ରାଜନୀତି

କାହାକୁ ମିଳିବ ବାଚସ୍ପତି ପଦ: ଜେଡିୟୁ, ଟିଡିପି ଆଶାୟୀ – Kalinga News

[ad_1]

ବିଜେପି ରାଜି ହେଉନି

ନୂଆଦିଲ୍ଳୀ: କେନ୍ଦ୍ର ମନ୍ତ୍ରିମଣ୍ଡଳ ଗଠନ ପରେ ଏବେ ସମସ୍ତଙ୍କର ନଜର ରହିଛି ବାଚସ୍ପତିଙ୍କ ଉପରେ। ‌ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ଦୁଇ ପାଳିର ସରକାରରେ ବିଜେପି ଇଚ୍ଛାରେ ବାଚସ୍ପତି ବଛାଯାଇଥିଲେ। କିନ୍ତୁ ମୋଦୀଙ୍କ ତୃତୀୟ ପାଳିରେ ଏହା ସମ୍ଭବ ନୁହେଁ। ପ୍ରଥମ ଦୁଇ ପାଳିରେ ବିଜେପିକୁ ସ୍ପଷ୍ଟ ବହୁମତ ମିଳିଥିଲା। ତେଣୁ ବାଚସ୍ପତି ମନୋନୟରେ ସେମିତି କିଛି ଅସୁବିଧା ହେଉ ନଥିଲା। ଏଥର ବିଜେପିକୁ ଆବଶ୍ୟକ ସଂଖ୍ୟାଗରିଷ୍ଠତା ମିଳିନଥିବାରୁ ବାଚସ୍ପତି ପଦ ଲାଗି ସହଯୋଗୀଙ୍କ ସହିତ ବିଚାର ଆଲୋଚନା ଜରୁରି ହୋଇପଡ଼ିଛି। ଏନ୍‌ଡିଏରେ ବିଜେପିର ଦୁଇ ପ୍ରମୁଖ ସହଯୋଗୀ ହେଉଛନ୍ତି ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପି ଏବଂ ନୀତୀଶ କୁମାରଙ୍କ ଜନତା ଦଳ (ୟୁ)। ବାଚସ୍ପତି ପଦ ଉପରେ ସେମାନଙ୍କର ନଜର ରହିଛି। ନୀତୀଶ ଚାହୁଛନ୍ତି ତାଙ୍କ ଦଳର ସାଂସଦଙ୍କୁ ବାଚସ୍ପତି କରାଯାଉ। ଚନ୍ଦ୍ରବାବୁଙ୍କର ମଧ୍ୟ ଦାବି ରହିଛି ଯେ ତାଙ୍କ ଦଳକୁ ଏହି ମର୍ଯ୍ୟାଦାଜନକ ପଦବି ମିଳୁ। କିନ୍ତୁ ବିଜେପି ଏଥିପାଇଁ ପ୍ରସ୍ତୁତ ନୁହେଁ, ଯାହାକୁ ନେଇ ଅଚଳାବସ୍ଥା ଆରମ୍ଭ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ୧୨ଟି ଆସନ ହାସଲ କରିଥିବା ଜେଡିୟୁ ଦାବି କରିଥିଲା ଯେ ଏହାକୁ ଦୁଇଟି କ୍ୟାବିନେଟ ମନ୍ତ୍ରୀ ପଦ ସହିତ ବାଚସ୍ପତି ପଦ ବି ମିଳୁ। ସେହିଭଳି ୧୬ଟି ଆସନ ଜିତିଥିବା ଟିଡିପିର ଦାବି ଥିଲା ଯେ ଏହାକୁ ୪ଟି କ୍ୟାବିନେଟ ମନ୍ତ୍ରୀ ପଦ ଓ ବାଚସ୍ପତି ପଦ ମିଳୁ। ଗତକାଲି ଗଠିତ ମୋଦୀ ମନ୍ତ୍ରିମଣ୍ଡଳରେ ଜେଡିୟୁରୁ ୨ ଏବଂ ଟିଡିପିରୁ ମଧ୍ୟ ଦୁଇ ଜଣଙ୍କୁ ମନ୍ତ୍ରୀ କରାଯାଇଛି। ରାଜ୍ୟସଭାରେ ଜେଡିୟୁ ନେତା ଉପାଧ୍ୟକ୍ଷ ଥିବାରୁ ଲୋକସଭାରେ ଏହାର ପ୍ରାର୍ଥୀଙ୍କୁ ବାଚସ୍ପତି କରାଯିବାର ସମ୍ଭାବନା କମ୍। ୪ଟି ମନ୍ତ୍ରୀ ପଦ ଦାବି କରିଥିବା ଟିଡିପିର ଦୁଇ ଜଣଙ୍କୁ ମନ୍ତ୍ରୀ କରାଯାଇଥିବାରୁ ଏହାର ପ୍ରାର୍ଥୀଙ୍କୁ ବାଚସ୍ପତି କରାଯିବାର ସମ୍ଭାବନା ରହିଛି। କିନ୍ତୁ ଶୁଣାଯାଉଛି ବିଜେପି ଏଥିପାଇଁ ରାଜି ହେଉନି। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଗୁରୁତ୍ବପୂର୍ଣ୍ଣ ବିଭାଗ ସହିତ ବାଚସ୍ପତି ପଦ ମଧ୍ୟ ନିଜ ହାତରେ ରଖିବାକୁ ଚାହୁଛି ବିଜେପି।

ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ଟିଡିପି ଏବଂ ଜେଡିୟୁ ବାଚସ୍ପତି ପଦ ପାଇଁ ଜିଦ୍ ଧରିବାର କାରଣ କ’ଣ? ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ନିଜ ଦଳର ସୁରକ୍ଷାର ଗ୍ୟାରେଣ୍ଟି ଚାହୁଛନ୍ତି ଉଭୟ ନୀତୀଶ ଓ ଜେଡିୟୁ। ଗତକିଛି ବର୍ଷ ହେଲା ବିଭିନ୍ନ ଦଳ ଭିତରେ ବିଦ୍ରୋହର ନଜିର ରହିଛି। ବିଦ୍ରୋହ କରୁଥିବା ସାଂସଦ/ବିଧାୟକ ଅନ୍ୟ ଦଳକୁ ଗଲେ ମଧ୍ୟ ସୁରକ୍ଷିତ ରହୁଛନ୍ତି ଏବଂ ସେମାନଙ୍କ ବିରୋଧରେ ଦଣ୍ଡବିଧାନ ହେଉନାହିଁ। ବିଦ୍ରୋହ ଯୋଗୁ କେତେ ରାଜ୍ୟରେ ସରକାରର ପତନ ଘଟିଥିବାର ନଜିର ମଧ୍ୟ ରହିଛି। ଲୋକସଭାରେ ସେମାନଙ୍କୁ ଯେମିତି ଏଭଳି ଦଶା ଭୋଗିବାକୁ ନପଡ଼େ, ସେଥିପାଇଁ ସୁରକ୍ଷା ସ୍ବରୂପ ନିଜ ଦଳର ‌ସାଂସଦଙ୍କୁ ବାଚସ୍ପତି କରିବାକୁ ଚାହାନ୍ତି। ଦଳ ବଦଳ କରୁଥିବ‌ା ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ‌ସଂକ୍ରାନ୍ତ ନିଷ୍ପତ୍ତି ନେବାର କ୍ଷମତା କେବଳ ବାଚସ୍ପତିଙ୍କ ପାଖରେ ରହିଛି। ସେ ଚାହିଲେ ଦଳବଦଳକାରୀଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେ। ତେଣୁ ଦଳରେ ବିଭାଜନକୁ ରୋକିବ‌ା ଲାଗି ବାଚସ୍ପତି ପଦ ଉପରେ ଉଭୟ ଦଳ ଆଖି ପକାଇଛନ୍ତି। ମୋଦୀ ସରକାରରେ‌ କିଙ୍ଗମେକର ସାଜିଥିବା ଏହି ଦୁଇ ନେତା ଅସହାୟ ରହିବାକୁ ଚାହାନ୍ତି ନାହିଁ। ପୂର୍ବରୁ ନୀତୀଶ ଅଭିଯୋଗ କରିଥିଲେ ଯେ ତାଙ୍କ ଦଳକୁ ଭାଙ୍ଗିବା ଲାଗି ବିଜେପି ଚକ୍ରାନ୍ତ କରୁଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button