ରାଜନୀତି

ବିବାଦରେ ଛେଣ୍ଡିପଦା ବିଧାୟକ: ମତଦାନ କେନ୍ଦ୍ରରେ ପିଟିବାକୁ ଗୋଡ଼ାଇଲେ – Kalinga News

[ad_1]

ଅନୁଗୁଳ: ପୋଲିଂ ବୁଥ୍‌ ଭିତରେ ଗଣ୍ଡଗୋଳ କରି ବିବାଦରେ ପଡ଼ିଛନ୍ତି ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା। ଆଜି ଭୋଟ୍‌ଗ୍ରହଣ ସମୟରେ ଛେଣ୍ଡିପଦା ବିଧାନସଭା ନିର୍ବାଚନମଣ୍ଡଳୀର ୮୪ ନମ୍ବର ବୁଥ୍‌ରେ ସେ କିଛି ଲୋକଙ୍କୁ ପିଟିବାକୁ ଗୋଡ଼ାଇଥିବାର ଏକ ଭିଡିଓ ଭାଇରାଲ ହୋଇଛି। ତେବେ ଏଥିନେଇ କୌଣସି ବିଧିବଦ୍ଧ ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି। ମତଦାନ କେନ୍ଦ୍ରରେ ବିଧାୟକଙ୍କ ଏମିତି କାଣ୍ଡ ଅନୁଗୁଳ ଜିଲ୍ଲାର ରାଜନୀତିକୁ ଗରମ କରିଛି। ସୂଚନା ଅନୁସାରେ, ଛେଣ୍ଡିପଦା ବ୍ଲକ୍‌ କୋଶଳା ପଞ୍ଚାୟତ ଶିମିଳିସାହି ମତଦାନ କେନ୍ଦ୍ରରେ ମଧ୍ୟାହ୍ନ ସମୟରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ପହଞ୍ଚିଥିଲେ। ‌ସେ ବୁଥ୍‌ ପରିଦର୍ଶନ କରିବା ସମୟରେ ଅନ୍ୟଦଳର କେତେଜଣ କର୍ମୀ ତାଙ୍କ ଉଦ୍ଦେଶ୍ୟରେ କିଛି କହିଥିଲେ। ଏଥିରେ ବିଧାୟକ ରାଗି ଯାଇଥିଲେ। ହଠାତ୍‌ ତାଙ୍କୁ ବାଡ଼େଇବାକୁ ଗୋଡ଼ାଇଥିଲେ। ଅନ୍ୟମାନେ ବି ଛାଡ଼ି ନଥିଲେ। ଫଳରେ କିଛି ସମୟ ଧରି ମତଦାନ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେଠାରେ ଥିବା ଲୋକମାନେ ବିଧାୟକ ଓ ଅନ୍ୟମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଥଣ୍ଡା ପଡ଼ିଥିଲା।

ପରେ ବିଧାୟକ ସେଠାରୁ ଚାଲି ଯାଇଥିଲେ। ବିଜେଡି ବିଧାୟକ ସୁଶାନ୍ତ ବେହେରାଙ୍କୁ ନିଜ ପଞ୍ଚାୟତରେ ଏମିତି ଉଗ୍ର ରୂପ ଦେଖି ଲୋକେ ଛାନିଆ ହୋଇଯାଇଥିଲେ। ଏପଟେ ଏହି ଗଣ୍ଡଗୋଳର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାଇରାଲ ପରେ ବିଜେପି ପକ୍ଷରୁ ଏହାକୁ କଡ଼ା ସମାଲୋଚନା କରାଯାଇଛି। ପରାଜୟ ଭୟରେ ବିଜେଡି ଏମିତି ରକ୍ତମୁଖା ହୋଇଯାଇଛି ବୋଲି ବିଜେପି କହିଛି। ହେ‌ଲେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଏଥିନେଇ କୌଣସି ମାମଲା ଥାନାରେ ରୁଜୁ ହୋଇନି। ଅନୁଗୁଳ ଏସ୍‌ପି ଉମାଶଙ୍କର ଦାସ କହିଛନ୍ତି ଯେ ଦୁଇ ପକ୍ଷଙ୍କ ଭିତରେ ସାମାନ୍ୟ ଗଣ୍ଡଗୋଳ ହୋଇଥିଲା। ଏହି ସମୟରେ ମୋବାଇଲ ପାର୍ଟି ଓ କେନ୍ଦ୍ରୀୟ ଫୋର୍ସ ଘଟଣାସ୍ଥଳ‌ରେ ଉପସ୍ଥିତ ଥିଲେ। ସେମାନେ ସମସ୍ତଙ୍କୁ ଘଉଡ଼ାଇ ଦେବା ପରେ ପରିସ୍ଥିତି ଥଣ୍ଡା ପଡ଼ିଥିଲା ବୋଲି ଏସ୍‌ପି କହିଛନ୍ତି।

ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ
ଛେଣ୍ଡିପଦା ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ସୁଶାନ୍ତ ବେହେରା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମାଡ଼ ମାରିବା ସହ ଗୁଣ୍ଡାଗର୍ଦ୍ଦି କରିବା ଘଟଣାକୁ କଠୋର ଭାଷାରେ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ଜଣେ ବିଧାୟକ ଅସାମାଜିକ ତତ୍ତ୍ୱଙ୍କ ଭଳି ଲୋକଙ୍କୁ ମାରଧର କରିବା ଦୁର୍ଭାଗ୍ୟଜନକ। ଏହି ଘଟଣା ପ୍ରମାଣିତ କରୁଛି ଯେ ସେମାନେ କେଉଁ ପ୍ରକାର ଶାସନ ଚାହୁଁଛନ୍ତି। ଶାସନରେ ଥିବା ଲୋକମାନେ ବିଶେଷ କରି ନିର୍ବାଚିତ ପ୍ରତିନିଧିମାନେ ଯତ୍ନବାନ ହେବା ଦରକାର। ଏହି ଘଟଣାରେ ତଦନ୍ତ କରି ଦୋଷୀଙ୍କ ବିରୋଧରେ ସ୍ଥାନୀୟ ପ୍ରଶାସନ ଏବଂ ନିର୍ବାଚନ ଆୟୋଗଙ୍କୁ କାର୍ଯ୍ୟାନୁଷ୍ଠାନ ନେବା ନେଇ ଆଶାବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ସ୍ଥାନୀୟ ପ୍ରଶାସନ ଓ ନିର୍ବାଚନ ଆୟୋଗଙ୍କୁ ସେ ଅନୁରୋଧ କରିଛନ୍ତି। ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ଭୋଟର୍‌ଙ୍କ ମଧ୍ୟରେ ପରିବର୍ତ୍ତନର ଲହର ଦେଖି ବିପକ୍ଷ ଦଳଙ୍କ ପାଦ ତଳୁ ମାଟି ଖସି ଗଲାଣି। ସେମାନେ ହିଂସ୍ର ହୋଇଉଠିଛନ୍ତି। ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ଏହାର ଜବାବ ଲୋକେ ଭୋଟ୍‌ରେ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button