ଖେଳ ଖବର

ମହିଳା ହକି ଇତିହାସ‌ର ସ୍ବର୍ଣ୍ଣିମ ସ୍ବାକ୍ଷର ଦୀପ୍‌ଗ୍ରେସ୍‌ – Kalinga News

[ad_1]

ଡମ୍ବରୁଧର ନାୟକ

ସୁନ୍ଦରଗଡ଼: ଅବିଶ୍ବସନୀୟ ଭ‌ାବେ ସର୍ବାଧିକ ୧୨ ବ‌ର୍ଷ ଧରି ଭାରତୀୟ ମହିଳା ହକିର ଗଡ଼ ଜଗିଥିବା ଧୂରୀଣା ହକି ଖେଳାଳି ଲେଡି ‘ଦିଲୀପ ତିର୍କୀ’ ଦୀପ୍‌ଗ୍ରେସ୍‌ ଏକ୍କା ଜାନୁଆରି ୨୭ ତାରିଖରେ ଅବସର ଘୋଷଣା କରିଛନ୍ତି। ଯାହା ହକିପ୍ରେମୀ ଓ ତାଙ୍କୁ ଅନୁସରଣ କରୁଥିବା ଖେଳାଳିଙ୍କୁ ହତଚକିତ କରିଛି। ଭାରତୀୟ ହକିରେ ବଡ଼ ଶୂନ୍ୟସ୍ଥାନ ଛାଡ଼ି ଯାଇଥିବା ବେଳେ ଆଗକୁ ଓଡ଼ିଶାରୁ ତାଙ୍କ ବିକଳ୍ପ ସୃଷ୍ଟି ହେବେ କି ନାହିଁ ସନ୍ଦେହ। ଅବସର ପରେ ୨୦୧୧ରୁ ୨୦୨୩ ପର୍ଯ୍ୟନ୍ତ ଭାରତୀୟ ଦଳରେ ତାଙ୍କ ଆକର୍ଷଣୀୟ ହକି ଯାତ୍ରା ଚର୍ଚ୍ଚାକୁ ଆସିଛି। ସୁନ୍ଦରଗଡ଼ ଜିଲ୍ଲା ମହକୁମାଠାରୁ ୫୭ କିଲୋମିଟର ଦୂର ବାଲିଶଙ୍କରା ବ୍ଲକ୍‌ର ଛତିଶଗଡ଼-ଝାଡ଼ଖଣ୍ଡ ସୀମାନ୍ତ ଏକ ଛୋଟ ଗାଁ ଲୁଲୁକିଡିହିର ଟିଣଛପର ଘରୁ ତାଙ୍କ ଲମ୍ବା ହକି ଯାତ୍ରା ବେଶ୍‌ ସଂଘର୍ଷପୂର୍ଣ୍ଣ ଥିଲା। ପଡ଼ିଆରେ ଦୀପ୍‌ଗ୍ରେସ୍‌ଙ୍କ ଚମତ୍କାର ଖେଳ ଶୈଳୀ, ଅକ୍ଲାନ୍ତ ପରିଶ୍ରମ କରିବାର ଆଗ୍ରହ, ପ୍ରତିପକ୍ଷ ଦଳର ଆକ୍ରମଣକୁ ଏକୁଟିଆ ପ୍ରତିହତ କରିବାର ଦକ୍ଷତାକୁ ଯିଏ ଦେଖିଛି, ପିଲାଦିନେ ବାପାଙ୍କ ସହ ଗାଁ ପାଖ ଜଙ୍ଗଲରୁ ଧଉଁଲା ବା ଧଅଁରା ଗଛର କାଠ ଆଣି ସେଥିରେ ହକିବାଡ଼ି ଓ ଛିଣ୍ଡା ଜରିରେ ବଲ୍‌ ତିଆରି କରି ଗାଁଦାଣ୍ଡରେ ଛୋଟପିଲାଙ୍କ ସହ ସେ ହକି ଅଭ୍ୟାସକରି ଏତେ ବାଟ ଯାଇଥିଲେ ବୋଲି ହୁଏତ ବିଶ୍ବାସ କରି ନପାରେ। କିନ୍ତୁ କଠିନ ପରିଶ୍ରମରେ ବିଶ୍ବାସ ରଖିଥିବା ଏହି ଆଦିବାସୀ ଖେଳାଳିଙ୍କ ଶାରୀରିକ କ୍ଷମତା, ଦମ୍ଭ, କ୍ଷୀପ୍ରତା, ଶୃଙ୍ଖଳା ମନୋଭାବ ସହ ଲୋକଦେଖାଣିଆ ଖେଳ ଅପେକ୍ଷା ଦଳର ସ୍ବାର୍ଥକୁ ଗୁରୁତ୍ବଦେବା ହିଁ ତାଙ୍କୁ ସଫଳତା ଆଣି ଦେଇଥିଲା।

ଦୀପ୍‌ଗ୍ରେସ୍‌ଙ୍କ ବାପା ଚାଲେଶ ଏକ୍କା ହକି ଖେଳାଳି ଥିଲେ। ଦଳର ରକ୍ଷଣଭାଗ ସମ୍ଭାଳୁଥିବା ଚାଲେଶ ସେତେବେଳେ ଝାଡ଼ଖଣ୍ଡ, ଛତିଶଗଡ଼ ଅଞ୍ଚଳକୁ ମ୍ୟାଚ୍‌ ଖେଳିବାକୁ ଯାଉଥିଲେ। କିନ୍ତୁ ସରକାରୀ ପ୍ରୋତ୍ସାହନ ଓ ତାଲିମ ଅଭାବରୁ ସେ ଗାଁ ଖେଳାଳି ହୋଇ ରହିଯାଇଥିଲେ। ଦୀପ୍‌ଗ୍ରେସ୍‌ ତାଙ୍କ ସବା ସାନଝିଅ। ଭାଇ ଦୀପକ, ଡେନିସ, ଡେଭିଡ୍‌ ଓ ଭଉଣୀ ଦୀପ୍ତିରୋସ, ପରେ ଦୀପଗ୍ରେସଙ୍କ ଜନ୍ମ। ଦୀପକ ଝାରସୁଗୁଡ଼ାରେ ଏକ କମ୍ପାନିରେ ଚାକିରି କରୁଥିବା ବେଳେ ଡେଭିଡ୍‌ ବାପାଙ୍କ ସହ ଚାଷ କଥା ବୁଝୁଛନ୍ତି। ଭଉଣୀ ଦୀପ୍ତିରୋସ ବିବାହ କରି ଶାଶୂଘରେ। ଅନ୍ୟ ଜଣେ ଭାଇ ଡେନିସ ମଧ୍ୟ ଜଣେ ହକି ଖେଳାଳି। ସେ ଦିଲ୍ଲୀରେ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ନିଗମରେ ନିଯୁକ୍ତି ପାଇ କମ୍ପାନି ଟିମ୍‌ରେ ଖେଳୁଛନ୍ତି। ବାପା ଓ ଭାଇଙ୍କ ଖେଳ ଦେଖି ଦୀପ୍‌ଗ୍ରେସ୍‌ଙ୍କ ମଧ୍ୟ ହକି ଖେଳ ପ୍ରତି ଆଗ୍ରହ ବଢ଼ିଥିଲା। ସବୁ କିଛି ଅପହଞ୍ଚ ଥିବା ଏବଂ ଦାରିଦ୍ର୍ୟ, ଅଭାବ ମଧ୍ୟରେ ଧଉଁଲା ବା ଧଅଁରା ଗଛର କାଠ ଆଣି ସେଥିରେ ହକି ବାଡ଼ି ଓ ଛିଣ୍ଡା ଜରିରେ ବଲ୍‌ ତିଆରିକରି ଗାଁର ଦନ୍ତୁର ପଡ଼ିଆରେ ଛୋଟ ପଲାଙ୍କ ସହ ଖେଳୁଥିଲେ ଦୀପଗ୍ରେସ। ଝିଅର ହକି ପ୍ରତି ରୁଚି ଦେଖି ବାପା ନିଜ ଅଧୁରା ସ୍ବପ୍ନ ପୂରା କରିବାକୁ ଆଗେଇ ଆସିଲେ। ତାଙ୍କୁ ଭଲ ହକି ଖେଳାଳି ଭାବେ ଗଢ଼ି ତୋଳିବାକୁ ସେ ୨୦୦୪ରେ ସୁନ୍ଦରଗଡ଼ ରାଜ୍ୟ କ୍ରୀଡ଼ା ଛାତ୍ରାବାସରେ ଛାଡ଼ିଥିଲେ। କିନ୍ତୁ ସେତେବେଳେ ସେଠାରେ ଝିଅମାନଙ୍କ ପାଇଁ ହଷ୍ଟେଲ ସୁବିଧା ନଥିଲା। ଘରୁ ଚାଉଳ, ଡାଲି ପଠାଉଥିଲେ ବାପା। ଦୁଇ ବର୍ଷ ଅଭ୍ୟାସ କରିବା ପରେ ୨୦୦୬ରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ରେ ପ୍ରବେଶ କରିଥିଲେ ଦୀପଗ୍ରେସ। ୨୦୦୮ ଯାଏଁ ତାଙ୍କୁ କୋଚ୍‌ ପ୍ରଦୀପ କୁମାର ଷଡ଼ଙ୍ଗୀ ହକି ତାଲିମ ଦେଉଥିଲେ। ପରବର୍ତ୍ତୀ ସମୟରେ ମହିଳା ହକି କୋଚ୍‌ ଭାବେ ଲୁସିଲା ଏକ୍କା ନିଯୁକ୍ତି ପାଇବା ପରେ ତାଙ୍କଠାରୁ ତାଲିମ ନେଇଥିଲେ। ଲୁସିଲାଙ୍କ ପ୍ରଶିକ୍ଷଣ ହିଁ ଦୀପ୍‌ଗ୍ରେସ୍‌କୁ ସଶକ୍ତ ଓ ଦକ୍ଷ କରିଥିଲା। ୨୦୧୧ରେ ସେ ଜାତୀୟ ମହିଳା ହକି କ୍ୟାମ୍ପକୁ ମନୋନୀତ ହୋଇ ଯାଇଥିଲେ। ତା’ ପରଠାରୁ ସେ ଆଉ ପଛକୁ ଫେରି ନଥିଲେ। ସାଇ କ୍ରୀଡ଼ାବାସରୁ ଏକମାତ୍ର ଅନ୍ତର୍ଜାତୀୟ ଖେଳାଳି ଭାବେ ବାହାରିଥିବା ସୁଶ୍ରୀ ଏକ୍କା ଭାରତୀୟ ହକିରେ ଫରୱାର୍ଡ ଖେଳାଳି ଭାବେ ପ୍ରବେଶ କରିଥିଲେ ମଧ୍ୟ ଭେଟେରାନ ଡିଫେଣ୍ଡର ଓ ପେନାଲ୍‌ଟି କର୍ଣ୍ଣର ବିଶେଷଜ୍ଞ ଭାବେ ଦଳରେ ସେ ସ୍ଥାନ ପକ୍କା କରି ନେଇଥି‌ଲେ।

୨୬୮ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ୨୪ଟି ଗୋଲ୍‌ କରିଥିଲେ। ୨୦୧୩ରେ ଜର୍ମାନୀରେ ଆୟୋଜିତ ମହିଳା ଜୁନିୟର ହକି ବିଶ୍ୱକପ୍‌ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି କାଂସ୍ୟ ପଦକ ଜିତିଥିଲେ। ୨୦୧୪ ଓ ୨୦୧୮ ଏସୀୟ କ୍ରୀଡ଼ାରେ ପଦକ ଜିତିଥିବା ଭାରତୀୟ ମହିଳା ଦଳର ସେ ସଦସ୍ୟ ଥିଲେ। ସେହିପରି ଦୀପଙ୍କ ପ୍ରତିନିଧିତ୍ୱରେ ଭାରତ ୨୦୧୬ ଏସୀୟ ଚାମ୍ପିଅନ୍ସ ଟ୍ରଫି ଓ ୨୦୧୭ରେ ଏସୀୟ କପ୍‌ ଟାଇଟଲ୍ ଜିତିଥିଲା। ୨୦୧୬ରେ ଭାରତକୁ ରିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରାଇବାରେ ପ୍ରମୁଖ ଭୂମିକା ବହନ କରିଥିଲେ। ସେହିପରି ସେ ୨୦୨୨ରେ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କାଂସ୍ୟ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ। ୨୦୨୨ରେ ଏଫଆଇଏଚ୍‌ ନେସନ୍ସ କପ‌୍‌ରେ ସ୍ବର୍ଣ୍ଣପଦକ ହାସଲ କରିଥିଲେ। ଏହି ସମୟରେ ସେ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଥିଲେ। ୨୦୨୧ ଅଗଷ୍ଟ ୨ ତାରିଖରେ ତାଙ୍କ ଉପଅଧିନାୟକତ୍ବରେ ଟୋକିଓ ଅଲିମ୍ପିକ୍‌ରେ ତିନିଥରର ଅଲିମ୍ପିକ ବିଜେତା ଅଷ୍ଟ୍ରେଲିଆକୁ ୧-୦ରେ ହରାଇ ଭାରତ ସେମିଫାଇନାଲକୁ ପ୍ରବେଶ କରିବା ଚମକପ୍ରଦ ମୁହୂର୍ତ୍ତ ଥିଲା ବୋଲି କହନ୍ତି ଦୀପ୍‌ଗ୍ରେସ୍‌। ୨ଟି ଅଲିମ୍ପିକ ଖେଳିଥିବା ସୁଶ୍ରୀ ଏକ୍କା ରାଞ୍ଚିଠାରେ ଅନୁଷ୍ଠିତ ଯୋଗ୍ୟତା ମ୍ୟାଚ୍‌ରେ ଭାଗ ନେଇଥିଲେ, ହୁଏତ ଭାରତକୁ ପ୍ୟାରିସ୍‌ରେ ଅଲିମ୍ପିକ ଖେଳିବାର ସୁଯୋଗ ମିଳିଥାନ୍ତା ଓ ସେ ତୃତୀୟ ଅଲିମ୍ପିକ ଖେଳିବାର ସୁଯୋଗ ପାଇଥାନ୍ତେ ବୋଲି କହନ୍ତି ହକି ବିଶେ‌ଷଜ୍ଞ। ଭାରତୀୟ ମହିଳା ହକି ଇତିହାସରେ ସ୍ବର୍ଣ୍ଣିମ ସ୍ବାକ୍ଷର ଛାଡ଼ି ଯାଇଥିବା ଦୀପ୍‌ଗ୍ରେସ୍‌ ଅବସର ଘୋଷଣା ପରେ ପରିବାର ସହ ବିତାଇବାକୁ ସେ ନିଜ ଜନ୍ମମାଟି ସୁନ୍ଦରଗଡ଼ର ଏକ ଛୋଟ ଆଦିବାସୀ ପଲ୍ଲୀ ଲୁଲୁକିଡିହିକୁ ଚାଲିଆସିଛନ୍ତି। ସୁଯୋଗ ମିଳିଲେ ଜୁନିଅର ଖେଳାଳିଙ୍କୁ ପ୍ରଶିକ୍ଷଣ ଦେବେ ବୋଲି କହିଛନ୍ତି ଦୀପ୍‌ଗ୍ରେସ୍‌। ହକିବାଡ଼ି ଛାଡ଼ିଥିବା ସୁନ୍ଦରଗଡ଼ର ଏ ସୁନା ଝିଅ ଫେବ୍ରୁଆରି ୬ ତାରିଖରେ ଭାରତୀୟ ସେନାରେ କାର୍ଯ୍ୟରତ ସବଡେଗା ବ୍ଲକ୍‌ ଦେଓଗାଁର ଅନୁପ ଲାକ୍ରାଙ୍କ ହାତଧରି ନୂଆସଂସାର ଗଢ଼ିବାକୁ ଯାଉଛନ୍ତି। ହକି ପରି ତାଙ୍କ ନୂଆ ସଂସାର ବି ଚମକି ଉଠୁ ଏହା ହିଁ ‘ସମ୍ବାଦ’ର କାମନା।

ଦୀପ୍‌ଗ୍ରେସ୍‌ଙ୍କ ଅବସର ମୋତେ ବିସ୍ମିତ କରିଛି। ଆଉ ୨ ବର୍ଷ ସେ ଖେଳି ପାରିଥାନ୍ତେ। ୨୦୨୪ ଜୁଲାଇରେ ପ୍ୟାରିସ୍‌ରେ ହେବାକୁ ଥିବା ଅଲିମ୍ପିକ ପାଇଁ ରାଞ୍ଚିରେ ଅନୁଷ୍ଠିତ ‌ଯୋଗ୍ୟତା ପର୍ଯ୍ୟାୟରେ ଭାରତ ବିଫଳ ହୋଇଛି। ଦୀପ୍‌ଗ୍ରେସ୍‌ ଭାଗ ନେଇଥିଲେ କିଛି ଚମତ୍କାର ଦେଖିବାକୁ ମିଳିଥାନ୍ତା। ଅବସର ନନେବାକୁ ବ୍ୟକ୍ତିଗତ ଭାବେ ତାଙ୍କୁ ଘରକୁ ଯାଇ ବୁଝାଇଥିଲି। କିନ୍ତୁ ଆଣ୍ଠୁରେ ସମସ୍ୟା ଅଛି କହି ଇଣ୍ଡିଆ ଦଳକୁ କ୍ଷତି ନ ପହଞ୍ଚାଇବାକୁ ସେ ଅବସର ନେଉଥିବା କହିଥିଲେ। ତାଙ୍କ ପରି ଦୃଢ଼ମନା, ପରିଶ୍ରମୀ, ଶୃଙ୍ଖଳିତ ଖେଳାଳି ମିଳିବା କଷ୍ଟ।
-ଲୁସିଲା ଏକ୍କା, ହକି କୋଚ୍,

ଭୁବ‌ନେଶ୍ବର ରାଜ୍ୟ କ୍ରୀଡ଼ା ଛାତ୍ରାବାସ
ଦୀପଗ୍ରେସଙ୍କ ଅବସର ଅପ୍ରତ୍ୟାଶିତ ଥିଲା। ତାଙ୍କ ସହ ଏକା ସଙ୍ଗରେ ଲିଲମା, ନମିତା ଓ ମୁଁ ଖେଳିଛୁ। କିନ୍ତୁ ୪ ଜଣଙ୍କ ମଧ୍ୟରୁ ‌‌ସେ ସର୍ବାଧିକ ଖେଳିଛନ୍ତି। କଥାବାର୍ତ୍ତା ବେ‌ଳେ ଶାରୀରିକ ସମସ୍ୟା ପାଇଁ ସେ ଭାରତ ଦଳରେ ଖେଳିବାକୁ ମନା କରିଦେଇଥିବା କହିଛନ୍ତି। ଏବେ ସିନିୟର ଟିମ୍‌ରେ ଓଡ଼ିଶାରୁ ଜଣେ ବି ପିଲା ନାହାନ୍ତି। ଜୁନିୟରରେ ଅଛନ୍ତି, ଆଶା କରୁଛି ସେମାନେ ସିନିୟରକୁ ଯିବେ।
ସୁନିତା ଲାକ୍ରା, ଅଲିମ୍ପିଆନ୍‌

ଭାରତୀୟ ଦଳରେ ଦୀପ୍‌ଗ୍ରେସ୍‌ ସର୍ବାଧିକ ସମୟ ଖେଳିଛନ୍ତି। ଅବଶ୍ୟ ତାଙ୍କ ପାଖରେ ସୁଯୋଗ ଥିଲା, ସେ ଆହୁରି ଖେଳି ପାରିଥାନ୍ତେ। ତାଙ୍କ ସହ ପଦକ ଜିତିଛୁଁ। ସେ ସବୁ ଗୌରବମୟ ମୁହୂର୍ତ୍ତ ମନେ ପଡ଼ୁଛି।
ଲିଲିମା ମିଞ୍ଜ, ଅଲିମ୍ପିଆନ୍‌

ଦୀପଗ୍ରେସଙ୍କ ଅବସର ମୋତେ ଯେତେ ବିସ୍ମିତ କରିଛି, ସେତେ ବ୍ୟଥିତ ମଧ୍ୟ। ଦୀପଗ୍ରେସ, ଲିଲିମା, ନମିତା ଓ ସୁନିତା ଇଣ୍ଡିଆ ହକି ଟିମ୍‌ରେ ଓଡ଼ିଶାର ୪ଟି ଖମ୍ବ ଥିଲେ। ପୂର୍ବରୁ ଲିଲିମା, ନମିତା ଓ ସୁନିତା ଛାଡ଼ିଥିଲେ, ୩ଟି ଖମ୍ବ ଭାଙ୍ଗିଥିଲା, ଏବେ ଚତୁର୍ଥ ଖମ୍ବ ଭାଙ୍ଗିଗଲା। ଓଡ଼ିଶାର ମହିଳା ହକି ଘର ଭୁଶୁଡ଼ିଗଲା। ତେବେ ଭାରତୀୟ ହକିରେ ୧୦ ବର୍ଷ ଖେଳିବା ସବୁଠାରୁ ଗୌରବମୟ କଥା। ହକି ଇତିହାସରେ ଜ୍ୟୋତି ସୁନିତା କୁଲୁ, ସୁଭଦ୍ରା ପ୍ରଧାନଙ୍କ ପରେ ଦୀପଗ୍ରେସ, ଲିଲିମା, ନମିତା ଓ ସୁନିତା ୧୦ ବର୍ଷ ଖେଳିଛନ୍ତି। ମହିଳା ଦିଲୀପ ତିର୍କୀ ଭାବେ ପରିଚିତ ଦୀପଗ୍ରେସ ସବୁଠାରୁ ଶକ୍ତ ଥିଲେ। ଇଣ୍ଡିଆ ହକିର ସଶକ୍ତ ରକ୍ଷଣଭାଗ ଖେଳାଳି ଭ‌ାବେ ଚମକ ଦେଖାଇଥିବା ଦୀପଗ୍ରେସଙ୍କ ସ୍ଥାନ ଓଡ଼ିଶାରେ ଆଉ କେହି ନେଇନାହାନ୍ତି। ରାଞ୍ଚିରେ ଯୋଗ୍ୟତା ମ୍ୟାଚରେ ଦୁର୍ବଳ ଦଳ ଜାପାନଠାରୁ ଭାରତ ୧-୦ରେ ହାରିବା ଦୁର୍ଭାଗ୍ୟଜନକ। ଦୀପଗ୍ରେସ ଥିଲେ ଭାରତ ଯୋଗ୍ୟତା ହାସଲ କରିଥାନ୍ତା ନିଶ୍ଚୟ। ମୁଁ ବୁଝାଇଥିଲି, ଦିଲୀପ ତିର୍କୀ ୩ଟି ଅଲିମ୍ପିକ୍‌ ଖେଳିଥିଲେ। ଦୀପଗ୍ରେସ ବି ୩ଟି ଅଲିମ୍ପିକ ଖେଳନ୍ତୁ ବୋଲି ଚାହୁଁଥିଲି। କିନ୍ତୁ ଡାହାଣଗୋଡ଼ ଆଣ୍ଠୁ ସମସ୍ୟା ଅଛି କହି ସେ ଅବସର ନେଇଗଲେ। ମୁଁ କହିବି ପ୍ରକୃତରେ ସେ ନିଜକୁ ପ୍ରେରଣା ଦେଇପାରିନାହାନ୍ତି। ହକି ପାଇଁ ସରକାର ଏତେ ବ୍ୟୟ କରୁଛନ୍ତି। କିନ୍ତୁ ଓଡ଼ିଶାରୁ ଦକ୍ଷ ଖେଳାଳି କାହିଁ। ମହିଳା ହକି ଶୂନ୍‌, ପୁରୁଷ ହକିରେ କେବଳ ଜଣେ ଅମିତ ରୋହିଦାସ ଅଛନ୍ତି ଓଡ଼ିଶାରୁ।
ସତୀଶ ଶର୍ମା, ବିଶିଷ୍ଟ କ୍ରୀଡ଼ା ସାମ୍ବାଦିକ



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button