ରାଧାରାଣୀଙ୍କ ଗତି କୁଆଡ଼େ: ପ୍ରଦୀପଙ୍କ ପ୍ରଚାର ପାଇଁ ହଁ, ସୁରେଶଙ୍କ ଲାଗି ନା – Kalinga News

[ad_1]
ଝାରସୁଗୁଡ଼ା: ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ତଥା ବରିଷ୍ଠ ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ଗତ କିଛି ଦିନ ହେବ ଦଳରେ ବିଦ୍ରୋହ କରିବା ପରଠାରୁ ଚର୍ଚ୍ଚାରେ ରହିଛନ୍ତି। ଏପରିକି ସେ ଦଳ ମଧ୍ୟ ଛାଡ଼ି ପାରନ୍ତି ବୋଲି ସପ୍ତାହେ ତଳେ ଗଣମାଧ୍ୟମକୁ ବିବୃତି ଦେଇଥିଲେ। ମାତ୍ର ସୋମବାର ସନ୍ଧ୍ୟାରେ ବିଜେପିର ବରଗଡ଼ ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସହ ଆଲୋଚନା ସମୟର ଫଟୋ ସୋସିଆଲ ମିଡିଆରେ ଛାଡ଼ିବା ସହିତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ନେଇ ଉଲ୍ଲେଖ କରିବା ପରେ ଏହି ପ୍ରସଙ୍ଗ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି। ଏଭଳି ସ୍ଥିତିରେ ରାଧାରାଣୀଙ୍କ ଗତି କୁଆଡ଼େ ବୋଲି ଆଲୋଚନା ଆରମ୍ଭ ହୋଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀମତୀ ପଣ୍ଡା ଅସନ୍ତୋଷ ବ୍ୟକ୍ତ କରିବା ପରେ ଝାରସୁଗୁଡ଼ା ବିଧାନସଭା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ତାଙ୍କୁ ଫୋନ୍ କରି ବୁଝାଇବାକୁ ଚେଷ୍ଟା କରିଥିଲେ। ଏହାପରେ ସୋମବାର ସନ୍ଧ୍ୟାରେ ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ ତାଙ୍କ ବାସଭବନକୁ ଯାଇ ଶ୍ରୀମତୀ ପଣ୍ଡାଙ୍କ ସହିତ ବିସ୍ତୃତ ଆଲୋଚନା ମଧ୍ୟ କରିଛନ୍ତି। ସେ ଯେହେତୁ ଦଳରେ ରହିଛନ୍ତି ତେଣୁ ସାଂସଦ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇବା ସହିତ କେନ୍ଦ୍ରରେ ତୃତୀୟ ଥର ପାଇଁ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ସେ ଆଲୋଚନା କରିଥିବା ଶ୍ରୀମତୀ ପଣ୍ଡା କହିଛନ୍ତି। ଆସନ୍ତା ୧୧ ତାରିଖରେ ବରଗଡ଼ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ପରେ ୧୨ ତାରିଖରୁ ସେ ସାଂସଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବୋଲି କହିଛନ୍ତି। କିନ୍ତୁ ବିଧାନସଭା ପ୍ରାର୍ଥୀ ସୁରେଶ ପୂଜାରୀଙ୍କୁ ସମର୍ଥନ ତଥା ତାଙ୍କ ସପକ୍ଷରେ ପ୍ରଚାର ପାଇଁ କୌଣସି ପଦକ୍ଷେପ ନେବେନି ବୋଲି ଶ୍ରୀମତୀ ପଣ୍ଡା ରୋକ୍ଠୋକ୍ କହିଛନ୍ତି। ଏପରିକି ବିଧାନସଭା ଭୋଟ୍ ବେଳକୁ ନୋଟାରେ ଭୋଟ୍ ଦେବା ନେଇ ୧୦ ତାରିଖରେ ତାଙ୍କ ସମର୍ଥକଙ୍କର ଏକ ବୈଠକ ମଧ୍ୟ ରହିଥିବା ସେ ସୂଚନା ଦେଇଛନ୍ତି। ଦଳ ତାଙ୍କୁ ନଜଣାଇ ଟିକେଟ କାଟିଦେବା ଘଟଣାକୁ ନେଇ ଶ୍ରୀମତୀ ପଣ୍ଡା ଅସନ୍ତୁଷ୍ଟ ଥିବା ବେଳେ ବିଧାନସଭା ପ୍ରାର୍ଥୀ ସୁରେଶ ପୂଜାରୀ ତାଙ୍କୁ ଫୋନ୍ଟିଏ ମଧ୍ୟ କରୁନାହାନ୍ତି କି କୌଣସି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରୁନାହାନ୍ତି। ଏଭଳି ସ୍ଥିତିରେ ସେ ଓ ତାଙ୍କ ସମର୍ଥକମାନେ କାହିଁକି ଶ୍ରୀ ପୂଜାରୀଙ୍କ ସପକ୍ଷରେ ପ୍ରଚାର କରିବେ ବୋଲି ଶ୍ରୀମତୀ ପଣ୍ଡା ପ୍ରଶ୍ନ କରିଛନ୍ତି। ସେପଟେ, ଶ୍ରୀମତୀ ପଣ୍ଡାଙ୍କ ଏଭଳି ବିଦ୍ରୋହ ବ୍ରଜରାଜନଗରରେ ବିଜେପିକୁ ଅଡ଼ୁଆରେ ପକାଇବା ନେଇ ମଧ୍ୟ ଚର୍ଚ୍ଚା ଜୋର୍ ଧରିଲାଣି।
[ad_2]