ଅପରାଧ

ଭୋଟ୍‌ ବେଳେ ଅଟୋଚାଳକଙ୍କୁ ହତ୍ୟା: ବରଗଡ଼ରେ ଉତ୍ତେଜନା, କିଛିସମୟ ମତଦାନ ବନ୍ଦ – Kalinga News

[ad_1]

ଘଟଣା ପଛରେ ବ୍ୟକ୍ତିଗତ ଶତ୍ରୁତା: ଆଇଜି

ବରଗଡ଼: ବରଗଡ଼ ସଦର ଥାନା ଅନ୍ତର୍ଗତ ସରସରା ଗାଁରେ ନିର୍ବାଚନ ସମୟରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଭୋଟରଙ୍କୁ ନେଇ ବୁଥ୍‌କୁ ଯାଉଥିବା ଜଣେ ଅଟୋ ଚାଳକଙ୍କୁ ବୀଭତ୍ସ ଭାବରେ ହତ୍ୟା କରାଯାଇଛି। ମୃତକ ହେଲେ ବିଶ୍ୱନାଥ ମିର୍ଦ୍ଧା (୩୪)। ଏହି ଘଟଣାକୁ ନେଇ ସାରା ବରଗଡ଼ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। କିଛିସମୟ ପାଇଁ ଭୟର ବାତାବରଣ ଦେଖାଦେବା ସହିତ ମତଦାନ ବନ୍ଦ ରହିଥିଲା। ସମ୍ବଲପୁର ଆଇଜି ହିମାଂଶୁ ଲାଲ ଓ ବରଗଡ଼ ଏସ୍‌ପି ପ୍ରହଲ୍ଲାଦ ସହାୟ ମୀନା ପହଞ୍ଚିବା ପରେ ତାଙ୍କ ଉପସ୍ଥିତିରେ ମତଦାନ ଚାଲୁ ହୋଇଥିବା ଜଣାପଡ଼ିଛି।

ଗ୍ରାମବାସୀ ଓ ପରିବାରବର୍ଗଙ୍କ କହିବାନୁସାରେ, ବିଶ୍ୱନାଥ ଆଜି ତାଙ୍କ ପଡ଼ାର ଲୋକଙ୍କୁ ନିଜ ଅଟୋରିକ୍ସାରେ ନେଇ ବୁଥ୍‌କୁ ଯାଉଥିଲେ। ହଠାତ୍‌ ଗାଁର ଅଶୋକ ମହାନନ୍ଦ ଏବଂ ଆଉ କିଛି ଯୁବକ ତାଙ୍କ ଗାଡ଼ିକୁ ଅଟକାଇବା ସହ କ’ଣ ପାଇଁ ଭୋଟରଙ୍କୁ ଗାଡ଼ିରେ ବୋହି ନେଉଚୁ କହି ଧମକଚମକ ଦେଇଥିଲେ। ଏହାକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଥିଲା। ଏହିସମୟରେ ଅଶୋକ ଧରିଥିବା ଭୁଜାଲିରେ ଆକ୍ରମଣ କରି ବିଶ୍ବନାଥଙ୍କୁ ଏକାଧିକଥର ଚୋଟ ମାରିଥିଲା। ଫଳରେ, ବିଶ୍ବନାଥ ଗୁରୁତର ହୋଇପଡ଼ିଥିଲେ ଏବଂ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ବରଗଡ଼ ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ, ବିଶ୍ୱନାଥଙ୍କ ମୃତ୍ୟୁ ଖବର ଗାଁ ଲୋକ ପାଇବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିବାରବର୍ଗଙ୍କ ଅଭିଯୋଗ କରିଛନ୍ତି, ବିଶ୍ୱନାଥଙ୍କର କାହା ସହ ଶତ୍ରୁତା ନଥିଲା। ଭୋଟରଙ୍କୁ ଅଟୋରେ ନେଉଥିବାରୁ ଜାଣିଶୁଣି ଅଶୋକ ଓ ତାଙ୍କର କିଛି ସହଯୋଗୀ ଆକ୍ରମଣ କରିଛନ୍ତି।

ବରଗଡ଼ରେ ଉତ୍ତେଜନା, କିଛିସମୟ ମତଦାନ ବନ୍ଦ
ଘଟଣା ପଛରେ ବ୍ୟକ୍ତିଗତ ଶତ୍ରୁତା: ଆଇଜି
ହିଂସା ସହିତ ମତଦାନର ସଂପର୍କ ନାହିଁ: ନିର୍ବାଚନ ଅଧିକାରୀ

ଅନ୍ୟପକ୍ଷ‌ରେ, ଆଇଜି ହିମାଂଶୁ ଲାଲ କହିଛନ୍ତି, ହତ୍ୟାକାଣ୍ଡ ନିର୍ବାଚନୀ ହିଂସା ନୁହଁ। ମୃତ ବିଶ୍ୱନାଥ ଏବଂ ଅଭିଯୁକ୍ତ ଅଶୋକଙ୍କ ଭିତରେ ପୂର୍ବରୁ ବ୍ୟକ୍ତିଗତ ଶତ୍ରୁତା ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ। ଘଟଣାର ତଦନ୍ତ ଜାରି ରହିଛି ବୋଲି କହିଛନ୍ତି। ସେହିପରି ଏକ ପ୍ରେସ୍‌ ଇସ୍ତାହାରରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଆଦିତ୍ୟ ଗୋୟଲ କହିଛନ୍ତି, ସରସରା ବୁଥ୍‌ ନଂ ୧୨୮, ୧୨୯ ଠାରୁ ପ୍ରାୟ ୩୦୦ ରୁ ୪୦୦ ମିଟର ଦୂରରେ ଭୁଜାଲି ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ପୁଲିସ ତଦନ୍ତ ଅନୁସାରେ ବ୍ୟକ୍ତିଗତ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଛି। ଉକ୍ତ ହିଂସା ମତଦାନ ସହ ଜଡ଼ିତ ନୁହେଁ। ମତଦାନ କେନ୍ଦ୍ରରେ ଭୋଟ ଜାରି ରହିଥିବା ସେ ସୂଚନା ଦେଇଛନ୍ତି। ଏପରିସ୍ଥଳେ, କିଛି ସମୟ ପାଇଁ ମତଦାନ ପ୍ରଭାବିତ ହୋଇଥିଲା। ଏହାପରେ, ପୁଲିସ ଉତ୍ତ୍ୟକ୍ତ ଲୋକ ଏବଂ ମୃତକଙ୍କ ପରିବାର ଲୋକଙ୍କୁ ଉଠାଇ ନେଇଥିଲା। ଏହାପରେ ନିଜେ ଆଇଜି ସରସରା ଗାଁ ବୁଥରେ ଉପସ୍ଥିତ ରହି ମତଦାନ ପ୍ରକ୍ରିୟା ଚାଲୁ ରଖିଥିଲେ। ଗାଁରେ ଶାନ୍ତଶୃଙ୍ଖଳା ବଜାୟ ରଖିବାକୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଅଭିଯୁକ୍ତ ଅଶୋକ କେଉଁଆଡ଼େ ଫେରାର୍‌ ହୋଇଯାଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button