ଅପରାଧ

ପ୍ରଦୀପଙ୍କ ନାଁରେ ଟଙ୍କା ଠକେଇ ମାମଲାରେ ନୂଆ ମୋଡ଼ – Kalinga News

[ad_1]

ମାମଲା ପ୍ରତ୍ୟାହାର ପାଇଁ କୋର୍ଟରେ ଏତଲାକାରୀଙ୍କ ସତ୍ୟପାଠ

ବ୍ରହ୍ମପୁର: ବହୁଚର୍ଚ୍ଚିତ ଟାଟା କମ୍ପାନିରେ ନିଯୁକ୍ତି ନାଁରେ ଠକେଇ ମାମଲା ପୁଣିଥରେ ଚର୍ଚ୍ଚାକୁ ଆସିଛି। ଏହି ମାମଲାରେ ଅଭିଯୁକ୍ତ ଥିବା ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ଗଞ୍ଜାମ ଜିଲ୍ଲାରେ ୫ଟି ମାମଲା ରୁଜୁ ହୋଇଥିଲା। ଏଥିରୁ ୪ଟି ମାମଲା ପ୍ରତ୍ୟାହାର ପାଇଁ ଏତଲାକାରୀ ବ୍ରହ୍ମପୁର ଜେଏମ୍‌ଏଫ୍‌ସି ଶିବାନୀ ମିଶ୍ରଙ୍କ କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଫଳରେ ଏହି ମାମଲା ବର୍ତ୍ତମାନ ଏକ ନୂଆ ମୋଡ଼ ନେଇଛି। ଏବେ ସମସ୍ତ ମାମଲା ବିଚାରାଧୀନ ଥିବା ବେଳେ ମକଦ୍ଦମା ପ୍ରତ୍ୟାହାର ପାଇଁ ସତ୍ୟପାଠ ଦାଖଲ କରିବା ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ଟାଟା କମ୍ପାନିରେ ନିଯୁକ୍ତି ନାଁରେ ଟଙ୍କା ଠକେଇ କରିବା ନେଇ ଗୋପାଳପୁର ବିଧାୟକ ପ୍ରଦୀପଙ୍କ ନାମରେ ଅଭିଯୋଗ ହୋଇଥିଲା। ଏ ନେଇ ପ୍ରଥମେ କ୍ରାଇମ୍‌ବ୍ରାଞ୍ଚ ନିକଟରେ ଅଭିଯୋଗ ପରେ କଟକ ସାଇବର୍‌ ଥାନାରେ ମାମଲା ରୁଜୁ ହୋଇଥିଲା। ଅଧିକ ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଗତ ୨୦୨୦ ନଭେମ୍ବର ମାସରେ ବ୍ରହ୍ମପୁର ଆସିଥିଲା। ତଦନ୍ତ ପରେ ପର୍ଯ୍ୟାୟ କ୍ରମେ ପ୍ରଦୀପଙ୍କ ନାମରେ ୫ଟି ଠକେଇ ମାମଲା ରୁଜୁ ହୋଇଥିଲା। ୪ଟି ମାମଲା ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ବେଳେ ଗୋଟିଏ ବୈଦ୍ୟନାଥପୁର ଥାନାରେ ରୁଜୁ ହୋଇଥିଲା। ଏହି ମାମଲାରେ ପୁଲିସ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରି ସାରିଥିବା ବେଳେ କୋର୍ଟରେ ମାମଲା ବିଚାରାଧୀନ ରହିଛି। ଏବେ ହଠାତ୍‌ ୪ଜଣ ଏତଲାକାରୀ ମାମଲା ପ୍ରତ୍ୟାହାର କରିବା ସହିତ ପରବର୍ତ୍ତୀ ବିଚାରଣା ଆଗକୁ ନନେବା ପାଇଁ ତାଙ୍କ ଓକିଲଙ୍କ ଜରିଆରେ କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଗୋଳନ୍ଥରା ଥାନା ଅନ୍ତର୍ଗତ ଚିକରଡ଼ାର ଏତଲାକାରୀ ପ୍ରଶାନ୍ତ କର ତାଙ୍କର ସତ୍ୟପାଠରେ ଦର୍ଶାଇଛନ୍ତି ଯେ ଭୁଲ୍‌ ରାଜନୈତିକ ବୁଝାମଣା ଯୋଗୁଁ ମୁଁ ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ଟଙ୍କା ଠକେଇ ଅଭିଯୋଗ କରିଥିଲି।

କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମୁଁ ଠକେଇ ବାବଦ ଟଙ୍କା ପାଇ ସାରିଛି। ମୋର ବୟସ ୫୧ ବର୍ଷ ହୋଇଥିବାରୁ ମୁଁ ସ୍ବାସ୍ଥ୍ୟଗତ ସମସ୍ୟାରେ ରହିଛି ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି। ଏହି ସବୁ କାରଣ ପାଇଁ କେସ୍ ପ୍ରତ୍ୟାହାର କରିବାକୁ ସେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ସେହିପରି ଅନ୍ୟତମ ଏତଲାକାରୀ ଗୋଳନ୍ଥରା ଥାନା ମାଝିଗାଁର ବି. ଶିବ ପାତ୍ର ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶ ପରେ ଠକେଇ ବାବଦ ଟଙ୍କା ପାଇ ସାରିଛନ୍ତି। ଭୁଲ୍‌ ରାଜନୈତିକ ବୁଝାମଣା ଯୋଗୁଁ ସେ ମାମଲା ଦାଏର କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଠକେଇ ବାବଦ ଟଙ୍କା ପାଇ ସାରିଛନ୍ତି। ବର୍ତ୍ତମାନ ସେ ନିଜର କ୍ୟାରିୟର୍‌କୁ ଦେଖୁଛନ୍ତି। ଏଣୁ ଏହି ମାମଲାକୁ ସେ ଆଗକୁ ବଢ଼ାଇବାକୁ ଚାହୁଁନଥିବା ସତ୍ୟପାଠରେ କହିଛନ୍ତି। ସେହିପରି ଗୋଳନ୍ଥରା ଥାନା ଅନ୍ତର୍ଗତ ଗୁଣପୁର ଗ୍ରାମର ଲକ୍ଷ୍ମୀ ନାରାୟଣ ନାୟକ ଓ କେଲୁଆପଲ୍ଲୀର ପ୍ରଭାତ କୁମାର ନାୟକ ମଧ୍ୟ ନିଜର ବ୍ୟକ୍ତିଗତ କାରଣ ଯୋଗୁଁ ମାମଲାର ବିଚାରଣା ଆଗକୁ ନବଢ଼ାଇବାକୁ ସତ୍ୟପାଠ ଜରିଆରେ ଅନୁରୋଧ କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button