ବିଶ୍ବରେ ଏବେ ଭାରତର ଏଜେଣ୍ଡା ଚାଲୁଛି- ଓମ୍ ବିର୍ଲା – Kalinga News

[ad_1]
ସମ୍ବଲପୁର: ଦିନ ଥିଲା ଅନ୍ୟ ଦେଶଗୁଡ଼ିକ ଭାରତକୁ ଏକ ଦୁର୍ବଳ ରାଷ୍ଟ୍ର ଭାବେ ଦେଖୁଥିଲେ। ଗତ ୧୦ ବର୍ଷର ବିଜେପି ଶାସନ ମଧ୍ୟରେ ଦେଶରେ ଅନେକ କିଛି ପରିବର୍ତ୍ତନ ଆସିଛି। ବର୍ତ୍ତମାନ ସାରା ଦୁନିଆର ଏଜେଣ୍ଡା ସ୍ଥିର କରିବାକୁ ଭାରତ ସକ୍ଷମ। ସାରା ଦୁନିଆରେ ଭାରତର ହିଁ ଏଜେଣ୍ଡା ଚାଲୁଛି। ଭାରତର ନେତୃତ୍ବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ଥିବା ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଜି ଏଠାରେ କହିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ବୁଧବାର ରାତିରେ କ୍ଷେତରାଜପୁରସ୍ଥିତ ଦୁର୍ଗା ମଂଗଲମ୍ରେ ଆୟୋଜିତ ବିକଶିତ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଲେ, ମୋଦୀ ଜଣେ ଦୂରଦର୍ଶୀ ଚିନ୍ତାନାୟକ। ସେ ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ କାମ କରୁଛନ୍ତି। ଭାରତ ବହୁ କ୍ଷେତ୍ରରେ ଏବେ ଆତ୍ମନିର୍ଭରଶୀଳ ହେବାକୁ ଯାଉଛି। ପ୍ରତିରକ୍ଷା କ୍ଷେତ୍ରରେ ଭାରତ ସଂପ୍ରତି ଏକ ଆତ୍ମିର୍ଭରଶୀଳ ରାଷ୍ଟ୍ର। ପ୍ରତିରକ୍ଷା ସମ୍ବନ୍ଧିତ ବହୁ ଜିନିଷ ଏବେ ଭାରତ ବିଦେଶକୁ ରପ୍ତାନି କରୁଛି। ମୋଦୀଙ୍କ ନେତୃତ୍ବ ଯୋଗୁ କାଶ୍ମୀରରୁ ୩୭୦ ଧାରା ହଟିଛି। ସିଏଏ କାର୍ଯ୍ୟକାରୀ ହୋଇଛି। ଗୋଲାମୀର ପ୍ରତୀକ ଇଂରେଜ ଅମଳର ଆଇନ ହଟାଇ ଦେଶରେ ନିଜସ୍ବ ଆଇନ କାର୍ଯ୍ୟକାରୀ ହେବାକୁ ଯାଉଛି। ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ତିଆରି ହୋଇଛି।
୧୦ ବର୍ଷ ଆଗରୁ ଭାରତରେ ୨ଟି ମୋବାଇଲ ଫୋନ୍ କାରଖାନା ଥିଲା। ଏବେ ବିଶ୍ବର ବହୁ ପ୍ରତିଷ୍ଠିତ କଂପାନିର କାରଖାନା ଭାରତରେ ସ୍ଥାପିତ ହେବା ସହିତ ଏଠାରୁ ତିଆରି ମୋବାଇଲ ଫୋନ୍ ବିଦେଶକୁ ରପ୍ତାନି ହେଉଛି। ଭାରତ ଏବେ ସେମି କଣ୍ଡକ୍ଟର ତିଆରି କରିବା ଆଡ଼କୁ ଅଗ୍ରସର ହୋଇଛି। ଆତଙ୍କବାଦ ଯୁଗର ଶେଷ ହୋଇଛି। କୌଣସି ଦେଶ ଭାରତ ଆଡ଼କୁ ଆଡ଼ଆଖିରେ ଚାହିଁବାକୁ ବି ଡରୁଛି। ମୋଦୀ ମହିଳା ସଶକ୍ତୀକରଣ ପାଇଁ ବହୁତ କାମ କରିଛନ୍ତି। ‘ଡ୍ରୋନ୍ ଦିଦି’ ମହିଳା ସଶକ୍ତୀକରଣ ପଥରେ ଆଉ ଗୋଟିଏ ପାଦ ଯୋଡ଼ି ହୋଇଛି। ଓଡ଼ିଶାରେ ସରକାର ଗଠନ କଲେ ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ୫୦ ହଜାର ଟଙ୍କାର ଭାଉଚର୍ ବି ମିଳିବ। ଗତ ୧୦ ବର୍ଷ ମଧ୍ୟରେ ବିଜେପି ସରକାର ଦେଶରେ ବହୁତ କିଛି ବିକାଶ କରିଥିବା ବେଳେ ଓଡ଼ିଶାରେ ୨୫ ବର୍ଷର ଲମ୍ବା ଶାସନ କରୁଥିବା ସରକାର ଗରିବୀ ହଟାଇବାରେ ବିଫଳ ହୋଇଛି। ରୋଜଗାର ଅନ୍ବେଷଣରେ ଲକ୍ଷାଧିକ ଲୋକ ବାହାର ରାଜ୍ୟକୁ ପଳାୟନ କରୁଛନ୍ତି।
୨୫ ବର୍ଷର ଅବଧି କମ୍ ନୁହେଁ। ଓଡ଼ିଶା ଭଳି ବିପୁଳ ସମ୍ଭାବନାର ରାଜ୍ୟରେ ଯେଉଁ ସରକାର ଏଭଳି ଲମ୍ବା ଅବଧି ଶାସନ କରି କିଛି କରିପାରିଲା ନାହିଁ, ତା’ଠାରୁ ଅଧିକ କ’ଣ ଆଶା କରାଯାଇପାରେ? ମନ୍ତ୍ରୀ ଭାବରେ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ସବୁ ବିଭାଗରେ କାର୍ଯ୍ୟ କରିଛନ୍ତି, ସେହି ବିଭାଗକୁ ନୂଆ ଉଚ୍ଚତାକୁ ନେଇଯାଇଛନ୍ତି। ଓଡ଼ିଶାରେ ଏବେ ପରିବର୍ତ୍ତନର ପବନ ବୋହୁଛି। କେନ୍ଦ୍ର ଓ ରାଜ୍ୟରେ ଗୋଟିଏ ଦଳର ସରକାର ହେଲେ ଓଡ଼ିଶା ସବୁ କ୍ଷେତ୍ରରେ ପ୍ରଗତି ପଥରେ ଆଗେଇବ ବୋଲି ଶ୍ରୀ ବିର୍ଲା କହିଛନ୍ତି। ଓଡ଼ିଶା ବିଧାନସଭାର ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର, ମୃଦୁଳା ଠାକୁର ପ୍ରଧାନ ମଧ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବିଜୟ କେଡ଼ିଆ ସ୍ବାଗତ ଭାଷଣ ରଖିଥିଲେ। ଶ୍ରୀ ବିର୍ଲା ସନ୍ଧ୍ୟାରେ ଅଧିଷ୍ଠାତ୍ରୀ ଦେବୀ ମା’ ସମେଲଇଙ୍କ ଦର୍ଶନ କରିଥିଲେ। ସମ୍ବଲପୁର ଆଗମନ ଅବସରରେ ଶ୍ରୀ ବିର୍ଲାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ସୁପ୍ରୀତି ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
[ad_2]