ବାରିପଦା ସହରରେ ପଶିଲା ବାଘ – Kalinga News

[ad_1]
ବାରିପଦା: ଶୁକ୍ରବାର ସକାଳେ ବାରିପଦା ସହର ଭିତରକୁ ପଶି ଆସିଥିଲା ଏକ ବଡ଼ କଲରାପତରିଆ ବାଘ। ଶିମିଳିପାଳରୁ ବାଘ ପଶି ଆସିଥିବା ଜାଣିବା ପରେ ସହରରେ ଖେଳି ଯାଇଥିଲା ଏକପ୍ରକାର ଆତଙ୍କ। ବାଘ ଭୟରେ ଲୋକେ ଛାନିଆ ହୋଇ ପଡ଼ିଥିବା ବେଳେ ତାଟିକବାଟ ପଡ଼ିଯାଇଥିଲା। ତେବେ ବାଘ କାହାକୁ କିଛି କ୍ଷତି ପହଞ୍ଚାଇବା ପୂର୍ବରୁ ବନ କର୍ମଚାରୀମାନେ ୪ ଘଣ୍ଟାର ଛକାପଞ୍ଝା ପରେ ନିଶ୍ଚେତକ ଦେଇ ତାକୁ କାବୁ କରିବାରେ ସଫଳ ହୋଇଥିଲେ। ବାଘଟିକୁ ପିଞ୍ଜରାରେ ରଖି ଏହାର ସ୍ବାସ୍ଥ୍ୟ ପରୀକ୍ଷା ଓ ଗତିବିଧି ଉପରେ ନଜର ରଖାଯାଇଥିଲା। ବାଘଟି ସମ୍ପୂର୍ଣ୍ଣ ସୁସ୍ଥ ଥିବାରୁ ରାତି ପ୍ରାୟ ୮ଟା ସମୟରେ ଏହାକୁ ନେଇ ଶିମିଳିପାଳ ଭିତରେ ଛାଡ଼ି ଦିଆଯାଇଛି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ଆଜିକୁ ୩ ଦିନ ତଳେ ଏହି ବାଘଟି ବାରିପଦା ସହର ଉପକଣ୍ଠ ଜଗନ୍ନାଥପୁର ଗାଁରେ ପଶି ଆତଙ୍କ ସୃଷ୍ଟି କରିଥିଲା। ବନ କର୍ମଚାରୀ ସକାଳୁ ରାତି ଯାଏ ଜଗି ରହିଥିଲେ ମଧ୍ୟ ବାଘକୁ ଧରିବାରେ ବିଫଳ ହୋଇଥିଲେ। ପରଦିନ ବାଘଟି ନିକଟସ୍ଥ ଜଙ୍ଗଲକୁ ଚାଲି ଯାଇଥିବା କହିଥିଲା ବନ ବିଭାଗ। ତେବେ ଜନବସତିରେ ବାଘ ପଶିବା ପରଠାରୁ ଆଖପାଖ ଅଞ୍ଚଳବାସୀ ଭୀତତ୍ରସ୍ତ ଅବସ୍ଥାରେ ଥିଲେ। ଆଜି ସକାଳେ ବାଘଟି ଜଙ୍ଗଲରୁ ବାହାରି ବାରିପଦା ସହରମୁହାଁ ହୋଇଥିଲା। ଜଙ୍ଗଲ ନିଆଁ ଭଳି ଏହି ଖବର ପ୍ରଚାର ହୋଇଯିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା।
ଖବର ପାଇ ଶିମିଳିପାଳ କ୍ଷେତ୍ର ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼ ଓ ବାରିପଦା ବନଖଣ୍ଡ ଅଧିକାରୀ ଏ. ଉମା ମହେଶଙ୍କ ନେତୃତ୍ବରେ ୫୦ ଜଣ କର୍ମଚାରୀ ପହଞ୍ଚି ବାଘକୁ କାବୁ କରିବା ନିମନ୍ତେ ଆରମ୍ଭ କରିଥିଲେ ଅପରେସନ୍। ହେଲେ ଲୋକଙ୍କୁ ଦେଖି ବାଘଟି ଭୟରେ ଏତେ ତେଣେ ଘୂରି ବୁଲିବାରୁ ତାକୁ କାବୁ କରିବା ସହଜ ହୋଇନଥିଲା। ସକାଳ ୭ରୁ ୧୧ଟା ପର୍ଯ୍ୟନ୍ତ ବାଘ ପଛରେ ଗୋଡ଼ାଇବା ପରେ ଶେଷରେ ତାକୁ ନିଶ୍ଚେତକ ଦେବାରେ ସଫଳ ହୋଇଥିଲେ ବନ କର୍ମଚାରୀ। ନିଶ୍ଚେତକ ଦେବାର କିଛି ସମୟ ପରେ ବାଘଟି ଭଞ୍ଜପୁର ନିକଟସ୍ଥ ବାଘଘର ଗଳିରେ ଅଚେତ ହୋଇ ପଡ଼ି ଯାଇଥିଲା। ଏହାକୁ ଯନ୍ତାରେ ପୂରାଇ ବାରିପଦାସ୍ଥିତ ବନ କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ସହର ଉପକଣ୍ଠ ମଞ୍ଚାବନ୍ଧା ନର୍ସରୀରେ ରଖାଯାଇ ଗତିବିଧି ନିରୀକ୍ଷଣ କରିବା ପରେ ରାତିରେ ଶିମିଳିପାଳ ଜଙ୍ଗଲରେ ଛାଡ଼ି ଦିଆଯାଇଛି ବୋଲି କହିଛନ୍ତି ମୁଖ୍ୟ ବନ ସଂରକ୍ଷକ ସୁଶାନ୍ତ ନନ୍ଦ।
[ad_2]