ଅପରାଧ

ମାଣିଆବନ୍ଧ ଥାନା ଓ ଆଇଆଇସିଙ୍କ ଘର ଉପରେ ଆକ୍ରମଣ – Kalinga News

[ad_1]

ଗାଡ଼ି ଭଙ୍ଗାରୁଜା, କର୍ମଚାରୀଙ୍କୁ ମାଡ଼; ୬ ଦୁର୍ବୃତ୍ତ ଗିରଫ

ବଡ଼ମ୍ବା: କଟକ ଜିଲ୍ଲା ମାଣିଆବନ୍ଧ ଥାନା ଓ ଆଇଆଇସିଙ୍କ ଘର ଉପରେ ଗତକାଲି ରାତିରେ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି। ଦୁର୍ବୃତ୍ତମାନେ ଥାନା ଗାଡ଼ି ଭଙ୍ଗାରୁଜା କରିବା ସହିତ କର୍ମଚାରୀମାନଙ୍କୁ ଆକ୍ରମଣ କରିବା ପରେ ଆଇଆଇସିଙ୍କ ଘର ନିକଟରେ ପହଞ୍ଚି ପଥର ମାଡ଼ କରିଛନ୍ତି। ଏହି ଘଟଣାରେ ୬ଜଣଙ୍କୁ ଗିରଫ କରାଯାଇଛି ବୋଲି ଆଜି ବଡ଼ମ୍ବା ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌ପି କୃଷ୍ଣପ୍ରସାଦ ପଟ୍ଟନାୟକ ସୂଚନା ଦେଇଛନ୍ତି।

ପୁଲିସର ସୂଚନା ମୁତାବକ, ଗତକାଲି ପାଟ୍ରୋଲିଂ ପରେ ଡିସିଓ ପବିତ୍ର କୁମାର ବେହେରା ରାତିରେ ଥାନାକୁ ଫେରିଥିଲେ। ରାତି ପ୍ରାୟ ୧୧ଟା୪୫ରେ ଦୁର୍ଦ୍ଦାନ୍ତ ଅପରାଧୀ ଶ୍ରୀକାନ୍ତ ଜେନା ଓରଫ କାଳିଆ (୩୬), ସହଯୋଗୀ ଅରବିନ୍ଦ ଜେନା ଓରଫ ନାଲୁ, ନିରଞ୍ଜନ ବେହେରା ଓରଫ ରିଙ୍କୁ, ଭଗବାନ ବେହେରା ଓରଫ ମହନି, ଆଲୋକ ପ୍ରଧାନ ଓରଫ ଚେମା, ପ୍ରକାଶ ରାଉତ ଓରଫ ବୁମ୍ବା ପ୍ରମୁଖ ୭ଜଣ ଦୁର୍ବୃତ୍ତ ଢାବାରେ ମଦ ପିଇବା ପରେ ଥାନା ନିକଟକୁ ଆସିଥିଲେ। ସେମାନେ ପାଚେରି ଡେଇଁ ଥାନାରେ ପଶିବା ପରେ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ସହିତ ଡିସିଓ ଶ୍ରୀ ବେହେରାଙ୍କୁ ମାଡ଼ ମାରିଥିଲେ।

ଅନ୍ୟ କର୍ମଚାରୀମାନଙ୍କୁ ମଧ୍ୟ ସେମାନେ ଆକ୍ରମଣ କରିଥିଲେ। ଏହି ସମୟରେ ଥାନା ଆଗରେ ଥିବା ବୋଲେରୋକୁ ଦୁର୍ବୃତ୍ତମାନେ ପଥର ମାରି ଭଙ୍ଗାରୁଜା କରିଥିଲେ। ଏହାପରେ ଦୁର୍ବୃତ୍ତମାନେ ଥାନା ଆଇଆଇସି କାଦମ୍ବିନୀ ପରିଡ଼ାଙ୍କୁ ଆକ୍ରମଣ କରିବା ପାଇଁ ଗୋଡ଼ିପାଟଣାସ୍ଥିତ ତାଙ୍କ ଭଡ଼ାଘର ନିକଟକୁ ଯାଇଥିଲେ। ଘର ଉପର ମହଲାରେ ରହୁଥିବା ଆଇଆଇସି ଶ୍ରୀମତୀ ପରିଡ଼ାଙ୍କ ଝରକାକୁ ପଥର ମାରି ଦୁର୍ବୃତ୍ତମାନେ କାଚ ଭାଙ୍ଗି ଦେବା ସହିତ ଗାଳିଗୁଲଜ ଓ ହତ୍ୟା ଧମକ ଦେଇଥିଲେ। ପାଟି ଶୁଣି ଘର ମାଲିକ ବିଶ୍ୱନାଥ ସାହୁ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ହତ୍ୟା କରିବାକୁ ଧମକ ଦେବା ସହ ଟେକାପଥର ମାରିଥିଲେ। ଏତିକି ବେଳେ ସେହି ବାଟ ଦେଇ ଯାଉଥିବା ରମେଶ ଦାସ ନାମକ ବ୍ୟକ୍ତି ସେମାନଙ୍କୁ ବାରଣ କରିବାରୁ ତାଙ୍କୁ ବି ସେମାନେ ଆକ୍ରମଣ କରିଥିଲେ। ଆଇଆଇସି ଶ୍ରୀମତୀ ପରିଡ଼ା ଫୋନ୍‌ କରି ଥାନାରୁ ଗାଡ଼ି ମଗାଇଥିଲେ।

ଏହାପରେ ସେ ଭଙ୍ଗା ବୋଲୋରୋ ଗାଡ଼ିରେ ଦୁର୍ବୃତ୍ତମାନଙ୍କ ପିଛା କରି ୬ଜଣଙ୍କୁ ଗିରଫ କରିଥିଲା ବେଳେ ଜଣେ ଫେରାର ହୋଇଯାଇଛି। ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ଦୁଇଟି କାର୍‌, ୪ଟି ମୋବାଇଲ୍‌ ଫୋନ ଓ ୨୭୮୦ ଟଙ୍କା ଜବତ କରାଯାଇଛି। ଏ ନେଇ ମାଣିଆବନ୍ଧ ଥାନାରେ ତିନିଟି ମାମଲା ରୁଜୁ କରାଯାଇଛି। ଡାକ୍ତରୀ ପରୀକ୍ଷା ପରେ ଗିରଫ ୬ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ଅତିରିକ୍ତ ଏସ୍‌ପି କୃଷ୍ଣପ୍ରସାଦ ପଟ୍ଟନାୟକ ସୂଚନା ଦେଇଛନ୍ତି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଆଠଗଡ଼ ଏସ୍‌ଡିପିଓ ରବୀନ୍ଦ୍ର ମଲ୍ଲିକ, ବଡ଼ମ୍ବା ଥାନାଧିକାରୀ ଶିବପ୍ରସାଦ ଭଦ୍ର ଓ ମାଣିଆବନ୍ଧ ଥାନା ଅଧିକାରୀ ଶ୍ରୀମତୀ ପରିଡ଼ା ଉପସ୍ଥିତ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button