ରାଜନୀତି

ଉଷ୍ମ ହେଉଛି ଭୁବନେଶ୍ବର ରାଜନୀତି: ରୋଡ ସୋ’ରେ ବିଜେଡି-ବିଜେପି – Kalinga News

[ad_1]

ଆଜି ମଧ୍ୟ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ’

ଭୁବନେଶ୍ବର: ଦିନକୁ ଦିନ ‌ଉଷ୍ମ ହେଉଛି ଭୁବନେଶ୍ବର ରାଜନୀତି। ପ୍ରଚାର ମଇଦାନ ସରଗରମ ହୋଇ ସାରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ ସୋ’ ପରେ ରାଜନୈତିକ ବାତାବରଣ ଆହୁରି ବଦଳିଯାଇଛି। ବିଜେଡି ଓ ବିଜେପି ପ୍ରାର୍ଥୀମାନେ ସିଧାସଳଖ ମୁହାଁମୁହିଁ ହୋଇଛନ୍ତି। ପରସ୍ପରକୁ ସିଧାସଳଖ ଟାର୍ଗେଟ୍‌ କରିବା ସହ ଦଳର ଛାମୁଆ ନେତାମା‌ନଙ୍କ ଏବେ ରୋଡ୍‌ ସୋ’ ମାଧ୍ୟମରେ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ବିଜେଡିର ଷ୍ଟାର୍‌ ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ୍‌ ଆଜି ଏକାମ୍ର ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ ଆଶୀର୍ବାଦ ସଭା ସହ ଶୋଭାଯାତ୍ରା କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ଗୁରୁବାର ଦିନ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରରେ ପ୍ରଚାର ମଇଦାନକୁ ଓହ୍ଲାଇବେ। ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀରେ ପାଖାପାଖି ୧୦ କିମି ପର୍ଯ୍ୟନ୍ତ ସେ ରୋଡ୍‌ ସୋ’ କରିବାର କାର୍ଯ୍ୟକ୍ରମ ରହିଛି। ଗଙ୍ଗନଗର ଛକରୁ ରୋଡ୍‌ ସୋ’ ଆରମ୍ଭ ହୋଇ ଗୋପବନ୍ଧୁ ଛକ, ଡିଏଭି ଛକ, ଏଚଡିଏଫ୍‌ସି ବ୍ୟାଙ୍କ ଛକ, ନୂଆସାହି, ବେହେରା ସାହି, ନିକୋ ପାର୍କ ଛକ ଓ ବାୟାବାବା ମଠ ଦେଇ ରୂପାଲି ଛକରେ ପହଞ୍ଚିବ। ରୋଡ୍‌ ସୋ’ ପାଇଁ କଡ଼ା ସୁରକ୍ଷା ସହ ବ୍ୟାରିକେଡିଂ କରାଯାଇଛି। କର୍ଡନ ଉପରେ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଇଛି। ଉଚ୍ଚ କୋଠାଗୁଡ଼ିକରେ ସୁରକ୍ଷାକର୍ମୀ ନିୟୋଜିତ ହେବା ସହ ବରିଷ୍ଠ ପୁଲିସ ଅଧିକାରୀମାନେ ତଦାରଖ କରିବେ।

ଆଜି ମଧ୍ୟ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ’
୨୦ରେ ଏକାମ୍ର, ୨୨ରେ ଉତ୍ତର ଭୁବନେଶ୍ବରରେ
ନଡ୍ଡାଙ୍କ ରୋଡ୍‌ ସୋ’ ବାରିକସାହିରୁ ଲିଙ୍ଗରାଜ ମନ୍ଦିର

ଆସନ୍ତା ୨୦ ତାରିଖରେ ଏକାମ୍ର ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ’ ହେବାକୁ ସ୍ଥିର ହୋଇଛି। ରାସ୍ତା ଧାର୍ଯ୍ୟ ହୋଇ ନ ଥିଲେ ମଧ୍ୟ ସନ୍ଧ୍ୟା ସମୟରେ ଏହି ରୋଡ୍‌ ସୋ’ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ସେହିପରି ଆସନ୍ତା ୨୨ ତାରିଖ ସନ୍ଧ୍ୟାରେ ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’ ଅନୁଷ୍ଠିତ ହେବ। ସମ୍ଭବତଃ ସିଆର୍‌ପି ଛକରୁ ପଟିଆ ପର୍ଯ୍ୟନ୍ତ ହେବାକୁ ଥିବା ଏହି ରୋଡ୍‌ ସୋ’ ମାଧ୍ୟମରେ ବିଜେଡି ନିଜର ଶକ୍ତି ପ୍ରଦର୍ଶନ କରିବ। ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ’ ପୂର୍ବରୁ ୧୭ ତାରିଖରେ ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ ୩ଟି ଆଶୀର୍ବାଦ ସଭା ଅନୁଷ୍ଠିତ ହେବାକୁ ଯାଉଛି। ଅପରାହ୍ଣ ୫ଟା ୩୦ରେ ସାଲିଆସାହି ଯାତ୍ରା ପଡ଼ିଆ, ଅପରାହ୍ଣ ୬ଟା ୩୦ରେ ନୂଆବନ୍ତ ମେଡିକାଲ ପଡ଼ିଆ, ସନ୍ଧ୍ୟାରେ ନହରକଣ୍ଟା ଷ୍ଟାଡିଅମ୍‌ ପଡ଼ିଆରେ ଏହି ସଭାର ଆୟୋଜନ କରାଯାଇଛି। ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ଏଥିରେ ସାମିଲ ହୋଇ ଭୋଟ ଭିକ୍ଷା କରିବେ ବୋଲି ଜଣାପଡ଼ିଛି।

କେବଳ ବିଜେଡି ନୁହେଁ, ବିଜେପିର ମଧ୍ୟ ଗୋଟିଏ ପରେ ଗୋଟିଏ ରୋଡ୍‌ ସୋ’ ଅନୁଷ୍ଠିତ ହେବାକୁ ଯାଉଛି। ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଗୁରୁବାର ସକାଳେ ଏକାମ୍ର ଭୁବନେଶ୍ବରରେ ରୋଡ୍‌ ସୋ’ କରିବେ। ବାରିକ ସାହିରୁ ଶୋଭାଯାତ୍ରା ବାହାରି ଶ୍ରୀଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଯିବ। ‌ରୋଡ୍‌ ସୋ’ ସମୟରେ ବିଜେପି ସାଂସଦ ଓ ବିଧାୟକ ପ୍ରାର୍ଥୀ ଉପସ୍ଥିତ ରହିବେ। ଶୋଭାଯାତ୍ରା ପରେ ଶ୍ରୀ ନଡ୍ଡା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପୁଣି ଆସନ୍ତା ୧୭ ତାରିଖରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀରେ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ହେମା ମାଳିନୀ ପ୍ରଚାର କରିବେ। ରୋଡ୍‌ ସୋ’ ମାଧ୍ୟମରେ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ସେ ଭୋଟ ଭିକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କରିବାଲାଗି ବିଜେପିର ଆହୁରି ଏକାଧିକ କେନ୍ଦ୍ରୀୟ ନେତା ଭୁବନେଶ୍ବର ଆସିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପକ୍ଷରେ କଂଗ୍ରେସର ଏପର୍ଯ୍ୟନ୍ତ କୌଣସି ଷ୍ଟାର୍‌ ପ୍ରଚାରକ ଭୁବନେଶ୍ବରକୁ ଆସି ନାହାନ୍ତି। ପ୍ରାର୍ଥୀମାନେ ନିଜ ନିଜ ସ୍ତରରେ ପ୍ରଚାର କରିବା ସହ ଭୋଟରଙ୍କ ମନ ଜିତିବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳୁଛି। ଅନ୍ୟାନ୍ୟ ଦଳ ଓ ସ୍ବାଧୀନ ପ୍ରାର୍ଥୀମାନେ ମଧ୍ୟ ବାଇକ୍‌ ଶୋଭାଯାତ୍ରା କରୁଥିବା ଦେଖିବାକୁ ମିଳୁଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button