ଅପରାଧ

ଭୁବନେଶ୍ବରରୁ ୭ କୋଟିର ବ୍ରାଉନ୍‌ସୁଗାର ଜବତ ମାମଲା: ୩ ମାଫିଆଙ୍କୁ ୨୦ ବର୍ଷ ସଜା – Kalinga News

[ad_1]

ଲକ୍ଷେ ଲେଖାଏ ଜରିମାନା, ୩ ବର୍ଷରେ ଶୁଣାଣି ଶେଷ

ଭୁବନେଶ୍ବର: ୨୦୨୦ ମସିହାରେ ରାଜଧାନୀରୁ ଜବତ ହୋଇଥିବା ପ୍ରାୟ ୭ କୋଟି ଟଙ୍କାର ବ୍ରାଉନ୍‌ସୁଗାର( ପ୍ରାୟ ସାଢ଼େ ୪ କେଜି) ମାମଲାର ଗୁରୁତ୍ବପୂର୍ଣ୍ଣ ରାୟ ଗୁରୁବାର ପ୍ରକାଶ ପାଇଛି। ଭୁବନେଶ୍ବର ଏଡିଜେ କୋର୍ଟ-୨ର ବିଚାରପତି ଜଷ୍ଟିସ୍‌ ବନ୍ଦନା କର ମାତ୍ର ସାଢ଼େ ୩ ବର୍ଷରେ ଏହି ମାମଲାର ଶୁଣାଣି କରି ୩ ଧଳାଜହର ମାଫିଆଙ୍କୁ ୨୦ ବର୍ଷ ସଜା ଶୁଣାଇଛନ୍ତି। ସେମାନେ ହେଲେ ବାଲେଶ୍ବର ଗୋପାଳଗାଁର ପ୍ରବୀର ସିଂହ, ଦେବାଶିଷ ବେହେରା ଓ ସେକ୍ କୌଶ‌ର୍‌ ଅଲ୍ଲୀ। କାରାବାସ ସହ ସେମାନଙ୍କୁ ଲକ୍ଷେ ଟଙ୍କା ଲେଖାଏ ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ହେଲେ ପ୍ରତ୍ୟେକଙ୍କୁ ଆହୁରି ବର୍ଷେ ଲେଖାଏଁ ଜେଲ୍‌ରେ ରହିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ କରାଯାଇଛି। ବ୍ରାଉନ୍‌ସୁଗାର ଭଳି ଜହର କାରବାର(ସ୍ମଗଲିଂ) ମାମଲାରେ ୨୦ ବର୍ଷ ଭଳି ଲମ୍ବା ଜେଲ୍‌ଦଣ୍ଡ ରାଜ୍ୟର ପ୍ରଥମ ଘଟଣା ବୋଲି ଏହି ମାମଲା ପରିଚାଳନା କରୁଥିବା ସ୍ବତନ୍ତ୍ର ସରକାରୀ ଓକିଲ ରଶ୍ମିରଞ୍ଜନ ବ୍ରହ୍ମା କହିଛନ୍ତି।

ଲକ୍ଷେ ଲେଖାଏ ଜରିମାନା
୩ ବର୍ଷରେ ଶୁଣାଣି ଶେଷ
ନିଶା ସ୍ମଗ୍‌ଲିଂରେ ଲମ୍ବା ଜେଲ୍‌ଦଣ୍ଡ

୨୦୨୦ ଜୁନ୍‌ ୧୯ ତାରିଖ ଦିନ ଏସ୍‌ଟିଏଫ୍ ହାତରେ ଧରାପଡ଼ିଥିଲେ ଏହି ୩ ମାଫିଆ। ଗୁଇନ୍ଦା ସୂଚନା ଆଧାରରେ ଏସ୍‌ଟିଏଫ୍‌ ବାଲେଶ୍ବରରୁ ଆସିଥିବା ଏକ ବୋଲେରୋକୁ ରସୁଲଗଡ଼ରୁ ପିଛା କରିକରି ପଟିଆ ଶିଖରଚଣ୍ଡୀ ଅଞ୍ଚଳରୁ ମାଫିଆମାନଙ୍କୁ ଧରିବାରେ ସଫଳ ହୋଇଥିଲା। ପଶ୍ଚିମବଙ୍ଗ ମୁର୍ଶିଦାବାଦରୁ ବ୍ରାଉନ୍‌ସୁଗାର ଚାଲାଣ କରୁଥିବା ଏହି ୩ ଜଣିଆ ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ ଥିଲା ସେକ୍‌ କୌଶର୍‌ ଅଲ୍ଲୀ। ଭୁବନେଶ୍ବର ଓ ଖୋର୍ଦ୍ଧାରେ ଏହି କାରବାରର ଚେର ଲମ୍ବାଇବାରେ କୌଶର୍‌କୁ ସହଯୋଗ କରୁଥିଲେ ପ୍ରବୀର ଓ ଦେବାଶିଷ। ଏଥିସହିତ ସେମାନେ ଅଙ୍ଗରକ୍ଷୀ ଭାବେ କୌଶର୍‌ର ସୁରକ୍ଷା ଦାୟିତ୍ବ ମଧ୍ୟ ବହନ କରୁଥିଲେ। କୌଶର୍‌ ନିଜେ ଗାଡ଼ି ଚାଳନା କରି ରାଜଧାନୀ ଓ ଖୋର୍ଦ୍ଧା ଅଞ୍ଚଳର ବେପାରୀମାନଙ୍କ ନିକଟରେ ପହଞ୍ଚାଉଥିଲା। ଘଟଣା ଦିନ ଅପରାହ୍ଣ ପ୍ରାୟ ୨ଟା ବେଳେ ଏହି ଗ୍ୟାଙ୍ଗ୍‌ ରସୁଲଗଡ଼ ଛକ ପାର ହେଉଥିବା ବେଳେ ଏସ୍‌ଟିଏଫ୍‌ ଟିମ୍‌ ଅଟକାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ଧୂର୍ତ୍ତ କୌଶର୍‌ ଏସ୍‌ଟିଏଫ୍‌ ଟିମ୍‌ ନିର୍ଦ୍ଦେଶ ନ ମାନି ଦ୍ରୁତବେଗରେ ଗାଡ଼ି ଚଳାଇ ସେଠାରୁ ପଳାଇଥିଲା। କିନ୍ତୁ ଏକ ବଡ଼ ଗ୍ୟାଙ୍ଗ୍‌କୁ ଆଖି ଆଗରୁ ଖସିଯିବା ଲାଗି ସୁଯୋଗ ଦେଇନଥିଲା ଏସ୍‌ଟିଏଫ୍‌ ଟିମ୍‌। ଗାଡ଼ିକୁ ଅଟକାଇ ଯାଞ୍ଚ କରିବା ପରେ ଗୁଇନ୍ଦା ସୂଚନା ଠିକ୍‌ ଥିବା ସ୍ପଷ୍ଟ ହୋଇଥିଲା। ବୋଲେରୋ ଭିତରୁ ୪ କେଜି ୪୫୮ ଗ୍ରାମ୍‌ ବ୍ରାଉନ୍‌ସୁଗାର ମିଳିଥିଲା। ଜବତ ବ୍ରାଉନ୍‌ସୁଗାରର ମୂଲ୍ୟ ୭ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଥିଲା। ୨୫୦ ଗ୍ରାମ୍‌ରୁ ଅଧିକ ବ୍ରାଉନ୍‌ସୁଗାର ଚାଲାଣକୁ ବାଣିଜ୍ୟିକ କାରବାର ହିସାବରେ ନିଆଯାଇଥିଲା। ଏସ୍‌ଟିଏଫ୍‌ ଏହି ମାମଲାକୁ ଗୁରୁତ୍ବ ଦେଇ କୋର୍ଟଙ୍କୁ ତୁରନ୍ତ ସମସ୍ତ ସାକ୍ଷୀ ପ୍ରମାଣ ଓ ଦସ୍ତାବିଜ ଯୋଗାଇଦେଇଥିଲେ। କୋର୍ଟ ମଧ୍ୟ ମାମଲାରୁ ଗୁରୁତ୍ବ ଦୃଷ୍ଟିରୁ ତ୍ବରିତ ଶୁଣାଣି କରି ୩ ମାଫିଆଙ୍କୁ ଦଣ୍ଡ ବିଧାନ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button