ରାଜନୀତି

ଆମେ ପ୍ରତିଶୋଧ ରାଜନୀତି କରିନାହୁଁ, ଏହା ବିଜେପିର କାମ: ସିଦ୍ଧରାମୟା – Kalinga News

[ad_1]

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରାମୟା ଶନିବାର କହିଛନ୍ତି, ସେ ଏବଂ ତାଙ୍କ ସରକାର କେବେ ବି ପ୍ରତିଶୋଧ ରାଜନୀତିରେ ଲିପ୍ତ ହୋଇ ନାହାନ୍ତି ଏବଂ ଭବିଷ୍ୟତରେ ତାହା କରିବେ ନାହିଁ। ବିଜେପି ପ୍ରତିଶୋଧ ରାଜନୀତି କରୁଥିବା ସେ ଅଭିଯୋଗ କରିଛନ୍ତି। ବିଜେପି ଓ ଜେଡିଏସର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ସେ ଏହା କହିଛନ୍ତି। ବାସ୍ତବରେ, ପୋକ୍ସୋ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଡିୟୁରପ୍ପାଙ୍କ ବିରୋଧରେ ଗିରଫ ପରୱାନା ଜାରି ହେବା ପରେ ବିଜେପି ଏବଂ ଜେଡିଏସ୍ ଅଭିଯୋଗ କରିଥିଲେ ରାଜ୍ୟ ସରକାର ୟେଦୁରୁପ୍ପାଙ୍କ ବିରୋଧରେ ପ୍ରତିଶୋଧ ରାଜନୀତି କରୁଛନ୍ତି।

ଜେଡିଏସ ନେତା ତଥା କେନ୍ଦ୍ର ମନ୍ତ୍ରୀ ଏଚଡି କୁମାରସ୍ୱାମୀ ଅଭିଯୋଗ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ା ଡାଙ୍କ ପରିବାରକୁ ଟାର୍ଗେଟ କରିବା ପରେ ରାଜ୍ୟ କଂଗ୍ରେସ ସରକାର ବର୍ତ୍ତମାନ ୟେଡିୟୁରପ୍ପା ପରିବାରକୁ ଟାର୍ଗେଟ କରୁଛନ୍ତି। ଯେତେବେଳେ ସିଦ୍ଧରାମୟାଙ୍କୁ ଏହି ବିଷୟରେ ପ୍ରଶ୍ନ ପଚରା ଯାଇଥିଲା, ସେ କହିଥିଲେ, ‘ଯେତେବେଳେ ବିଜେପି ଆମ ବିରୋଧରେ ମାମଲା ଦାଏର କରିଥିଲେ, ସେତେବେଳେ ସେମାନେ ଟାର୍ଗେଟ କରୁନଥିଲେ କି?

ମୋ ବିରୋଧରେ ଡି.କେ ଶିବକୁମାର ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା, ଏହାକୁ କ’ଣ କୁହାଯିବ ବୋଲି ସେ ପାଲଟା ପ୍ରଶ୍ନ କରିଥିଲେ। ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ବାତିଲ କରିଥିବା କଥା ବିଷୟରେ ଆମେ କ’ଣ କହିବା? ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜେଲକୁ ପଠାଯାଇଥିଲା, ଏହାକୁ ଘୃଣା ରାଜନୀତି କୁହାଯିବା ଉଚିତ ନୁହେଁ କି? ବିଜେପି ସବୁବ‌େଳେ ପ୍ରତିଶୋଧର ରାଜନୀତି କରୁଛି। ଆମେ ତାହା କେବେ କରିବୁ ନାହିଁ ଏବଂ ଭବିଷ୍ୟତରେ କରିବୁ ନାହିଁ ମଧ୍ୟ। ଏଭଳି କରିବା ହେଉଛି ବିଜେପିର କାମ।

ଶୁକ୍ରବାର ହାଇକୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଡିୟୁରପ୍ପାଙ୍କୁ ଆଶ୍ବସ୍ତି ପ୍ରଦାନ କରି ପୋକ୍ସୋ ଅଧିନିୟମ ଅନୁଯାୟୀ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାରେ ଗିରଫଦାରୀକୁ ସ୍ଥଗିତ ରଖିଛନ୍ତି। ଏଥିସହ ୟେଡିୟୁରପ୍ପାଙ୍କୁ ଜୁନ୍ ୧୭ରେ ମାମଲାର ତଦନ୍ତ କରୁଥିବା ସିଆଇଡି ସମ୍ମୁଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ପୀଡିତାଙ୍କ ମା ଅଭିଯୋଗ କରିଛନ୍ତି, ଚଳିତ ବର୍ଷ ଫେବୃଆରୀ ୨ରେ ୟେଡିୟୁରପ୍ପା ତାଙ୍କ ଝିଅକୁ ନିଜର ବାସଭବନରେ ନିର୍ଯାତନା ଦେଇଥିଲେ।

ଦକ୍ଷିଣ ଭାରତରୁ ୮ ଜଣ ସାଂସଦଙ୍କୁ କେନ୍ଦ୍ରରେ ମନ୍ତ୍ରୀ ଭାବେ ନିଯୁକ୍ତି ଦେବା ପ୍ରସଙ୍ଗରେ ସିଦ୍ଧର‌ାମୟା କହିଛନ୍ତି ଯେ ସେମାନେ ଯାହା ବି କରନ୍ତୁ ନା କାହିଁକି ଦକ୍ଷିଣ ଭାରତର ଲୋକମାନେ ବିଜେପିକୁ ସମର୍ଥନ କରିବେ ନାହିଁ କାରଣ ଏହା ଆରଏସଏସର ରାଜନୈତିକ ମୁଖା। ଲୋକସଭା ନିର୍ବାଚନରେ ​​ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ରରେ ମଧ୍ୟ ବିଜେପି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଜଣେ ଆରଏସଏସ ନେତା ଏହା ମଧ୍ୟ କହିଛନ୍ତି ଲୋକମାନେ ବିଜେପିର ଅହଂକାର ପାଇଁ ଏକ ଶିକ୍ଷା ଦେଇଛନ୍ତି।

ସିଏମ୍ ସିଦ୍ଧରାମୟା କହିଛନ୍ତି ସେମାନେ ଇଡି, ଇନକମ ଟ୍ୟାକ୍ସ, ସିବିଆଇ ନାମରେ ଧମକ ଦେଉଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା ଏହା କରୁଛନ୍ତି, ସେଥିପାଇଁ ଲୋକମାନେ ଏଥର ସେମାନଙ୍କୁ ସଂଖ୍ୟାଗରିଷ୍ଠତା ଦେଇ ନାହାନ୍ତି। ନିଟ୍ ପରୀକ୍ଷା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କଠିନ ପରିଶ୍ରମ କରିଥିବା ଛାତ୍ରଛାତ୍ରୀମାନଙ୍କ ପ୍ରତି ଅନ୍ୟାୟ କରାଯାଇଛି। ଏହାର ଅନୁସନ୍ଧାନ ଏବଂ ପୁନଃଯାଞ୍ଚ କରାଯିବା ଉଚିତ୍। ଏନଟିଏ(ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି) ପରୀକ୍ଷା ସଠିକ୍ ଭାବରେ କରିନାହିଁ। ଗ୍ରେସ୍ ମାର୍କ ଦେବା ଏକ ଭଲ ପରମ୍ପରା ନୁହେଁ। ଗ୍ରେସ୍ ମାର୍କ ଦେଇ କାହାକୁ ପାସ୍ କରିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button