କ୍ବାର୍ଟରରେ ସ୍ବିତେକ୍, ଅଲ୍କାରାଜ: ବୋପାନ୍ନାଙ୍କ ବିଜୟ ଅଭିଯାନ – Kalinga News
[ad_1]
ପ୍ୟାରିସ୍: ବିଶ୍ବର ଏକ ନମ୍ବର ଈଗା ସ୍ବିତେକ ଏବଂ ୩ ନମ୍ବର କୋକୋ ଗଫ୍ ସହଜ ବିଜୟ ସହ ଚଳିତ ଫ୍ରେଞ୍ଚ୍ ଓପନ୍ ଟେନିସ୍ ପ୍ରତିଯୋଗିତାର କ୍ବାର୍ଟରଫାଇନାଲ୍ରେ ପ୍ରବେଶ କରିଛନ୍ତି। ରବିବାର ମହିଳା ଏକକ ପ୍ରି-କ୍ବାର୍ଟର ଫାଇନାଲ୍ରେ ଚାରି ଥର ଗ୍ରାଣ୍ଡସ୍ଲାମ୍ ବିଜୟିନୀ ପୋଲାଣ୍ଡର ସ୍ବିତେକ ସିଧାସଳଖ ୬-୦, ୬-୦ ସେଟ୍ରେ ରୁଷିଆର ଆନାସ୍ତାସିଆ ପୋଟାପୋଭାଙ୍କୁ ପରାସ୍ତ କରିଛନ୍ତି। ଏହି ବିଜୟ ସହ ସ୍ବିତେକ ଏଠାରେ ନିଜର ଚତୁର୍ଥ ଟ୍ରଫି ଦିଗରେ ଗୋଟିଏ ପାଦ ବଢ଼ାଇଛନ୍ତି। କ୍ବାର୍ଟରଫାଇନାଲ୍ରେ ସେ ବିଶ୍ବର ୫ ନମ୍ବର ଚେକ୍ ଗଣରାଜ୍ୟର ମାର୍କେଟା ଭଣ୍ଡରୌସୋଭାଙ୍କୁ ଭେଟିବେ। ୱିମ୍ବଲଡନ୍ ବିଜୟିନୀ ଭଣ୍ଡରୌସୋଭା ୬-୪, ୬-୨ ସେଟ୍ରେ ସର୍ବିୟାର ଓଗା ଡାନିଲୋଭିକ୍ଙ୍କୁ ହରାଇଥିଲେ। ୟୁଏସ୍ ଓପନ୍ ବିଜୟିନୀ ଆମେରିକାର ଗଫ୍ ୬-୧, ୬-୨ ସେଟ୍ରେ ଇଟାଲିର ଏଲିସାବେତା କୋସିଆରେତୋଙ୍କୁ ମାତ୍ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ପୁରୁଷ ଏକକ କ୍ବାର୍ଟରଫାଇନାଲ୍ରେ ବିଶ୍ବର ୩ ନମ୍ବର କାର୍ଲୋସ ଅଲ୍କାରାଜ ଓ ୯ ନମ୍ବର ଷ୍ଟିଫାନସ ସିସିପାସ୍ ପ୍ରବେଶ କରିଛନ୍ତି। ୱିମ୍ବଲ୍ଡନ୍ ବିଜେତା ସ୍ପେନ୍ର ଅଲ୍କାରାଜ ୬-୩, ୬-୩, ୬-୧ ସେଟ୍ରେ କାନାଡ଼ାର ଫେଲିକ୍ସ ଅଗର ଆଲିଆସିମ୍ଙ୍କୁ ହରାଇଥିଲେ। ସେହିଭଳି ୨୦୨୧ର ଫାଇନାଲିଷ୍ଟ୍ ଗ୍ରିକ୍ର ସିସିପାସ୍ ୩-୬, ୭-୬, ୬-୨, ୬-୨ ସେଟ୍ରେ ଇଟାଲିର ମାତିଓ ଅର୍ନାଲ୍ଡିଙ୍କୁ ହରାଇଥିଲେ। ବିଶ୍ବର ଏକନମ୍ବର ନୋଭାକ ଜୋକୋଭିକ୍ କୀର୍ତ୍ତିମାନ ଭରା ୨୫ତମ ଗ୍ରାଣ୍ଡସ୍ଲାମ୍ ଟ୍ରଫି ଦିଗରେ ଆଉ ଏକ ପାଦ ବଢ଼ାଇଛନ୍ତି। ରବିବାର ପୁରୁଷ ଏକକ ତୃତୀୟ ରାଉଣ୍ଡ ମୁକାବିଲାରେ ଏହି ସର୍ବିୟା ତାରକା ୭-୫, ୬-୭, ୨-୬, ୬-୩, ୬-୦ ସେଟ୍ରେ ୨୨ ବର୍ଷୀୟ ଇଟାଲି ଖେଳାଳି ଲୋରେଞ୍ଜୋ ମୁସେତିଙ୍କୁ ପରାସ୍ତ କରିଥିଲେ। ନରୱେର କାସପର ରୁଡ୍ ୬-୪, ୧-୬, ୬-୨, ୬-୨ ସେଟ୍ରେ ଆର୍ଜେଣ୍ଟିନାର ତୋମାସ ମାର୍ଟିନଙ୍କୁ ହରାଇ ପ୍ରିକ୍ବାର୍ଟରଫାଇନାଲ୍ରେ ପହଞ୍ଚିଛନ୍ତି।
ଭାରତର ଭେଟେରାନ ଟେନିସ୍ ଖେଳାଳି ରୋହନ ବୋପାନ୍ନା ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଅଷ୍ଟ୍ରେଲିଆନ୍ ଓପନ୍ ବିଜେତା ବୋପାନ୍ନା ଓ ତାଙ୍କ ସାଥୀ ଅଷ୍ଟ୍ରେଲିଆନ୍ ମାଥ୍ୟୁ ଏବଦେନ ରବିବାର ପ୍ରଥମ ରାଉଣ୍ଡ ମୁକାବିଲାରେ ବ୍ରାଜିଲ୍ ଯୋଡ଼ି ଓର୍ଲାଣ୍ଡୋ ଲୁଜ ଓ ମାର୍ସିଲୋ ଜୋର୍ମାନଙ୍କୁ ପରାସ୍ତ କରିଥିଲେ। ବିଶ୍ବର ୨ ନମ୍ବର ଯୋଡ଼ି ଦୁଇ ଘଣ୍ଟା ୭ ମିନିଟ୍ ସଂଘର୍ଷ ପାରେ ୭-୫, ୪-୬, ୬-୪ ସେଟ୍ରେ ମ୍ୟାଚ୍ ଜିତି ଦ୍ବିତୀୟ ରାଉଣ୍ଡରେ ସ୍ଥାନ ପକ୍କା କରିଥିଲେ।
[ad_2]