୫୬ ଲକ୍ଷରୁ ଅଧିକ ଟଙ୍କା ନେଇଗଲେ ସାଇବର୍ ଠକ: ଵାର୍କ ଫ୍ରମ୍ ହୋମ୍ ନାଁରେ ଯୁବତୀଙ୍କଠୁ ଲୁଟ୍ – Kalinga News

[ad_1]
ନିବେଶ କରି ଫସିଲେ ଯୁବକ
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ହୀରାକୁଦ ହିଣ୍ଡାଲ୍କୋ କଲୋନିର ଚନ୍ଦ୍ରଶେଖର ପାଢ଼ୀ ବଡ଼ ଧରଣର ସାଇବର୍ ଠକେଇର ଶିକାର ହୋଇଛନ୍ତି। ନିବେଶ କରି ଅଧିକ ଲାଭ ପାଇବା ଆଶାରେ ୫୫ ଲକ୍ଷରୁ ଅଧିକ ଟଙ୍କା ହରାଇଥିବା ନେଇ ସମ୍ବଲପୁର ସାଇବର୍ ଥାନାରେ ଅଭିଯୋଗ କରିଛନ୍ତି। ସେହିଭଳି ସଂଜୀବନୀ ବକ୍ସି ନାମକ ଜଣେ ଯୁବତୀଙ୍କଠାରୁ ମଧ୍ୟ ସାଇବର ଠକ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀ ପାଢ଼ୀ ଫେସବୁକ୍ରେ ଏକ ଟ୍ରେଡିଂ ବିଜ୍ଞାପନ ଦେଖିଥିଲେ। ନିବେଶ କଲେ ଭଲ ଲାଭ ମିଳିବ ବୋଲି ଉକ୍ତ ବିଜ୍ଞାପନରେ ଉଲ୍ଲେଖ ଥିଲା।

Sambad is now on WhatsApp
Join and get latest news updates delivered to you via WhatsApp
ସେଥିରେ ଥିବା ଲିଙ୍କ୍ ଉପରେ କ୍ଲିକ୍ କରିବା ପରେ ସେ ଏକ ହ୍ବାଟ୍ସଆପ୍ ଗ୍ରୁପ୍ରେ ଆଡ୍ ହୋଇଯାଇଥିଲେ। ତାପରେ ତାଙ୍କୁ ଏକ ଇନଷ୍ଟିଚ୍ୟୁସନାଲ ଆକାଉଣ୍ଟ ଖୋଲିବାକୁ ଲିଙ୍କ୍ ଦିଆଯାଇଥିଲା ଏବଂ ଏଫ୍ଵାଇଇଆର୍ ଆପ୍ ଖୋଲି ପଞ୍ଜୀକରଣ ପାଇଁ କୁହାଯାଇଥିଲା। ପଞ୍ଜୀକରଣ ପରେ ତାଙ୍କୁ ଟଙ୍କା ନିବେଶ କରିବାକୁ କୁହାଗଲା। ସେ ମାର୍ଚ୍ଚ ୪ ତାରିଖ ଦିନ ୩୦ ହଜାର ଟଙ୍କା ନିବେଶ କରିଥିଲେ। ଧୀରେଧୀରେ ସେ ନିବେଶ ଅର୍ଥ ବୃଦ୍ଧି କରିଥିଲେ। ଉକ୍ତ ଆପ୍ରେ ନିବେଶ କରାଯାଇଥିବା ସମସ୍ତ ଟ୍ରାନ୍ଜେକସନ୍ର ସମ୍ପୂର୍ଣ୍ଣ ବିବରଣୀ ରହୁଥିଲା। ସେ ଉକ୍ତ ଆପ୍ ଜରିଆରେ ଷ୍ଟକ୍ ଓ ଆଇପିଓ’ କିଣିବା ପରେ ବିକ୍ରି କରିଥିଲେ। ମୋଟ ୩ ଥରରେ ୧ ଲକ୍ଷ ୩୦ ହଜାର ଟଙ୍କା ଉଠାଇଥିଲେ। ତାପରେ ପୁଣିଥରେ ଟଙ୍କା ନିବେଶ କରି ଚାଲିଥିଲେ। ଏକାଧିକ ଟ୍ରାନ୍ଜେକସନ୍ରେ ସେ ୫୫ ଲକ୍ଷ ୩୯ ହଜାର ଶହେ ୭ ଟଙ୍କା ନିବେଶ କରିଥିଲେ। କିଛି ଦିନ ପରେ ସେ ଟଙ୍କା ଉଠାଇବାକୁ ଚେଷ୍ଟା କରିବା ବେଳେ ଆଉ ଟଙ୍କା ଉଠାଇ ପାରି ନଥିଲେ। ଠକେଇର ଶିକାର ହୋଇଥିବା ଜାଣି ସେ ପ୍ରଥମେ ସାଇବର୍ ହେଲ୍ପ ଲାଇନ୍ ନମ୍ବର ୧୯୩୦ରେ ଅଭିଯୋଗ କରିଥିଲେ। ମଙ୍ଗଳବାର ରାତି ଏ ନେଇ ସେ ସମ୍ବଲପୁର ସାଇବର୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ସେହିପରି ଵାର୍କ ଫ୍ରମ୍ ହୋମ୍ ନାଁରେ ଜଣେ ଯୁବତୀ ସାଇବର୍ ଠକେଇର ଶିକାର ହୋଇଛନ୍ତି। ଡିଆଇଇଟି ରୋଡ୍ର ସଂଜୀବନୀ ବକ୍ସିଙ୍କଠାରୁ ସୋମବାର ସନ୍ଧ୍ୟାରେ ସାଇବର୍ ଠକ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ସୂଚନା ଅନୁଯାୟୀ, ସଂଜୀବନୀ ଇନ୍ଷ୍ଟାଗ୍ରାମରେ ଏକ ଵାର୍କ ଫ୍ରମ୍ ହୋମ୍ ଚାକିରି ବିଜ୍ଞାପନ ଦେଖି ଆବେଦନ କରିଥିଲେ। ଉକ୍ତ ଅନୁଷ୍ଠାନ ନାଁରେ କରାଯାଇଥିବା ଏକ ହ୍ବାଟ୍ସଆପ୍ ଗ୍ରୁପ୍ରେ ସେ ଗତ ୫ ତାରିଖରେ ଯୋଡ଼ି ହୋଇଥିଲେ। ତାପରେ ତାଙ୍କୁ ବିଭିନ୍ନ ଟାସ୍କ ପୂରଣ କରିବାକୁ କୁହାଯାଇଥିଲା। କିଛି ଟାସ୍କ ପାଇଁ ଟଙ୍କା ଦେବାକୁ ମଧ୍ୟ କୁହାଗଲା। ଅଧିକ ଲାଭ ପାଇଁ ସେ ୧ ହଜାର ଟଙ୍କା ନିବେଶ କରି ଟାସ୍କ ପୂରଣ କଲେ। ପ୍ରଥମଥର ତାଙ୍କୁ ୧୬୫୦ ଟଙ୍କା ମିଳିଥିଲା। ଦ୍ବିତୀୟ ଥର ତାଙ୍କୁ ୩ ହଜାର ଟଙ୍କା ଲେଖାଏଁ ୨ ଥର ନିବେଶ କରିବାକୁ କହାଗଲା। ୬ ହଜାର ଟଙ୍କା ନିବେଶ କରିବା ପରେ ତାଙ୍କୁ ୮,୩୨୭ ଟଙ୍କା ମିଳିଥିଲା। ସୋମବାର ଦିନ ତାଙ୍କୁ ଦିଆଯାଇଥିବା ଟାସ୍କରେ ଅଧିକ ଟଙ୍କା ନିବେଶ କରିବାକୁ କୁହାଯିବାରୁ ସେ ପ୍ରଥମେ ୧୨ ହଜାର ଟଙ୍କା ନିବେଶ କରିଥିଲେ। ତାପରେ ୩୦ ହଜାର ଓ ୭୦ ହଜାର କରି ୨ ଥର ନିବେଶ କଲେ। ତୃତୀୟ ଥର ୧ ଲକ୍ଷ ୩୦ ହଜାର ଟଙ୍କା ନିବେଶ କରିବାକୁ କୁହାଯିବାରୁ ଯୁବତୀ ଜଣକ କରି ପାରିନଥିଲେ। ପରେ ଟଙ୍କା ନିବେଶ ନକଲେ କିଛି ଆଉ ମିଳିବ ନାହିଁ ବୋଲି ତାଙ୍କୁ ଚେତାବନୀ ଦିଆଯାଇଥିଲା। ଠକେଇର ଶିକାର ହୋଇଥିବା ଜାଣି ସେ ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
[ad_2]