ଅପରାଧ

ରାଜଧାନୀର ଚର୍ଚ୍ଚିତ ଅପରାଧ: ବଲାଙ୍ଗୀର ଜେଲ୍‌ରେ ଯୋଜନା, ଭୁବନେଶ୍ବରରୁ ଅପହରଣ, ରାଞ୍ଚିରେ ହତ୍ୟା – Kalinga News

[ad_1]

ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ର ହତ୍ୟା ମାମଲା

ଭୁବନେଶ୍ବର: ୨୦୦୭ ମେ’ ୨୭ ତାରିଖ। ସେଦିନ ଅପରାହ୍ଣ ପ୍ରାୟ ଗୋଟାଏ ସମୟରେ ସହିଦନଗରକୁ ଏକ କାମରେ ଆସିଥିଲେ କେନ୍ଦୁଝରର ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ର। କାମ ସାରି ସେ ବାହାରକୁ ବାହାରିବା ସମୟରେ ଯାହା ଘଟିଲା, ତାହା କୌଣସି ଫିଲ୍ମର ଦୃଶ୍ୟଠୁ କମ୍‌ ନଥିଲା। ସେ ନିଜ କାର୍‌ରେ ବସୁ ବସୁ ପୂର୍ବରୁ ବାହାରେ ଛକିଥିବା କିଛିଲୋକ ତାଙ୍କୁ ଓ ତାଙ୍କ ଡ୍ରାଇଭରଙ୍କୁ ବଳପୂର୍ବକ ଅନ୍ୟଏକ କାର୍‌ ଭିତରକୁ ଉଠାଇ ନେଇଥିଲେ। ତା’ପରେ କାର୍‌ଟି ସେଠାରୁ ଦ୍ରୁତବେଗରେ ଫେରାର ହୋଇଯାଇଥିଲା। କିଛି ସେକେଣ୍ଡ ଭିତରେ ଏସବୁ ଏମିତି ଘଟିଗଲା ଯେ କେହି କିଛି ବୁଝି ପାରିଲେନି। ଏନେଇ ସହିଦନଗର ଥାନାକୁ ଖବର ଦିଆଗଲା। ହେଲେ ପୁଲିସ ଅପରାଧୀଙ୍କୁ କାବୁ କରିବାରେ ସକ୍ଷମ ହେଲାନି।

ଏହାର ୪ ଦିନ ପରେ ଝାଡ଼ଖଣ୍ଡ ପୁଲିସକୁ ରାଞ୍ଚି ନିକଟସ୍ଥ ଏକ ଜଙ୍ଗଲ ଭିତରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଦୁଇଟି ମୃତଦେହ ମିଳିଲା। ପ୍ରାଥମିକ ତଦନ୍ତରୁ ପିନ୍ଧିଥିବା ମୁଦି ଓ ଅନ୍ୟ ସାମଗ୍ରୀରୁ ତା’ ଭିତରୁ ଗୋଟିଏ ରଶ୍ମିରଞ୍ଜନଙ୍କ ମୃତଦେହ ବୋଲି ସନ୍ଦେହ ହୋଇଥିଲା। ପରେ ଦୁଇ ମୃତଦେହର ଫରେନ୍ସିକ୍ ଓ ଡିଏନ୍‌ଏ ଟେଷ୍ଟ କରାଯାଇ ସେଗୁଡ଼ିକ ରଶ୍ମିରଞ୍ଜନ ଓ ତାଙ୍କ ଡ୍ରାଇଭରଙ୍କର ବୋଲି ସ୍ପଷ୍ଟ ହୋଇଥିଲା। ଏହି ହାଇପ୍ରୋଫାଇଲ ମାମଲା ସେତେବେଳେ ଖୁବ୍‌ ଚହଳ ପକାଇଥିଲା। ଅପହରଣର ଖୁବ୍‌କମ ସମୟ ଭିତରେ ପୁଲିସକୁ ଖବର ଦିଆ ଯାଇଥିଲେ ହେଁ ଦୁର୍ବୃତ୍ତମାନେ ଦୁହିଁଙ୍କୁ ନେଇ ଖସିଯିବା, ବିଶେଷକରି ୩-୪ଟି ଟୋଲ୍‌ ଗେଟ୍‌ ପାରକରି ଅତି ସହଜରେ ରାଜ୍ୟ ବାହାରକୁ ନେଇଯାଇ ନିର୍ମମ ଭାବେ ହତ୍ୟା କରିବା ଓଡ଼ିଶା ପୁଲିସର ଦକ୍ଷତା ଉପରେ ଅଙ୍ଗୁଳି ଉଠାଇଥିଲା। ପୁଲିସ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ହୋଇଥିଲା।

ଅନ୍ୟପଟେ ସହିଦନଗର ଥାନା ପୁଲିସ ଏକ ଅପହରଣ ଓ ହତ୍ୟା‌ ମାମଲା ରୁଜୁକରି ତଦନ୍ତ ଆରମ୍ଭ କଲା। କିଛିଦିନ ଭିତରେ ବଲାଙ୍ଗୀର ପୁଲିସକୁ ଏକ ସୂଚନା ମିଳିଥିଲା ଯେ ଏହି ହତ୍ୟାକାଣ୍ଡରେ ବଲାଙ୍ଗୀର ଜେଲ୍‌ରେ ସଜା କାଟୁଥିବା ଗ୍ୟାଙ୍ଗଷ୍ଟର୍‌ ସେଖ୍ ହାଇଦରର ହାତ ଅଛି। ପ୍ରଥମେ ଏକ ହୋ‌ଟେଲରେ ମୁଣ୍ଡଜାମିନ ବାବଦକୁ ଟଙ୍କା ନେଉଥିବା ବେଳେ ହାଇଦର କିଛି ପାଖଲୋକ ଧରା ପଡ଼ିଥିଲେ। ସେମାନଙ୍କୁ ପଚରାଉଚରା କରାଯିବା ବେଳେ ଏହି ମାମଲା ସହ ହାଇଦରର ଲିଙ୍କ୍‌ ଜଣାପଡ଼ିଥିଲା। ଏହାପରେ ଧୀରେ ଧୀରେ ହତ୍ୟାକାଣ୍ଡ ଉପରୁ ପରଦା ହଟିଥିଲା ଓ ବଟି ପାଇଁ ରଶ୍ମିରଞ୍ଜନଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଲା। ହାଇଦାର ବଲାଙ୍ଗୀର ଜେଲ୍‌ରେ ରହି ନିଜ ଓକିଲ ଗଣପତି ରାୟଙ୍କ ଜରିଆରେ ରଶ୍ମିରଞ୍ଜନଙ୍କ ବଟି ମାଗି ଆସୁଥିଲେ ମଧ୍ୟ ସେ ଦେବାକୁ ରାଜି ହୋଇ ନଥିଲେ। ତେଣୁ ସେହି ଜେଲ୍‌ରୁ ହିଁ ଗଣପତିଙ୍କ ଜରିଆରେ ଝାଡ଼ଖଣ୍ଡର କିଛି ସୁପାରି କିଲର୍‌ଙ୍କୁ ଟଙ୍କା ଦେଇ ରଶ୍ମିରଞ୍ଜନଙ୍କ ହତ୍ୟା କରିବାକୁ ସୁପାରି ଦେଇଥିଲା ହାଇଦର। ସେହି ଅନୁସାରେ ଅପହରଣକାରୀମାନେ ରଶ୍ମୀ ଓ ତାଙ୍କ ଡ୍ରାଇଭରଙ୍କୁ ଅପହରଣ କରି ନେଇଥିଲେ ଓ ତାଙ୍କ ପରିବାରକୁ ଫୋନ୍‌କରି ୨କୋଟି ଟଙ୍କା ମାଗିଥିଲେ। ପରିବାର ଲୋକ ପ୍ରାୟ ଏକକୋଟି ଟଙ୍କା ଦେଇଥିଲେ ମଧ୍ୟ ସୁପାରି କିଲର୍‌ମାନେ ରଶ୍ମିରଞ୍ଜନ ଓ ତାଙ୍କ ଡ୍ରାଇଭରଙ୍କୁ ହତ୍ୟା କରିଥିଲେ। ସେମାନେ ରଶ୍ମିରଞ୍ଜନ ଓ ତା‌ଙ୍କ ଡ୍ରାଇଭରଙ୍କୁ ପ୍ରଥମେ ଗୁଳିକରି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବାକୁ ମୃତଦେହକୁ ପେଟ୍ରୋଲ ଢ଼ାଳି ଜାଳି ଦେଇଥିଲେ।

ବଲାଙ୍ଗୀର ପୁଲିସ ଓ ସହିଦନଗର ପୁଲିସ ମିଳିତ ଭାବେ ଚଢ଼ଉ କରି ସୁପାରି କିଲର୍‌ ଅର୍ସଦ ପରଭେଜ‌୍‌କୁ ଜାମସେଦପୁରରୁ କାବୁ କରିଥିଲେ। ଏହି ମାମଲାରେ ସଂପୃକ୍ତ ଥିବା ମହମ୍ମଦ ତସ୍‌ଲିମ୍‌କୁ ମଧ୍ୟ ଭୁବନେଶ୍ବରରୁ ଗିରଫ କରା ଯାଇଥିଲା। ଏହି ତସ୍‌ଲିମ୍‌ ତତ୍କାଳୀନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ହତ୍ୟା ଧମକ ଦେବା ଅଭି‌ଯୋଗରେ ଝାଡ଼ଖଣ୍ଡ ପୁଲିସର ୱାଣ୍ଟଟେଡ୍ ଲିଷ୍ଟ‌୍‌ରେ ରହିଥିଲା। ଏହିପରି ଭାବେ ଜଣ ଜଣ କରି ମୋଟ୍‌ ୧୧ଜଣ ଗିରଫ ହେଲେ। ସେମାନଙ୍କ ଭିତରୁ ୬ ଜଣ ସୁପାରି କିଲର୍‌ ଥିବାବେଳେ ବାକି ୫ଜଣ ହାଇଦର ଗ୍ୟାଙ୍ଗର। ୨୦୧୦ ମାର୍ଚ୍ଚ ୬ ତାରିଖରେ ପୁଲିସ ମାମଲାର ଚାର୍ଜସିଟ କରିଥିଲା। ଏଥିରେ ୪୩ ଜଣ ସାକ୍ଷୀ ରହିଥିଲେ। ଏହାର ଦୀର୍ଘ ୮ବର୍ଷ ପରେ ୨୦୧୫ ଅକ୍ଟୋବର ୧୮ ତାରିଖରେ ଏହି ଚର୍ଚ୍ଚିତ ହତ୍ୟାକାଣ୍ଡର ରାୟ ଆସିଥିଲା। ରା‌ୟରେ ଗ୍ୟାଙ୍ଗଷ୍ଟାର ହାଇଦର ସମେତ ୫ ଜଣଙ୍କୁ ସଜା ହୋଇଥିଲା। ହାଇଦର, ତା’ ସହଯୋଗୀ ଭବାନୀ ଶଙ୍କର ନାୟକ ଓ ସରୋଜ ସାହୁଙ୍କୁ ଅଦାଲତ ଆଜୀବନ ସଜା ଶୁଣାଇଥିଲେ। ପୁଣି ଦାଦବଟି ମାଗିବା ଓ ହତ୍ୟା ଧମକ ଦେବା ଅପରାଧରେ ଗଣପତି ରାୟ ଓ ଯଯାତି ବିଶ୍ବାଳଙ୍କୁ ୧୦ ବର୍ଷ ଲେଖାଏଁ ଦଣ୍ଡାଦେଶ ହୋଇଥିଲା। ୨୦ ହଜାର ଟଙ୍କା ଜରିମାନା ‌ଓ ଅନାଦେୟରେ ଆଉ ୨ବର୍ଷ ସଜା ପାଇଁ ରାୟ ପ୍ରକାଶ ପାଇଥିଲା। ଅନ୍ୟ ୬ଜଣ ପ୍ରମାଣ ଅଭାବରୁ ମୁକ୍ତ ହୋଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button