ଆଜି ଭାରତ-ପାକିସ୍ତାନ ମହାଟକ୍କର: କମ୍ପୁଛି କ୍ରିକେଟ୍ ଜଗତ, ପ୍ରଶଂସକ ଉଲ୍ଲସିତ – Kalinga News

[ad_1]
ବର୍ଷା ବିଗାଡ଼ିପାରେ ଖେଳ, ପିଚ୍କୁ ନେଇ ଚିନ୍ତା, ପୂର୍ବ ରେକର୍ଡରେ ଭାରତ ୬, ପାକିସ୍ତାନ ୧
ନ୍ୟୁୟର୍କ: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଆଉ ମାତ୍ର କିଛି ଘଣ୍ଟା ପରେ ଆରମ୍ଭ ହେବାକୁ ଯାଉଛି ଭାରତ-ପାକିସ୍ତାନ ମହାଟକ୍କର। ୨୦ ମାସ ପରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଟ୍ବେଣ୍ଟି-୨୦ କ୍ରିକେଟ୍ ବିଶ୍ବକପ୍ରେ ସାମ୍ନାସାମ୍ନି ହେବେ। ରବିବାର ରାତି ୮ଟାରୁ ଆରମ୍ଭ ହୋଇଯିବ ଏହି ଚର୍ଚ୍ଚିତ ଲଢ଼େଇ। ବୁମ୍ରା-ବାବର, କୋହଲି-ଆମିର, ରୋହିତ-ଆଫ୍ରିଦି ଓ ସୂର୍ଯ୍ୟକୁମାର-ହାରିସ୍ ଲଢ଼େଇକୁ ନେଇ କ୍ରିକେଟ୍ ଜଗତ କମ୍ପିବ। ଚୀର ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ହେବାକୁ ଥିବା କ୍ରିକେଟ୍ ଯୁଦ୍ଧକୁ ନେଇ ସମଗ୍ର କ୍ରିକେଟ୍ ଜଗତ ଚଳଚଞ୍ଚଳ। ଦୁଇ ଦେଶର ପ୍ରଶଂସକ ବି ଉଲ୍ଲସିତ। ଉଭୟ ଦଳର ଖେଳାଳି ନିଜ ଶକ୍ତି ଓ ସାମର୍ଥ୍ୟକୁ ଶାଣିତ କରିବାରେ ଲାଗି ପଡ଼ିଛନ୍ତି। କିଛି ଚାପକୁ ପ୍ରତିହତ କରିବା ଲାଗି ମ୍ୟାଚ୍ ପୂର୍ବଦିନ ଖେଳାଳିମାନେ କିଛି ସମୟ ନ୍ୟୁୟର୍କ ସହରରେ ବୁଲାବୁଲି କରିଛନ୍ତି। ଏହି ମ୍ୟାଚ୍କୁ ନେଇ କିନ୍ତୁ ପୁରଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଉତ୍ସାହ। ଏପରିକି କ୍ରିକେଟ୍ର ଅଣପାରମ୍ପରିକ ବଜାର ଆମେରିକାରେ ମଧ୍ୟ ଲାଗି ରହିଛି ଭାରତ-ପାକିସ୍ତାନ ମ୍ୟାଚ୍ର ଧୁମ୍। ସେଠାରେ ଗୋଟିଏ ଗୋଟିଏ ଟିକେଟ୍ ଦର ଦେଢ଼ କୋଟି ଟଙ୍କା ଛୁଇଁଛି। ସେହିଭଳି ଭାରତରେ ପ୍ରତି ସେକେଣ୍ଡ ବିଜ୍ଞାପନ ଦର ଚାରି ଲକ୍ଷ ଟପିଛି। ରେକର୍ଡ କିନ୍ତୁ ଭାରତ ସପକ୍ଷରେ ରହିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତ ଓ ପାକିସ୍ତାନ ଏପର୍ଯ୍ୟନ୍ତ ୭ଟି ମୁକାବିଲାରେ ଭେଟାଭେଟି ହୋଇଛନ୍ତି। ଭାରତ ୬ଥର ବିଜୟୀ ହୋଇଥିଲା ବେଳେ ପାକିସ୍ତାନ ମାତ୍ର ଥରେ ବିଜୟର ସ୍ବାଦ ଚାଖିଛି। ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଲଗାତାର ପାଞ୍ଚଟି ବିଜୟ ପରେ ୨୦୨୧ ମସିହାରେ ଭାରତ ପ୍ରଥମ ଥର ପାଇଁ ପାକିସ୍ତାନଠାରୁ ହାରିଥିଲା। ୨୦୨୨ରେ ଏହାର ମଧୁରି ପ୍ରତିଶୋଧ ବି ନେଇଥିଲା। ପାକିସ୍ତାନ ପାଇଁ ଏଥର ଏହି ସୁଯୋଗ ରହିବ। ତେବେ ଟ୍ବେଣ୍ଟି-୨୦ରେ ଭାରତ ଓ ପାକିସ୍ତାନ ମୋଟ ଉପରେ ୧୨ ଥର ପରସ୍ପରର ମୁକାବିଲା କରିଛନ୍ତି। ଏଥିରେ ମଧ୍ୟ ଭାରତ ୯ ମ୍ୟାଚ୍ ଜିତି ଢେର ଆଗରେ ରହିଛି। ପାକିସ୍ତାନ ତିନିଟି ମ୍ୟାଚ୍ ଜିତିଥିଲା ବେଳେ ୨୦୦୭ ବିଶ୍ବକପ୍ର ପ୍ରଥମ ମୁକାବିଲା ଟାଇ ରହିବା ପରେ ଭାରତ ଏହାକୁ ବୋଲ୍ ଆଉଟ୍ରେ ଜିତିଥିଲା। ୨୦୨୨ ବିଶ୍ବକପ୍ର ନକଆଉଟ୍ ପର୍ଯ୍ୟାୟରେ ଶେଷ ଥର ପାଇଁ ମୁହାଁମୁହିଁ ହୋଇଥିଲେ ଭାରତ ଓ ପାକିସ୍ତାନ। ସେହି ସ୍ମରଣୀୟ ଲଢ଼େଇରେ ବିରାଟ କୋହଲିଙ୍କ ଅବିଶ୍ବସନୀୟ ବ୍ୟାଟିଂ ବଳରେ ପାକିସ୍ତାନ ପଞ୍ଝାରୁ ବିଜୟ ଛଡ଼ାଇ ଆଣି ଚହଳ ସୃଷ୍ଟି କରିଥିଲା ଭାରତୀୟ ଦଳ। ଏପରିକି ଭାରତୀୟ ଦଳର ଏହି ଅସାଧାରଣ ବିଜୟ ପରେ ପୂରା ପାକିସ୍ତାନ ସ୍ତବ୍ଧ ହୋଇଯାଇଥିଲା। ଏଥର ଭାରତୀୟ ଦଳ ସେହି ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛି। ପ୍ରଥମ ମ୍ୟାଚ୍ରେ ଆୟର୍ଲାଣ୍ଡକୁ ଏକତରଫା ଭାବେ ୮ ୱିକେଟ୍ରେ ହରାଇ ଭାରତୀୟ ଦଳ ଆତ୍ମବିଶ୍ବାସର ସହ ଅଭିଯାନ ଆରମ୍ଭ କରିଛି। ଅନ୍ୟପକ୍ଷରେ ଅସ୍ଥିର ପ୍ରଦର୍ଶନ ପାଇଁ ପରିଚିତ ପାକିସ୍ତାନ ଅପ୍ରତ୍ୟାଶିତ ଭାବେ ପ୍ରଥମ ଥର ପାଇଁ ବିଶ୍ବକପ୍ ଖେଳୁଥିବା ଆୟୋଜକ ଆମେରିକାଠାରୁ ସୁପର ଓଭରରେ ହାରିବାର ଲଜ୍ଜା ବହନ କରିଛି। ଏହି ପରାଜୟ ନେଇ ପ୍ରଶଂସକଙ୍କ ସହ ପୂର୍ବତନ କ୍ରିକେଟର୍ମାନେ ପାକ୍ ଖେଳାଳିମାନଙ୍କୁ ଖୋଲା ସମାଲୋଚନା କରିଛନ୍ତି। ସେଥିପାଇଁ ପାକିସ୍ତାନ ଖେଳାଳି ନିଶ୍ଚିତ ଭାବେ ଚାପରେ ରହି ଏହି ହାଇଭୋଲ୍ଟେଜ୍ ମ୍ୟାଚ୍କୁ ଓହ୍ଲାଇବେ। ସେହିଭଳି ବିଶ୍ବମାନ୍ୟତା ଓ ଦଳୀୟ ସନ୍ତୁଳନ ଦୃଷ୍ଟିରୁ ପାକିସ୍ତାନ (ଷଷ୍ଠ ସ୍ଥାନ) ତୂଳନାରେ ଭାରତ (ଦ୍ବିତୀୟ ସ୍ଥାନ)ର ପଲା ମଧ୍ୟ ଭାରି ରହିବ। ତେବେ ରବିବାର ଦିନ ସାରା ନ୍ୟୁୟର୍କରେ ଝିପି ଝିପି ବର୍ଷା ହେବାର ପୂର୍ବାନୁମାନ ରହିଛି। ମ୍ୟାଚ୍ ସ୍ଥାନୀୟ ସମୟ ପୂର୍ବାହ୍ନ ୧୦ଟା ୩୦ରେ ଆରମ୍ଭ ହେବ। ପୂର୍ବାହ୍ନ ୧୧ଟା ପରେ ନ୍ୟୁୟର୍କରେ ବର୍ଷା ହେବାର ୫୦ ପ୍ରତିଶତ ସମ୍ଭାବନା ଅଛି। ମ୍ୟାଚ୍ ବେଳେ ବର୍ଷା ହେଲେ ପ୍ରଶଂସକଙ୍କ ସହ ଖେଳାଳି ବି ନିରାଶ ହେବେ।
ଅଧିନାୟକ ରୋହିତ ଶର୍ମା ସାମାନ୍ୟ ଆହତ ହେବା ଅବଶ୍ୟ ଭାରତ ପାଇଁ ମ୍ୟାଚରେ ଏକମାତ୍ର ଚିନ୍ତାର କାରଣ ହୋଇପାରେ। ସେପଟେ ନସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ର ବିପଜ୍ଜନକ ପିଚ୍ ଉଭୟ ଦଳକୁ ପରୀକ୍ଷାରେ ପକାଇବ। ଉଭୟ ଦଳରେ ବିଶ୍ବସ୍ତରୀୟ ଦ୍ରୁତ ବୋଲର ଥିବାରୁ ନସାଉ ଷ୍ଟାଡିୟମ୍ର ଉଠା ପିଚ୍ ପୁଣି ଥରେ ନଜରରେ ରହିବ। ଏହି ପିଚ୍ ସ୍ପିନରଙ୍କୁ ସୁହାଉଥିବାରୁ ୟୁଝବେନ୍ଦ୍ର ଚହଲ କିମ୍ବା କୁଲଦୀପ ଯାଦବଙ୍କୁ ବିକଳ୍ପ ଭାବେ ନେଇପାରେ ଭାରତ। ଆମେରିକାର ଅନଭିଜ୍ଞ ବୋଲିଂ ବାହିନୀର ମୁକାବିଲା କରିବାରେ ମହମ୍ମଦ ରିଜୱାନ, ଫକର ଜମାନ, ଉସମାନ ଖାନ୍ ଓ ନବାଗତ ଆଜମ ଖାନ୍ ପୂରା ବିଫଳ ହୋଇଥିଲେ। ପାକିସ୍ତାନର ତାରକା ଖଚିତ ବୋଲିଂ ବାହିନୀ ମଧ୍ୟ ଫିକା ପ୍ରଦର୍ଶନ ଦେଇଥିଲା। ଏଣୁ ଅର୍ଶଦୀପ ସିଂହ, ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମ୍ରାଙ୍କ ମୁକାବିଲା କରିବା ସେମାନଙ୍କ ପାଇଁ ସହଜ ହେବନି। ଦୁଇ ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ଓ ଅକ୍ଷର ପଟେଲ ମଧ୍ୟ ଆଇପିଏଲ୍ରେ ଚମତ୍କାର ଖେଳି ଆମେରିକା ଯାଇଛନ୍ତି। ଉଭୟ ଏହି ମ୍ୟାଚ୍ରେ ଖେଳିବାର ସମ୍ଭାବନା ଯଥେଷ୍ଟ ରହିଛି। ଆୟର୍ଲାଣ୍ଡ ବିପକ୍ଷରେ କୋହଲି ଓ ସୂର୍ଯ୍ୟକୁମାର ବିଶେଷ କିଛି କରିପାରି ନଥିଲେ। ସେଥିପାଇଁ ଆସନ୍ତାକାଲି ଉଭୟଙ୍କ ବ୍ୟାଟ୍ରୁ ପ୍ରଶଂସକ ବଡ଼ ପାଳି ଆଶାରେ ରହିବେ। ୱିକେଟ୍ ରକ୍ଷକ ଋଷଭ ପନ୍ତ ଭଲ ଫର୍ମରେ ଥିଲା ବେଳେ ଅନ୍ୟତମ ଅଲରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା ମଧ୍ୟ ଆୟର୍ଲାଣ୍ଡ ବିପକ୍ଷରେ ସର୍ବାଧିକ ତିନିଟି ୱିକେଟ୍ ଅକ୍ତିଆର କରିଥିଲେ। ତେଣୁ ଭାରତ ନିଶ୍ଚିତ ଭାବେ ପସନ୍ଦର ଦଳ ଭାବେ ପଡ଼ିଆକୁ ଓହ୍ଲାଇବ। ସମ୍ଭାବ୍ୟ ଭାରତ: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଋଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, ଯଶପ୍ରୀତ ବୁମ୍ରା, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ। ସମ୍ଭାବ୍ୟ ପାକିସ୍ତାନ: ବାବର ଆଜମ (ଅଧିନାୟକ), ମହମ୍ମଦ ରିଜୱାନ, ଉସମାନ ଖାନ୍, ଫଖର ଜମନ, ସଦାବ ଖାନ୍, ଆଜମ ଖାନ୍, ଇଫତିକାର ଅହମ୍ମଦ, ସାହିନ ସାହ ଆଫ୍ରିଦି, ହାରିସ ରୌଫ, ନସିମ ଶାହ, ମହମ୍ମଦ ଆମିର।
[ad_2]