କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହଯୋଗୀଙ୍କ ବିରୋଧରେ ପୁଲିସରେ ଲିଖିତ ଅଭିଯୋଗ କଲେ ସ୍ବାତୀ – Kalinga News
[ad_1]
ନୂଆଦିଲ୍ଲୀ : ଆପ୍ ସାଂସଦ ସ୍ବାତୀ ମଲିୱାଲ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହଯୋଗୀ ବିଭଗ କୁମାରଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଛନ୍ତି। ସ୍ବାତୀଙ୍କ ଅଭିଯୋଗ ଅନୁଯାୟୀ ବିଭବ କୁମାର ତାଙ୍କୁ ଅନେକ ଥର ମାଡ଼ ମାରିଥିଲେ । ବିଭବ କୁମାର ସ୍ବାତୀଙ୍କୁ ଚାପୁଡ଼ା ଏବଂ ଗୋଇଠା ମାରିବା ସହ ବାଡ଼ିରେ ତାଙ୍କୁ ମାରିଥିଲେ ଏବଂ ତାଙ୍କ ପେଟକୁ ମାରିଥିବା ଅଭିଯୋଗ ହୋଇଛି। ସ୍ବାତୀ କହିଛନ୍ତି, କୁମାର ତାଙ୍କୁ ମାଡ଼ ମାରିଲେ ଏବଂ ଦଳ ମଧ୍ୟ ଏସଂକ୍ରାନ୍ତରେ ସ୍ପଷ୍ଟ ଅବଗତ ହୋଇଥିଲା। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଲାନି। ଆଜି ସ୍ବାତୀଙ୍କ ଅଭିଯୋଗ ଆଧାରରେ ଦିଲ୍ଲୀ ପୁଲିସ କୁମାରଙ୍କ ବିରୋଧରେ ଏକ ଏତଲା ରୁଜୁ କରିଛି। ଉଲ୍ଳେଖଯୋଗ୍ୟ ଯେ ଆଜି ଦିନରେ ଏସିପି ରାଙ୍କ୍ ଅଫିସରଙ୍କର ଏକ ଟିମ୍ ସ୍ବାତୀଙ୍କ ବାସଭବନ ଯାଇ ତାଙ୍କ ବିବୃତି ରେକର୍ଡ କରିଥିଲେ। ପୁଲିସ ଟିମ୍ ସ୍ବାତୀଙ୍କ ଘରେ ପାଖାପାଖି ୪ ଘଣ୍ଟା ଥିଲେ। ପରେ ସ୍ବାତୀ ସୋସିଆଲ ମିଡିଆରେ ଏକ ପୋଷ୍ଟ୍ କରି କହିଛନ୍ତି, ଉକ୍ତ ମାମଲାରେ ସଠିକ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଅନ୍ୟପକ୍ଷେ ସ୍ବାତୀ ମଲିୱାଲଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଏନସିଡବ୍ଲ୍ୟୁ (ଜାତୀୟ ମହିଳା କମିସନ୍) ବିଭବ କୁମାରଙ୍କୁ ସମନ୍ କରିଛି। ଉକ୍ତ ମାମଲାରେ ଏନସିଡବ୍ଲ୍ୟୁ ନିଜଆଡ଼ୁ ହସ୍ତକ୍ଷେପ କରି କୁମାରଙ୍କୁ ମେ’ ୧୭ ତାରିଖରେ ହାଜର ହେବାକୁ କହିଛି। ଉଲ୍ଲେଖଯୋଗ୍ୟ, ସ୍ବାତୀ ମଲିୱାଲ ଗତ ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ଯାଇଥିବାବେଳେ ସେଠାରେ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହଯୋଗୀ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ସ୍ବାତୀଙ୍କ ମା’ ସଙ୍ଗିତା ମଲିୱାଲ କହିଛନ୍ତି, ସେ ସମୟରେ ସ୍ବାତୀ କିଛି କହିବା ସ୍ଥିତିରେ ନଥିଲେ ଏବଂ କୌଣସି ଚାପରେ ସେ ନଇଁବେ ନାହିଁ ।
[ad_2]