ଦେଶ- ବିଦେଶ

ସେବା ବନ୍ଦ ବିଷୟରେ ହ୍ବାଟସ୍‌ଆପ୍ କିଛି କହିନି: ମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର କୋଟି ‌କୋଟି ଲୋକ ବ୍ୟବହାର କରୁଥିବା ମୋବାଇଲ୍‌ ମେସେଜିଂ ଆପ୍‌ ହ୍ବାଟସ୍‌ଆପ୍‌ ବନ୍ଦ ହୋଇଯିବ କି? ଏଭଳି ଆଶଙ୍କାକୁ ନେଇ ରାଜ୍ୟସଭାରେ ସରକାରଙ୍କୁ ଏକ ପ୍ରଶ୍ନ କରାଯାଇଥିଲା। ତାହାର ଉତ୍ତରରେ ଇଲେ‌କ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ଭାରତରେ ନିଜର ସେବା ବନ୍ଦ କରିବା ଲାଗି ହ୍ବାଟସ୍‌ଆପ୍ କିମ୍ବା ଏହାର ମାଲିକାନାସତ୍ତ୍ବ ରଖିଥିବା କମ୍ପାନି ମେଟା କୌଣସି ସୂଚନା ଦେଇନାହିଁ।

 

କଂଗ୍ରେସ ସଦସ୍ୟ ବିବେକ ତନ୍‌ଖା ସଂସଦରେ ଲିଖିତ ପ୍ରଶ୍ନ କରିଥିଲେ ଯେ ଆଇଟି ନିୟମ ୨୦୦୦ର ଧାରା ୬୯ଏ ଅଧୀନରେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ସମ୍ପର୍କିତ କାର୍ଯ୍ୟାନୁଷ୍ଠାନ ତଥ୍ୟ ପ୍ରତି ମାସରେ ଜାରି କରିବା ଲାଗି ଦିଆଯାଇଥିବା ନିର୍ଦ୍ଦେଶକୁ ନେଇ ହ୍ବାଟ୍‌ସଆପ୍ ଭାରତରେ ଏହାର ସେବା ବନ୍ଦ କରିବା ଉପରେ ବିଚାର କରୁଛି କି? ଏହାର ଉତ୍ତରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ ଯେ ଭାରତର ସାର୍ବଭୌମତ୍ବ, ସଂହତି, ଭାରତର ସୁରକ୍ଷା, ‌ବିଦେଶୀ ରାଷ୍ଟ୍ରଗୁଡ଼ିକ ସହ ସମ୍ପର୍କ ଏବଂ କମ୍ପ୍ୟୁଟରକୁ ମାଧ୍ୟମ କରି ହେଉଥିବା ଦଣ୍ଡନୀୟ ଅପରାଧଗୁଡ଼ିକୁ ରୋକିବା ଲାଗି ସରକାର ଏହି ନିର୍ଦ୍ଦେଶ ଜାରି କରିଛନ୍ତି।

ଚଳିତ ବର୍ଷ ଦିଲ୍ଲୀ ହାଇକୋର୍ଟଙ୍କୁ ହ୍ବାଟସ୍‌ଆପ୍ କହିଥିଲା ଯେ ମେସେଜ୍‌ ଏନ୍‌କ୍ରିପ୍‌ସନ୍‌କୁ ହଟାଇବା ଲାଗି ସରକାର ଯଦି ବାଧ୍ୟ କରିବେ ତେବେ କମ୍ପାନି ଭାରତରେ ଏହାର ସେବା ବନ୍ଦ କରିଦେବ। ତା’ ପୂର୍ବରୁ ମଧ୍ୟ ଆଇଟି ନିୟମରେ ରହିଥିବା କେତେକ ବ୍ୟବସ୍ଥାକୁ ହ୍ବାଟସ୍‌ଆପ୍ ବିରୋଧ କରିଥିଲା। ତାହା ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଂଘନ ଓ ଅସାମ୍ବିଧାନିକ ବୋଲି କମ୍ପାନି କହିଥିଲା। ହ୍ବାଟସ୍ଆପ୍‌ରେ ହେଉଥିବା ବାର୍ତ୍ତାଳାପ କେବଳ ପଠାଉଥିବା ଓ ପାଉଥିବା ବ୍ୟକ୍ତିଙ୍କ ଭିତରେ ସୀମିତ ରଖିବା ଲାଗି ଏଣ୍ଡ୍‌-ଟୁ-ଏଣ୍ଡ୍ ଏନ୍‌କ୍ରିପ୍ସନ କାର୍ଯ୍ୟକାରୀ କରାଯାଇଛି। ଏହି ସୁବିଧା ଲାଗି ଲୋକମାନେ ହ୍ବାଟସ୍‌ଆପ୍ ବ୍ୟବହାର କରିବାକୁ ପସନ୍ଦ କରୁଥିବା କମ୍ପାନି କୋର୍ଟଙ୍କୁ ଅବଗତ କରିଥିଲା। ଭାରତରେ ୪୦ କୋଟିରୁ ଅଧିକ ଲୋକ ହ୍ବାଟସ୍‌ଆପ୍ ବ୍ୟବହାର କରୁଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button