାଡ଼ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୧୪୩ କୁ ବୃଦ୍ଧି ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ମଙ୍ଗଳବାର ୮୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଏବେ ସକାଳୁ ମଧ୍ୟ ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଛି । ଶତାଧିକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି। ମଙ୍ଗଳବାର ଭୋର ସମୟରେ ଭୂସ୍ଖଳନ ଘଟିବାରୁ ଲୋକମାନେ ନିଜ ଘରେ ଶୋଇଥିବା ବେଳେ ଘରୁ ବାହାରିବାର ସୁଯୋଗ ପାଇନଥିଲେ। ଭୂସ୍ଖଳନ ଯୋଗୁଁ ଅନେକ ଘର ଭୁଶୁଡ଼ି ପଡ଼ିଛି, ନଦୀଗୁଡ଼ିକ ଜଳମଗ୍ନ ହୋଇଛି ଏବଂ ଅନେକ ଗଛ ଉପୁଡ଼ି ପଡ଼ିଛି। ଏକାଧିକ ଏଜେନ୍ସି ମିଳିତ ଭାବେ କ୍ଷତିଗ୍ରସ୍ତଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ କାମ କରୁଛନ୍ତି। ଏହା ପୂର୍ବରୁ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଥିଲେ ଯେ ୱାୟନାଡରେ ଭୂସ୍ଖଳନରେ ଆହତ ହୋଇଥିବା ଲୋକଙ୍କୁ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଭୂସ୍ଖଳନରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମୃତଦେହ ଚିହ୍ନଟ କରାଯାଉଛି ବୋଲି ସେ କହିଛନ୍ତି । ୪୫ଟି ରିଲିଫ୍ କ୍ୟାମ୍ପକୁ ୩ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ପ୍ରଥମ ଭୂସ୍ଖଳନ ରାତି ୨ଟାରେ ହୋଇଥିବା ବେଳେ ଦ୍ୱିତୀୟ ଭୂସ୍ଖଳନ ଭୋର ୪ଟା ୧୦ରେ ହୋଇଥିଲା। ସେପଟେ ଲୋକସଭାରେ ବିରୋଧୀ ଦଳ ନେତା ତଥା ୱାୟନାଡର ପୂର୍ବତନ ସାଂସଦ ରାହୁଲ ଗାନ୍ଧି ମଧ୍ୟ ସଂସଦରେ ୱାୟନାଡ ଭୂସ୍ଖଳନ ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ବିଷୟରେ ଉଲ୍ଲେଖ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button