୬୪.୨ କୋଟି ଭୋଟ ଦେଇଛନ୍ତି: ନିର୍ବାଚନ ଦେଖି ୨୩ ଦେଶର ପର୍ଯ୍ୟବେକ୍ଷକ ସ୍ତମ୍ଭୀଭୂତ – Kalinga News

[ad_1]
ଚଳିତ ନିର୍ବାଚନ ଐତିହାସିକ: ସିଇସି
ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନରେ ୬୪.୨ କୋଟି ଲୋକ ଭୋଟ ଦେଇଛନ୍ତି। ଏହା ଆମ ପାଇଁ ଏକ ଐତିହାସିକ ମୁହୂର୍ତ୍ତ। ଜି-୭ ଦେଶଗୁଡ଼ିକର ସମସ୍ତ ଭୋଟରଙ୍କ ତୁଳନାରେ ଏହା ଦେଢ଼ଗୁଣା ଅଧିକ। ସେହିଭଳି ୟୁରୋପୀୟ ସଂଘର ୨୭ଟି ଦେଶର ଭୋଟରଙ୍କ ସଂଖ୍ୟା ତୁଳନାରେ ଅଢ଼େଇ ଗୁଣା ଅଧିକ। ତେଣୁ ଗଣତନ୍ତ୍ରର ଏହି ପର୍ବରେ ସାମିଲ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ନିର୍ବାଚନ କମିସନର ଛିଡ଼ା ହୋଇ ସମ୍ମାନ ଜଣାଇଛନ୍ତି। ଭାରତୀୟ ନିର୍ବାଚନ ବସ୍ତୁତଃ ଅଲୌକିକ ବା ଚମତ୍କାର। ବିଶ୍ବରେ ଏହାର କୌଣସି ତୁଳନା ନାହିଁ ବୋଲି ସେ କହିଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ୩୧.୨ କୋଟି ମହିଳା ଭୋଟଦାନ କରିଛନ୍ତି ଯାହାକି ୨୭ଟି ୟୁରୋପୀୟ ସଂଘ ଦେଶର ଭୋଟରଙ୍କ ତୁଳନାରେ ୧.୨୫ ଗୁଣା ଅଧିକ। ସେହିଭଳି ୮୫ ବର୍ଷରୁ ଅଧିକ ବୟସର ଭୋଟରଙ୍କ ମତଦାନ ଆମ ଯୁବପିଢ଼ି ପାଇଁ ପ୍ରେରଣା। ସେମାନେ ଆମ ଗଣତନ୍ତ୍ରର ନାୟକ। ଦେଶ ସ୍ବାଧୀନତା ପୂର୍ବରୁ ସେମାନେ ଭାରତକୁ ଦେଖିଛନ୍ତି ଏବଂ ଗତ ୭୦ ବର୍ଷରେ ସେମାନେ ଆମ ଦେଶର ବିକାଶରେ ଯୋଗଦାନ ରଖିଛନ୍ତି। ନିର୍ବାଚନ ସହ ଜଡିତ କର୍ମଚାରୀମାନେ ନିଖୁଣ ଭାବେ କାର୍ଯ୍ୟ କରିବା ଫଳରେ କମ୍ ସଂଖ୍ୟକ ସ୍ଥାନରେ ପୁନଃମତଦାନ ହୋଇଛି । ୨୦୧୯ ଲୋକସଭା ନିର୍ବାଚନରେ ୫୪୦ଟି ସ୍ଥାନରେ ପୁନଃମତଦାନ ହୋଇଥିବାବେଳେ ଏଥର ୩୯ଟି ସ୍ଥାନରେ ପୁନଃମତଦାନ ହୋଇଛି। ବିଶ୍ବର ୨୩ଟି ଦେଶରୁ ଆସିଥିବା ୭୫ ଜଣ ପର୍ଯ୍ୟବେକ୍ଷକ ଭାରତର ନିର୍ବାଚନକୁ ଦେଖି ସ୍ତମ୍ଭୀଭୂତ ହୋଇଛନ୍ତି ବୋଲି ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଆଜି କହିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଭୋଟ ଗଣତିର ଦିନକ ପୂର୍ବରୁ ଭାରତୀୟ ନିର୍ବାଚନ କମିସନରଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧୀଦଳମାନେ କରୁଥିବା ବିଭିନ୍ନ ଅଭିଯୋଗର ଉତ୍ତର ସିଇସି ରଖିଛନ୍ତି। ଭାରତୀୟ ନିର୍ବାଚନ କମିସନରଙ୍କ ଉଦ୍ଦେଶ୍ୟରେ ପୂର୍ବରୁ ସାମାଜିକ ଗଣମାଧ୍ୟମରେ ‘ଲାପତ୍ତା ଜେଣ୍ଟଲମେନ୍’ ମିମ୍ ଭାଇରାଲ ହୋଇଥିବାବେଳେ ଆଜି ସେ ଏହାର ଦୃଢ଼ ଜବାବ ଦେଇଛନ୍ତି। ସେ କହିଛନ୍ତି ନିର୍ବାଚନ କମିସନଙ୍କ ଅଧିକାରୀମାନେ କେବେ ବି ନିଖୋଜ ହୋଇ ନଥିଲେ। ଆମେ ଏଠାରେ ଉପସ୍ଥିତ ଥିଲୁ। ଏଥିସହିତ ଇଣ୍ଡିଆ ମେଣ୍ଟ ସହ ଅନ୍ୟ ବିରୋଧୀ ଦଳଗୁଡ଼ିକ ପକ୍ଷରୁ କରାଯାଇଥିବା ସମସ୍ତ ଅଭିଯୋଗକୁ ଗ୍ରହଣ କରାଯାଇଛି ବୋଲି ରାଜୀବ କୁମାର କହିଛନ୍ତି। ଇଭିଏମ୍ ଭୋଟ ଗଣତି ପୂର୍ବରୁ ପୋଷ୍ଟାଲ ଭୋଟ ଗଣତି ହେବା ନେଇ ମଧ୍ୟ ସିଇସି ସ୍ପଷ୍ଟ କରିଛନ୍ତି।
ମୁକ୍ତ, ନିରପେକ୍ଷ ଏବଂ ସ୍ବଚ୍ଛ ନିର୍ବାଚନ ପରିଚାଳନାରେ ପ୍ରତିବନ୍ଧକ ସାଜିଥିବା ‘୪ ଏମ୍’ ଯଥା ବାହୁବଳ, ଅର୍ଥବଳ, ଭୁଲ ସୂଚନା ଏବଂ ଆଦର୍ଶ ଆଚରଣବିଧି ଉଲ୍ଲଂଘନ(ଏମ୍ସିସି) ଉଲ୍ଲଂଘନକୁ ଚିହ୍ନଟ କରାଯାଇ କଡ଼ାକଡ଼ି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ନିର୍ବାଚନ କମିସନ ଚଳିତ ନିର୍ବାଚନରେ ହିଂସା ହୋଇ ନଥିବା କହିଛନ୍ତି। ଅନ୍ୟପକ୍ଷରେ ରେକର୍ଡ ପ୍ରାୟ ୧୦ ହଜାର କୋଟି ଟଙ୍କା ଚଳିତ ଥର ଜବତ ହୋଇଛି, ଯାହାକି ୨୦୧୯ ନିର୍ବାଚନରେ ଜବତ ଅର୍ଥ ଓ ସାମଗ୍ରୀ ତୁଳନାରେ ପାଖାପାଖି ୩ ଗୁଣା ଅଧିକ। ବିଭିନ୍ନ ପର୍ଯ୍ୟାୟର ଚୂଡ଼ାନ୍ତ ତଥ୍ୟ ପ୍ରକାଶ କରିବା ଲାଗି ନିର୍ବାଚନ କମିସନ ଅଧିକ ସମୟ ନେଇଥିଲେ। ଏହା ଉପରେ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇବା ସହ ହେରଫେର କରାଯାଇଥିବା ଅଭିଯୋଗ ଆଣିଥିଲେ। କିନ୍ତୁ ନିର୍ବାଚନ କମିସନ ତାହାକୁ ଆଜି ଖଣ୍ଡନ କରିଛନ୍ତି। ଏହା ମିଛକଥା ବୋଲି ସେ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କମିସନର ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁ ପ୍ରମୁଖ ଉପସ୍ଥିତ ଥିଲେ।
ଜମ୍ମୁ କଶ୍ମୀରରେ ଶୀଘ୍ର ନିର୍ବାଚନ
ନିର୍ବାଚନ କମିସନର ଜମ୍ମୁ କଶ୍ମୀର ଲୋକଙ୍କୁ ସ୍ବତନ୍ତ୍ର ଭାବେ ଧନ୍ୟବାଦ ଜଣାଇଛନ୍ତି। ଏଥିସହିତ ଜମ୍ମୁ କଶ୍ମୀରରେ ଶୀଘ୍ର ବିଧାନସଭା ନିର୍ବାଚନ ହେବ ବୋଲି ମଧ୍ୟ ସିଇସି କହିଛନ୍ତି। ଜମ୍ମୁ କଶ୍ମୀରରେ ଭୋଟଦାନ ହାର ଗତ ୪ ଦଶନ୍ଧି ମଧ୍ୟରେ ସର୍ବାଧିକ ରହିଛି ବୋଲି ସେ ସୂଚନା ଦେଇଛନ୍ତି।
ଅଡ଼ୁଆରେ ଜୟରାମ ରମେଶ
କଂଗ୍ରେସ ନେତା ଜୟରାମ ରମେଶ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଜୁନ ୪ ତାରିଖ ଭୋଟ ଗଣତି ପୂର୍ବରୁ ଶାହ ଦେଶର ୧୫୦ ଜଣ ଜିଲ୍ଲାପାଳଙ୍କୁ ଫୋନ କରିଥିଲେ। ସାମାଜିକ ଗଣମାଧ୍ୟମରେ ଜୟରାମ ଏହି ଅଭିଯୋଗ କରିଥିଲେ ମଧ୍ୟ ନିର୍ବାଚନ କମିସନ ଏ ସଂକ୍ରାନ୍ତରେ ତାଙ୍କ ଠାରୁ ତଥ୍ୟ ମାଗିଥିଲେ। ୨ ତାରିଖ ସନ୍ଧ୍ୟା ସୁଦ୍ଧା ତଥ୍ୟ ଦାଖଲ କରିବା ପାଇଁ କହିଥିଲେ। କିନ୍ତୁ ଜୟରାମ ଏଥିପାଇଁ ୭ ଦିନ ସମୟ ମାଗିଥିବାବେଳେ ନିର୍ବାଚନ କମିସନ ଏଥିପାଇଁ ତାଙ୍କୁ ସମୟ ଦେଇନାହାନ୍ତି। ଏହା ପରିବର୍ତ୍ତେ ସୋମବାର ସନ୍ଧ୍ୟା ୭ଟା ସୁଦ୍ଧା ତଥ୍ୟ ପ୍ରମାଣ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ସେ ଏହା ଦାଖଲ ନକରନ୍ତି ତାହେଲେ ତାଙ୍କ ପାଖରେ ସେମିତି କିଛି ତଥ୍ୟ ନାହିଁ ବୋଲି ଧରାଯିବ। ଏହାପରେ ନିର୍ବାଚନ କମିସନ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସିଇସି କହିଛନ୍ତି। ମୁଖ୍ୟ ନିର୍ବାଚନ କମିସନ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗକୁ ନିନ୍ଦା କରିଥିଲେ। ଗୁଜବ ପ୍ରଚାର କରିବା ଏବଂ ସମସ୍ତଙ୍କୁ ସନ୍ଦେହ କରିବା ଠିକ୍ ନୁହେଁ ବୋଲି ସେ କହିଥିଲେ।
[ad_2]